ଚେନ୍ନାଇ: ତିରୁପରନକୁନ୍ଦ୍ରମ ପାହାଡ଼ରେ ଥିବା ‘ଦୀପଥୁନ’ ସ୍ତମ୍ବରେ ଶନିବାର ପାରମ୍ପରିକ ‘କର୍ତିଗଈ’ ଦୀପମ ପ୍ରଜ୍ୱଳିତ ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ୨୮ ନଭେମ୍ବର ସନ୍ଧ୍ୟା ୫ଟା ବେଳେ ଏହି ଦୀପ ଜଳିଛି। ଦୀପଥୁନରେ କାର୍ତିଗଈ ଦୀପମ ପ୍ରଜ୍ୱଳନର ଦୃଶ୍ୟ ଦେଖିବା ଲାଗି ଭକ୍ତମାନେ ମନ୍ଦିର ପରିସରରେ ଏକତ୍ରିତ ହୋଇଥିଲେ। ମନ୍ଦିର ପ୍ରଶାସନ ଦାୟିତ୍ୱ ତୁଲାଇବା ପାଇଁ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍. ବୈଦ୍ୟନାଥ ଓ ଜଷ୍ଟିସ୍ ଭି.ପାର୍ଥୀବନଙ୍କୁ ରିସିଭର ଭାବେ ନିଯୁକ୍ତ କରାଯାଇଥିଲା।

ଦୀପ ପ୍ରଜ୍ୱଳନ କାଳରେ ଢୋଲ, ମୃଦଙ୍ଗ ଓ ନାଗରା ବାଦନ କରାଯାଇଛି। ଏହି ଅବସରରେ ଲୋକଙ୍କୁ ବେଶ୍ ଖୁସି ଦେଖା ଯାଇଛି। ଲୋକେ ଏହି ପର୍ବକୁ ବେଶ୍ ଧୂମ ଧାମରେ ପାଳନ କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସୁପ୍ରିମକୋର୍ଟ ମଦୁରାଇର ‘ଦୀପଥୁନ’ ସ୍ତମ୍ବରେ ଦୀପ ପ୍ରଜ୍ୱଳନ ଲାଗି ତାଙ୍କ ଆଦେଶ ପାଳନ ନ ହେବାରୁ ତାମିଲନାଡୁ ସରକାରଙ୍କୁ କଡ଼ା ତାଗିଦ୍ କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ଏହା ଆପତତଃ ରାଜ୍ୟ ସରକାରଙ୍କ ଦ୍ୱାରା କୋର୍ଟଙ୍କ ଅବମାନନା ଓ ଜାଣିଶୁଣି ଆଦେଶର ଅଣଦେଖା ମାମଲା। ତିରୁପରନକୁନ୍ଦ୍ରମ ପାହାଡରେ ଦୀପ ଜଳାଇବାକୁ ନେଇ ଜାରି ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଦେଶ ଦେଇ କହିଥିଲେ ଯେ ଶନିବାର ଦୀପଥୁନ ଉପରେ ଦୀପ ଜଳାଅ।

ସୁପ୍ରିମକୋର୍ଟ ଜୋର ଦେଇ କହିଥିଲେ ଯେ ତାଙ୍କ ଆଦେଶ ପାଳନ ହେବା ବାଧ୍ୟତାମୂଳକ। କୋର୍ଟ ମଦୁରାଇର ଅରୁଲମିଗୁ ସୁବ୍ରମଣ୍ୟସ୍ୱାମୀ ମନ୍ଦିରର ଟ୍ରଷ୍ଟିମାନଙ୍କୁ ନିଲମ୍ବିତ କରିଦେଇଥିଲେ ଓ ଅଧିକାରୀଙ୍କୁ ଶନିବାର ଦୀପଥୁନରେ ଦୀପ ପ୍ରଜ୍ୱଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଅନୁମତି ସତ୍ତ୍ୱେ ନଭେମ୍ବର ୨୪ ତାରିଖ ଦିନ ‘କାର୍ତ୍ତିଗଈ ଦୀପମ’ କେବଳ ତିରୁପରନକୁନ୍ଦ୍ରମର ପାରମ୍ପରିକ ଉଚ୍ଚ ପିଲ୍ଲର ମଣ୍ଡପରେ ଜଳା ଯାଇଥିଲା।