କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେ ଉପରେ ପୁଣି ଗୁଳିମାଡ଼, ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗ

Published By : Prameya-News7 Bureau | August 07, 2025 IST

ନୂଆଦିଲ୍ଲୀ: କପିଲ୍ ଶର୍ମାଙ୍କ କାନାଡାର ସରେ ସ୍ଥିତ କାଫେ 'କାପ୍ସ କାଫେ' ଉପରେ ଗୁରୁବାର ପୁଣି ଥରେ ଗୁଳିମାଡ଼ ହୋଇଛି । ଦ୍ୱିତୀୟ ଥର ପାଇଁ ତାଙ୍କ କାଫେକୁ ଟାର୍ଗେଟ୍ କରାଯାଇଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ଏକ କାରରେ ବସି କାଫେ ଆଡ଼କୁ ଗୁଳି ଚଳାଇଥିବା ଦେଖାଯାଉଛନ୍ତି । ଗୋଲ୍ଡି ଢିଲୋନ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏହି ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଛନ୍ତି ।

ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆକ୍ରମଣ ତାଙ୍କ ଗ୍ୟାଙ୍ଗ ଦ୍ୱାରା କରାଯାଇଥିବା ଢିଲୋନ ଦାବି କରିଛନ୍ତି । ତେବେ ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ କେହି ଆହତ ହୋଇଥିବା ଖବର ନାହିଁ । ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ କପିଲ୍ ଶର୍ମାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ । 

ଉଲ୍ଲେଖଯୋଗ୍ୟ ଯେ ଗୋଲ୍ଡି ଢିଲୋନ୍ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଥିବା ଦାବି କରନ୍ତି । ଗୋଲ୍ଡି ଏକ ଅନଲାଇନ୍ ପୋଷ୍ଟରେ ଲେଖିଛନ୍ତି, 'ସବୁ ଭାଇଙ୍କୁ ରାମ ରାମ... ଗୋଲ୍ଡି ଢିଲୋନ୍ ଏବଂ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଆଜି ସରେରେ କପିଲ ଶର୍ମାଙ୍କ କାପ୍ସ କାଫେରେ ହୋଇଥିବା ଗୁଳିକାଣ୍ଡ ପାଇଁ ଦାୟୀ ।'

ଏହା ପୂର୍ବରୁ, ଗତ ମାସ ଜୁଲାଇ ୧୦ରେ କପିଲ୍ ଶର୍ମାଙ୍କ କାପ୍ସ କାଫେରେ ଗୁଳିକାଣ୍ଡ ହୋଇଥିଲା । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଆକ୍ରମଣକାରୀ କାରରୁ ଏକ ପିସ୍ତଲ ବାହାର କରି ୧୦ରୁ ୧୨ ରାଉଣ୍ଡ ଗୁଳି ଚଳାଇଥିଲେ । ଖଲିସ୍ତାନୀ ଆତଙ୍କବାଦୀ ହରଜିତ ସିଂହ ଲଡ୍ଡି ପୂର୍ବ ଗୁଳିକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା । ହରଜିତ ସିଂହ ଲଡ୍ଡି ଏନଆଇଏର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ଅନ୍ତର୍ଭୁକ୍ତ ଏବଂ ବିକେଆଇ (ବବର ଖାଲସା ଇଣ୍ଟରନ୍ୟାସନାଲ) ସହିତ ଜଡିତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.