ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ କେରଳର ନୂଆ ନାମ ଭାବେ ‘କେରଳମ’ କୁ ଅଧିସୂଚିତ କରିଛନ୍ତି ଓ ଏହି ପରିବର୍ତ୍ତନ ମଙ୍ଗଳବାରଠାରୁ ଲାଗୁ ହୋଇଯାଇଛି। ମଙ୍ଗଳବାର ଜାରି ଏକ ଗେଜେଟ ନୋଟିଫିକେସନରେ ଗୃହମନ୍ତ୍ରାଳୟ କହିଛନ୍ତି ଯେ ‘କେରଳ( ନାମ ପରିବର୍ତ୍ତନ) ଅଧିନିୟମ ୨୦୨୬ରଧାରା ୧ ଉପଧାରା (୨)ରେ ମିଳିଥିବା ଶକ୍ତି ଉପଯୋଗ କରି କେନ୍ଦ୍ର ସରକାର ୨୫ ଅଗଷ୍ଟ ୨୦୨୬ରେ ସେହି ତାରିଖ ନିର୍ଦ୍ଧାରିତ କରିଛନ୍ତି ଯେବେ ଉକ୍ତ ଅଧିନିୟମର ପ୍ରାବଧାନ ଲାଗୁ ହେବ’।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତମାସ ପ୍ରାରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ନାମ ବଦଳାଇ ‘କେରଳମ’ କରୁଥିବା ବିଲ୍ କୁ ମଞ୍ଜୁରୀ ଦେଇଥିଲେ। ଏହା ପରେ ଏହି ଆଇନ ପ୍ରଣୟନ କରାଯାଇଛି। ଏହା ପୂର୍ବରୁ ଲୋକସଭାରେ ଅଗଷ୍ଟ ୧୧ ତାରିଖ ଦିନ କେରଳ (ନାମ ପରିବର୍ତ୍ତନ ବିଲ୍) ପାସ୍ କରାଯାଇଥିଲା ଏହା ପରେ ରାଜ୍ୟସଭା ଅଗଷ୍ଟ ୧୨ ତାରିଖରେ ଏହାକୁ ମଞ୍ଜୁରୀ ଦେଇଥିଲା। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ ଯେ କେରଳ ବିଧାନସଭା ୨୦୨୪ରେ ଏକ ପ୍ରସ୍ତାବ ଗୃହୀତ କରିଥିଲା, ଯେଉଁଥିରେ କେନ୍ଦ୍ରକୁ ରାଜ୍ୟର ନାମ ବଦଳାଇବାକୁ ଆଇନ ଆଣିବା ନିମନ୍ତେ ଆଗ୍ରହ କରାଯାଇଥିଲା।

ନିତ୍ୟାନନ୍ଦ କହିଥିଲେ ଯେ ‘ବିଲ୍ ରେ ଏହି ପ୍ରାବଧାନ ରହିଛି ଯେ କେରଳ ରାଜ୍ୟକୁ କେରଳମ ନାମରେ ଜଣାଯିବ, ଏଣୁ କେରଳ ନାମ ବଦଳାଇ କେରଳମ କରିବାକୁ ପ୍ରସ୍ତାବ ଦିଆଯାଇଛି’। କେରଳ ସରକାର ପ୍ରସ୍ତାବିତ ନାମ ପରିବର୍ତ୍ତନ କୁ ନେଇ ରାଜ୍ୟ ବିଧାନସଭା ଜୁନ ୨୦୨୪ କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲା। ଏହା ପରେ ରାଷ୍ଟ୍ରପତି ମୁର୍ମୁ ବିଲ୍ ସମ୍ପର୍କରେ ରାଜ୍ୟର ରାୟ ଜାଣିବାକୁ ବିଧାନସଭାକୁ ପଠାଇ ଦେଇଥିଲେ। ଏହାପରେ ବିଧାନସଭା ସର୍ବ ସମ୍ମତିରେ ବିଲ ପ୍ରତି ସହମତ ହେବା ସାଙ୍ଗକୁ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇଥିଲା।