ନୂଆଦିଲ୍ଲୀ: ଭାରତର ଗ୍ରେଟ ନିକୋବର ପ୍ରକଳ୍ପ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ରଣନୈତିକ ସନ୍ତୁଳନକୁ ବଦଳାଇପାରେ। କାରଣ ଏହା ମଲକ୍କା ଷ୍ଟ୍ରେଟ୍ ଦେଇ ଯାତାୟାତ କରୁଥିବା ବାଣିଜ୍ୟିକ ଓ ଇନ୍ଧନ ଟ୍ୟାଙ୍କରଙ୍କ ଲାଗି ନୂଆଦିଲ୍ଲୀର ସର୍ଭିଲାନ୍ସ ସେଣ୍ଟର ହୋଇପାରେ। ତେବେ ନିକଟରେ ଗଣମାଧ୍ୟମ ରିପୋର୍ଟ ଓ ବିଶ୍ଲେ,ଷଣରେ ଭାରତର ଦକ୍ଷିଣ ସୀମାରେ ସାମରିକ ଓ ବାଣିଜ୍ୟିକ ଭିତ୍ତିଭୂମି ବିକାଶ ଯୋଗୁ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କିପରି ଭୂ-ରାଜନୈତିକ ଓ ପ୍ରତିରକ୍ଷା ସମିକରଣ ବଦଳୁଛି ତା ଉପରେ ଆଲୋକପାତ କରାଯାଇଛି।

ଚୀନ୍ ପାଇଁ ମଲକ୍କା ଷ୍ଟ୍ରେଟ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?
ମଲକ୍କା ଷ୍ଟ୍ରେଟ୍ ଦେଇ ପ୍ରତିବର୍ଷ ପାଖାପାଖି ୩.୫ଟ୍ରିଲିୟନ ଡଲାରର ବୈଶ୍ୱିକ ବ୍ୟାପାର ହୋଇଥାଏ, ଏଥିରେ ଚୀନ୍ ର ସମୁଦ୍ର ଯାତ୍ରା ପାଖାପାଖି ଦୁଇ ତୃତୀୟାଂଶ ରହିଛି। ଏହି ବାଟ ଦେଇ ଚୀନ୍ ବାର୍ଷିକ ୮୦% ତୈଳ ଓ ପଣ୍ୟ ଆମଦାନୀ କରିଥାଏ। ଏଣୁ ତାଇୱାନ ଭଳି କୌଣସି ଯୁଦ୍ଧ ପରିସ୍ଥିତିରେ ଏହି ଜଳମାର୍ଗ ଅବରୋଧ ହେବା ଚୀନ୍ ପାଇଁ ଚିନ୍ତାର କାରଣ ହୋଇପାରେ।

ଭାରତ ପାଇଁ କାହିଁକି ଏକ ଦୃଢ ପଦକ୍ଷେପ?
ଭାରତର ଶେଷ ଦକ୍ଷିଣ ସୀମାରେ ଥିବା ଗ୍ରେଟ୍ ନିକୋବର ମଲକ୍କା ଷ୍ଟ୍ରେଟ୍ ର ଅତ୍ୟନ୍ତ ନିକଟତମ ଓ ୬ ଡିଗ୍ରି ଚ୍ୟାନେଲରେ ଅବସ୍ଥିତ। ଏହି ବାଟ ଦେଇ ଅଧିକାଂଶ ଚୀନ୍ ବାଣିଜ୍ୟ ଯାଇଥାଏ। ଭାରତ ୨୦୨୧ରେ ଗ୍ରେଟ ନିକୋବର ପ୍ରକଳ୍ପ ହାତକୁ ନେଇଥିଲା। ଗଲାଥିଆ ବେ ରେ ଏକ ଗଭୀରପାଣି ଟ୍ରାନ୍ସସିପମେଣ୍ଟ ବନ୍ଦର, ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ, ଟାଉନସିପ୍ ପାଇଁ ଭିତ୍ତିଭୂମି ସମେତ ୪୫୦ ମେଗାୱାଟ୍ ଗ୍ୟାସ୍ ଓ ସୌର ଶକ୍ତି ଆଧାରିତ ପାୱାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଏବେ ଦ୍ରୁତ ଗତିରେ ଆଗେଇ ଚାଲିଛି। ୧୮-୨୦ ମିଟର ପ୍ରାକୃତିକ ଗଭୀରତାର ଏହି ବନ୍ଦରକୁ ୨୦୨୮ ମସିହା ସୁଦ୍ଧା ସଞ୍ଚାଳନ ଆରମ୍ଭ କରିବାକୁ ଯୋଜନା କରାଯାଇଛି।

ଗ୍ରେଟ ନିକୋବର ପ୍ରକଳ୍ପର ସାମରିକ ଗୁରୁତ୍ୱ
ଗ୍ରେଟ ନିକୋବର ଖୁବ୍ ଶୀଘ୍ର ଏକ ସାମରିକ କେନ୍ଦ୍ରରେ ପରିଣତ ହୋଇ ପାରେ। ଯେଉଁଠାରୁ ଚୀନ୍ ଜାହାଜ (ବାଣିଜ୍ୟିକ ହେଉ କି ଟ୍ୟାଙ୍କର ଅଥବା ସାମରିକ ଯେଉଁଥିରେ ବୁଡ଼ା ଜାହାଜ ଗତିବିଦ୍ଧି ମଧ୍ୟ ସାମିଲ)ଙ୍କ ଉପରେ ନଜର ରଖା ଯାଇ ପାରିବ। ଯୁଦ୍ଧ ଭଳି ପରିସ୍ଥିତିରେ ଚୀନ୍ ଏହି ଘଟଣାକ୍ରମକୁ ତାର ସାମୁଦ୍ରିକ ସଞ୍ଚାର ମାର୍ଗରେ ବିପଦ ମନେ କରିପାରେ। ମଧ୍ୟପ୍ରାଚ୍ୟରୁ ଆସୁଥିବା ଚୀନ୍ ନୌ ପରିବହନ ପଥ ଭାରତର ସାମୁଦ୍ରିକ କ୍ଷେତ୍ର ନିକଟ ଦେଇ ଯାଇଥାଏ ଓ ଭାରତ ଗ୍ରେଟ୍ ନିକୋବର ତ୍ରିକୋଣର ସୁବିଧାଜନକ ସ୍ଥିତି ଯୋଗୁ ଚୀନ୍ ଇନ୍ଧନ ପରିବହନ ଉପରେ ନଜର ରଖିପାରେ ଅଥବା କଟକଣା ଲଗାଇପାରେ।

ଆଣ୍ଡାମାନ ପାଲଟିପାରେ ଭାରତର ବାଣିଜ୍ୟିକ ବନ୍ଦର
ସମ୍ପୂର୍ଣ୍ଣ ବିକଶିତ ହେଲେ ଗ୍ରେଟ ନିକୋବର ପ୍ରକଳ୍ପର ବାଣିଜ୍ୟିକ ମହତ୍ୱ ବିଶେଷ କରି ଟ୍ରାନ୍ସସିପମେଣ୍ଟ ହବ୍ ଭାରତର ମାଲ ବୋଝେଇ ଲାଗି ବିଦେଶୀ ଲଜିଷ୍ଟିକ୍ ଭିତ୍ତିଭୂମି ଉପରେ ନିର୍ଭରତା ହ୍ରାସ ହେବ। ଏହାର ୨୫ ପ୍ରତିଶତ ଏବେ ବିଦେଶୀ ବନ୍ଦରମାନଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଏହା ଦ୍ୱାରା ଭାରତକୁ ମଲକ୍କା ଷ୍ଟ୍ରେଟ୍ ରେ ସମୁଦ୍ର ସଞ୍ଚାର ମାର୍ଗରେ ଏକ ବାଣିଜ୍ୟିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବାକୁ ସହାୟତା ମିଳିବ। ଏହି ରଣନୈତିକ ପଦକ୍ଷେପ ସହିତ ଆଣ୍ଡାମାନ ଭାରତର ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଏକ ନିଷ୍କ୍ରିୟ ଶକ୍ତିରୁ ବିକଶିତ ହୋଇ ଚୀନ୍ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ମାର୍ଗରେ ଏକ ସକ୍ଷମ ଶକ୍ତି ହୋଇପାରେ।