ମୁମ୍ୱାଇ – କମେଡିଆନ-ଟିଭି ହୋଷ୍ଟ କପିଲ ଶର୍ମାଙ୍କ ସୁରକ୍ଷା ବଢାଇ ଦିଆ ଯାଇଛି। ତାଙ୍କର କାନାଡା ସ୍ଥିତ କାଫେରେ ମାସେ ଭିତରେ ଦୁଇ ଥର ଫାୟାରିଂ ହୋଇଛି। କେବଳ ଏତିକି ନୁହେଁ , ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି କପିଲ ଶର୍ମାଙ୍କୁ ଧମକ ମଧ୍ୟ ଦେଇଛି। ଏହି ସ୍ଥିତିରେ ମୁମ୍ୱାଇ ପୁଲିସ କପିଲଙ୍କ ମୁମ୍ୱାଇ ସ୍ଥିତ ଓଶିୱାରା ଘରର ଆଖପାଖରେ ସଶକ୍ତ ସୁରକ୍ଷା ଲାଗୁ କରିଛି। ଏହା ବ୍ୟତୀତ , ତାଙ୍କର ସୁଟିଂ ଲୋକେସନର ଆଖପାଖ ସାଦା ପୋଷାକରେ ପୁଲିସ ମୁତୟନ କରାଯାଇଛି।
ପ୍ରଥମ ଆକ୍ରମଣ ୧୦ ଜୁଲାଇରେ ହୋଇଥିଲା। ଏହାର ଦାୟିତ୍ୱ ବବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ ହରଜିତ୍ ସିଂହ ଲଡ୍ଡି ନେଇଥିଲା। ତାଙ୍କର କହିବାର ଥିଲା ଯେ, ଏହି ଶୋ’ ବେଳେ ଶିଖ୍ ସଂପ୍ରଦାୟର ପୋଷାକ ଉପରେ କରାଯାଇ ଥିବା ଆପତ୍ତିଜନକ ମନ୍ତବ୍ୟର ଜବାବ ଥିଲା।
‘କାପ୍ସ କାଫେ’ରେ ଦ୍ୱିତୀୟ ଆକ୍ରମଣ ୮ ଅଗଷ୍ଟରେ ହୋଇଥିଲା , ଯେଉଁଥିରେ ପାଖାପାଖି ୨୫ଟି ଗୁଳି କରିଯାଇ ଥିବା ରିପୋର୍ଟ ରହିଛି। ଏହି ଘଟଣାରେ ଗୋଲ୍ଡି ଢିଲ୍ଲୋନ ନାମକ ଗ୍ୟାଙ୍ଗଷ୍ଟର ଓ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରି ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରିଛନ୍ତି। ଆକ୍ରମଣ ବେଳେ ସୁଟ୍ କରାଯାଇ ଥିବା ଭିଡ଼ିଓରେ କୌଣସି ଭଏସରେ ଚେତାବନୀ ମଧ୍ୟ ଦିଆଯାଇଛି। କୁହାଯାଇଛି , ଆମେ ତାକୁ ଫୋନ କଲି ସେ ଫୋନ୍ ଉଠାଇଲା ନାହିଁ , ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା। ଯଦି ଏହା ନଶୁଣେ , ତ ଆଗାମୀ କାର୍ଯ୍ୟାନୁଷ୍ଠାନ ମୁମ୍ୱାଇରେ ହେବ।
କପିଲ ଶର୍ମା ଓ ତାଙ୍କର ପତ୍ନୀ ଗିନ୍ନୋ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ଏକ ଭିଡ଼ିଓ ପୋଷ୍ଟ କରି ହିଂସାର ନିନ୍ଦା କରିଛନ୍ତି। ସେମାନେ କହିଛନ୍ତି – ଆମେ ସବୁ ମିଶି ହିଂସାର ସାମ୍ନା କରିବୁ। ଏହା ପୂର୍ବରୁ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ କପିଲ ମେସେଜ ଦେଇଛନ୍ତି ଯେ, ଜୀବନ ଓ ତାଙ୍କର ଶୋ ଜାରି ରହିବ।