ବେଙ୍ଗାଲୁରୁ: କର୍ଣ୍ଣାଟକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟ ସରକାର କଲେଜଗୁଡ଼ିକରେ ଏଚ୍‌ଆଇଭି ସ୍କ୍ରିନିଂ କ୍ୟାମ୍ପ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ କଲେଜରେ ଏଚଆଇଭି ପରୀକ୍ଷା ଓ କାଉନସେଲିଂକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ସୁପାରିଶ ପରେ ସରକାର ନିଷ୍ପତ୍ତି ନେଇ ଏବେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ କଲେଜଗୁଡ଼ିକରେ ନିୟମିତ ଭାବେ ଏଚଆଇଭି ଟେଷ୍ଟିଂ ଓ ସଚେତନତା ଶିବିର ଆୟୋଜନ କରାଯିବ । ଏହି କ୍ୟାମ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟରେ ସଂକ୍ରମଣକୁ ସମୟ ଥାଉଥାଉ ଚିହ୍ନଟ କରିବା ଏବଂ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଯୋଗାଇଦେବା ।

ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ଅର୍ଗାନାଇଜେସନର ରିପୋର୍ଟ ଅନୁଯାୟୀ, ଏଚଆଇଭି ସଂକ୍ରମଣ ମାମଲାରେ କର୍ଣ୍ଣାଟକ ଦେଶରେ ତୃତୀୟ ସ୍ଥାନରେ ରହିଛି । ରାଜ୍ୟରେ ବର୍ତ୍ତମାନ ପ୍ରାୟ ୨.୬୦ ଲକ୍ଷ ଲୋକ ଏଚଆଇଭି ସହିତ ଜୀବନ ବିତାଉଛନ୍ତି । ଏଥିମଧ୍ୟରୁ ପ୍ରାୟ ୨.୦୫ ଲକ୍ଷ ରୋଗୀ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ୫୪ ହଜାର ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି ଯେ ସେମାନେ ଏଚଆଇଭି ସଂକ୍ରମିତ । ସ୍ୱାସ୍ଥ୍ୟ ବିଭାଗ ପାଇଁ ଏହା ହିଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ।

୧୮ରୁ ୩୫ ବର୍ଷର ଯୁବକଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ

ତଥ୍ୟରୁ ଜଣାପଡ଼ିଛି ଯେ ଏଚଆଇଭି ସଂକ୍ରମଣ ସବୁଠାରୁ ଦ୍ରୁତ ଗତିରେ ୧୮ରୁ ୩୫ ବର୍ଷ ବୟସ୍କଙ୍କ ମଧ୍ୟରେ ବ୍ୟାପୁଛି । ୨୦୨୩-୨୪ ବର୍ଷରେ ଏହି ବୟସ ବର୍ଗରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୪୪,୫୦୦ ଥିଲା, ଯାହା ୨୦୨୫-୨୬ରେ ବୃଦ୍ଧି ପାଇ ପ୍ରାୟ ୬୬,୬୦୦ ହୋଇଯାଇଛି । ଅର୍ଥାତ୍ ଦୁଇ ବର୍ଷ ମଧ୍ୟରେ ମାମଲାଗୁଡ଼ିକରେ ଉଲ୍ଲେଖନୀୟ ବୃଦ୍ଧି ରେକର୍ଡ କରାଯାଇଛି । ତଥ୍ୟ ଅନୁଯାୟୀ, ୧୮ରୁ ୨୫ ବର୍ଷ ବୟସର ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରେ ନିକଟରେ ଏଚଆଇଭି ସଂକ୍ରମଣ ଚିହ୍ନଟ ହୋଇଛି । ଏହି ଆକଳନ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପଦକ୍ଷେପ

କର୍ଣ୍ଣାଟକର ବିଶ୍ୱେଶ୍ୱରୈୟା ଟେକ୍ନୋଲୋଜିକାଲ ୟୁନିଭରସିଟି (VTU) ନିଜର ସମସ୍ତ ଅନୁବନ୍ଧିତ ଇଞ୍ଜିନିୟରିଂ କଲେଜଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟିଗ୍ରେଟେଡ୍ ହେଲ୍ଥ କ୍ୟାମ୍ପ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି କ୍ୟାମ୍ପଗୁଡ଼ିକରେ HIV ସ୍କ୍ରିନିଂ, ସଚେତନତା ଏବଂ କାଉନସେଲିଂ ଭଳି ସୁବିଧା ଯୋଗାଇ ଦିଆଯିବ। ବିଶ୍ୱବିଦ୍ୟାଳୟ ସ୍ପଷ୍ଟ କରିଛି ଯେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ଏବଂ ରିପୋର୍ଟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ।

HIV ଟେଷ୍ଟ ବାଧ୍ୟତାମୂଳକ ନୁହେଁ, ଛାତ୍ରଛାତ୍ରୀଙ୍କ ସମ୍ମତି ଜରୁରୀ

ଭିଟିୟୁ ସ୍ପଷ୍ଟ କରିଛି ଯେ ଏଚଆଇଭି ଟେଷ୍ଟ କୌଣସି ବି ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ନାହିଁ । ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ । ଏହି ପଦକ୍ଷେପ ଅଧୀନରେ ଛାତ୍ରଛାତ୍ରୀଙ୍କୁ କେବଳ ଏଚଆଇଭି ବିଷୟରେ ସୂଚନା ଦିଆଯିବ ନାହିଁ, ବରଂ ଆବଶ୍ୟକତା ପଡ଼ିଲେ ଗୋପନୀୟ କାଉନସେଲିଂ, ପରୀକ୍ଷା ଏବଂ ପ୍ରାରମ୍ଭିକ ସ୍ତରର ଚିକିତ୍ସା ସମ୍ବନ୍ଧୀୟ ସେବାର ସୂଚନା ମଧ୍ୟ ଯୋଗାଇ ଦିଆଯିବ ।