News7 Logo

ଶ୍ରୀମନ୍ଦିର ଉପରେ ବସିଲା ଚିଲ, ଆଗକୁ ଘଟିବ କି ବଡ ଅଘଟଣ ?

NEWS7
kite

ପୁରୀ ୦୨/୦୯: ମାଡିଆସୁଛି ବଡ ବିପଦ ? ରାଜ୍ୟକୁ ଘଟିବ କି ବଡ ଅଘଟଣ? ଏମିତି ଅନେକ ଚର୍ଚ୍ଚା ଏବେ ଶୁଣିବାକୁ ମିଳିଛି । କାରଣ ଶ୍ରୀମନ୍ଦିର ଉପରେ ବସିଛି ଚିଲ। ଶ୍ରୀମନ୍ଦିର ନୀଳଚକ୍ର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଚିଲ ଶ୍ରୀମନ୍ଦିର ଉପରେ ବସିଲେ ଅଶୁଭ ବୋଲି ଅନେକ ସେବକ ମତ ରଖିଥାନ୍ତି । ଦୀର୍ଘ ସମୟ ଧରି ଚିଲ ଟି ମନ୍ଦିର ଉପରେ ବସିବା ପରେ ଉଡି ଯାଇଥିବା ଦେଖିବାକୁ ମିଳିଛି। ସେପଟେ ଚିଲ ବସିବା ନେଇ ଅନେକ କଳ୍ପନା ଜଳ୍ପନା ଶୁଣିବାକୁ ମିଳିଛି । 

ସୂଚନା ଥାଉକି, ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ବୁଲିଥିଲା । କିଛି ସମୟ ବୁଲିବା ପରେ ପତିତପାବନ ବାନା ଉପରେ ବସିଥିଲା । ପ୍ରାୟ ୫ ମିନିଟ ଧରି ବସିବା ପରେ ପୁଣି ଉଡ଼ିଯାଇଥିଲା । ଶ୍ରୀମନ୍ଦିର ସେବାୟତ, ଭକ୍ତ ଏହାକୁ ଦେଖି ଚକିତ ହୋଇପଡିଥିଲେ। ତେବେ ପତିତପାବନ ବାନା ଉପରେ ଶୁଭ କି ଅଶୁଭ ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିଛି ସେବାୟ ଏହାକୁ ମହାପ୍ରଭୁଙ୍କ ବଡ଼ ସଂକେତ ବୋଲି କହିଛନ୍ତି। 

ଗତ କିଛି ମାସ ତଳେ ଅର୍ଥାତ୍ ଏପ୍ରିଲ୍ ମାସରେ ପୁରୀ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ବିରଳ ଦୃଶ୍ୟ । ଚିଲ ନେଇଯାଇଥିଲା ପତିତପାବନ ବାନା । ଏହି ଦୃଶ୍ୟ ଦେଖି ଭକ୍ତମାନେ କିଛି ସମୟ ପାଇଁ ଚିଲଟିକୁ ଚାହିଁ ରହିଥିଲେ । ତେବେ ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟେକ ଦିନ ବାନା ପରିବର୍ତ୍ତନ କରାଯାଉଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସିଥିବାର ନଜିର ମଧ୍ୟ ଆସିଛି । ଚିଲଟିକୁ ଦେଖି ଏମିତି ଲାଗୁଥିଲା ସତେ ଯେମିତି ସବୁ ଖୁସି ଆଜି ତା'କୁ ମିଳିଯାଇଛି।