ବେଙ୍ଗାଲୁରୁ: ଭାରତରେ ପିଲାମାନଙ୍କ ଉପରେ ମାର୍କର ବୋଝ । ଦୀର୍ଘ ବର୍ଷ ଧରି ଏହି ଟ୍ରେଣ୍ଡ ଜାରି ରହିଛି ଏବଂ ଆଗକୁ ସ୍ଥିତି ବଦଳିବ କି ନାହିଁ, ତାହା ମଧ୍ୟ ସନ୍ଦେହ । ରିପୋର୍ଟ କାର୍ଡ ଏବଂ ରାଙ୍କ ହିଁ ଜଣେ ପିଲାର ପ୍ରତିଭା ମାପିବାର ମାପକାଠି ବୋଲି ଧରିନିଆଯାଏ । ବିଭିନ୍ନ ବୋର୍ଡ ପରୀକ୍ଷା କିମ୍ବା ନିଯୁକ୍ତି ପରୀକ୍ଷାରେ, ଯାହାର ବେଶି ନମ୍ବର ବା ମାର୍କ ସେ ହିଁ ପ୍ରତିଭାବାନ । ଭାରତରେ ଏହି ପରମ୍ପରା ଚାଲୁ ରହିଥିବା ବେଳେ, ଏଥିରୁ ବାଦ ପଡ଼ୁନାହାନ୍ତି କୁନି ପିଲା । ପ୍ରଥମ ଶ୍ରେଣୀରେ ସେମିଷ୍ଟର ଏବଂ ଟପ୍ପର ନିର୍ଣ୍ଣୟ ପ୍ରକ୍ରିୟା । ଗୋଟିଏ ସ୍କୁଲ ପକ୍ଷରୁ ଜାରି ଏକ ଚାର୍ଟକୁ ନେଇ ବିତର୍କ ଆରମ୍ଭ ହୋଇଛି ।

କର୍ଣ୍ଣାଟକର ଏକ ସ୍କୁଲର ଏହି ଚାର୍ଟ ଭାଇରାଲ ହେବା ପରେ ଲୋକ ପ୍ରତିକ୍ରିୟା ଦେଉଛନ୍ତି । ଗୋଟିଏ ଚାର୍ଟରେ ୫ ଜଣ ପିଲାଙ୍କ ଫଟୋ ପ୍ରକାଶ ପାଇଥିବା ବେଳେ, ତଳେ ସେମାନେ ସ୍କୋର କରିଥିବା ମାର୍କ ଉଲ୍ଲେଖ ରହିଛି । ଦ୍ବିତୀୟ ସେମିଷ୍ଟରରେ ୨୦୦ ମାର୍କରୁ ସେମାନେ ଭଲ ମାର୍କ ରଖି ଟପ୍ପର ହୋଇଛନ୍ତି । କିନ୍ତୁ ବିତର୍କ ହେଉଛି, ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ଟପ୍ପରକୁ ନେଇ ପ୍ରତିଯୋଗୀତା କେତେ ଜରୁରୀ ? କିଛି ୟୁଜର୍ସ ସେମାନଙ୍କୁ ପ୍ରଶଂସା କରିଥିବା ବେଳେ, ଅନ୍ୟମାନେ ସ୍କୁଲର ଏଭଳି ପରମ୍ପରା ଉପରେ ପ୍ରଶ୍ନ ଉଠାଇଛନ୍ତି । କେହି କେହି, ଏତେ କମ ବୟସର ପିଲାଙ୍କ ଉପରେ ଚାପ ନଦେବାକୁ ପରାମର୍ଶ ବି ଦେଇଛନ୍ତି ।

କର୍ଣ୍ଣାଟକର ଶିବମୋଗାରେ ଥିବା ଏକ ଘରୋଇ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଜାରି ଏହି ଟପ୍ପର ଚାର୍ଟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏଥିରେ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ସେକେଣ୍ଡ ସେମିଷ୍ଟରରେ ଟପ୍ପର ହୋଇଥିବା ପିଲାଙ୍କ ଫଟୋ ଏବଂ ସେମାନେ ରଖିଥିବା ମାର୍କ ପ୍ରଦର୍ଶିତ ହୋଇଛି । ଚାର୍ଟ ଅନୁସାରେ, ଏସ୍ ଜ୍ଞାନସୂର୍ଯ୍ୟ ଆଇତଲ ଏବଂ କୌଶିକା ଭି ୨୦୦ରୁ ୨୦୦ ମାର୍କ ରଖିଛନ୍ତି । ନିଶାନ୍ତ ଏମ ୨୦୦ରୁ ୧୯୯, ମହମ୍ମଦ ହାରମେନ ୨୦୦ରୁ ୧୯୮ ଏବଂ ଯଶମିଥ ନାୟକ ଜେକେ ୨୦୦ରୁ ୧୯୭ ମାର୍କ ରଖି ଟପ୍ପର ହୋଇଛନ୍ତି ।

ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବତର୍କ ଆରମ୍ଭ ହୋଇଯାଇଛି । କେତେକ ୟୁଜର୍ସ ପିଲାମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ବୋଲି କହିଥିବା ବେଳେ, ଅନ୍ୟ କେତେ ଜଣ ୟୁଜର୍ସ ଏହାକୁ ଛୋଟ ପିଲାମାନଙ୍କ ଉପରେ ଚାପ ବୋଲି ବର୍ଣ୍ଣନା କରିଛନ୍ତି । ଛୋଟ ବେଳୁ ସହପାଠୀଙ୍କ ସହ ପ୍ରତିଯୋଗୀତା କରିବା, କେତେ ଜରୁରୀ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଏହି ପରମ୍ପରା ଅନ୍ୟ ସ୍କୁଲରେ ମଧ୍ୟ ଦେଖିବାକୁ ମିଳିପାରେ ଏବଂ ଏହା କେବଳ ସ୍କୁଲରେ ସୀମିତ ରହିବ ନାହିଁ ବୋଲି ଦାବି ହୋଇଛି। ଖେଳିବା ବୟସରେ ପିଲାମାନଙ୍କ ଉପରେ ପରିବାର ଏବଂ ସମାଜର ଚାପ ବୃଦ୍ଧି ପାଇବ ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଇଛି ।

ଅନ୍ୟପଟେ ନୂଆ ଶିକ୍ଷା ନୀତି (NEP-2020)କୁ ନେଇ ମଧ୍ୟ ଡିବେଟ୍ ହୋଇଛି । ନୂଆ ଶିକ୍ଷା ନୀତିରେ, ପିଲାଙ୍କ ଉପରୁ ବୋଝ କମ୍ କରିବା ଉପରେ ଗୁରୁତ୍ବରୋପ କରାଯାଇଛି । ଛୋଟ ପିଲାମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଦେବା ଉପରେ ଜୋର ଦେଉଛି ଏନଇପି । ହେଲେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।