ଭୁବନେଶ୍ୱର: ନେତୃତ୍ୱ ପ୍ରସଙ୍ଗ ଭିତରେ ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ। ରାଜ୍ୟ ରାଜନୀତିରେ ବଡ଼ ହଲଚଲ। କୁହାଯାଉଛି ଯେ କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨ ଦିନ ତଳେ ଚର୍ଚ୍ଚା ହେଉଥିଲା। ନେତୃତ୍ୱ ଦେବାକୁ ଦିବ୍ୟଶଙ୍କର ମିଶ୍ର ଓ ଦେବେଶ ଆଚାର୍ଯ୍ୟ ସୁପାରିସ କରିଥିଲେ। ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ର ଉପସ୍ଥିତ ଅଛନ୍ତି।

ନେତୃତ୍ୱ ପ୍ରସଙ୍ଗକୁ ନେଇ ବିଜେଡିରେ ବିବାଦ ଦେଖାଦେଇଥିଲା। ନେତା ହୋଇଥିଲେ ମୁହାମୁହିଁ। ଦିବ୍ୟଶଙ୍କରଙ୍କ ବୟାନ କଲିକେଶ ଫିଟ୍। ସେ ହିଁ ନିଅନ୍ତୁ ରାଜ୍ୟର ନେତୃତ୍ୱ। ସମାନ କଥା କହିଛନ୍ତି ଦେବେଶ। କ୍ୟାପଟେନଙ୍କ ବୟାନକୁ ବରିଷ୍ଠଙ୍କ ବିରୋଧ। କହିଛନ୍ତି- ନବୀନ ପୂରା ଫିଟ୍ ଅଛନ୍ତି। ଉତ୍ତରାଧିକାରୀ କଥା ପ୍ରଶ୍ନ ଉଠୁନି।କିଏ ହେବ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ? ଏହି ପ୍ରଶ୍ନର ଉତ୍ତରକୁ ନେଇ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ଅଡୁଆରେ। କହିଛନ୍ତି କଳିକେଶ ଜଣେ ଡାଇନାମିକ ଲିଡର। ତାଙ୍କୁ ଦାୟିତ୍ୱ ଦେଲେ ଭଲ ହେବ। ତାଙ୍କ ପରିବାରର ରାଜେନ୍ଦ୍ର ନାରାୟଣ ସିଂହଦେଓ ବି ଦିନେ ରାଜ୍ୟ ରାଜନୀତିରେ ନିଜର ପତିଆରା ରଖି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେମିତି ଆଗାମୀ ଦିନରେ ଆମେ କଳିକେଶ ସିଂଦେଓଙ୍କୁ ଲିଡର କରି ଠିଆ କରିବା ଯେମିତି ରାଜ୍ୟ ତାଙ୍କୁ ଗ୍ରହଣ କରିବ। କଳିକେଶଙ୍କ ପାଖେ ଯୋଗ୍ୟତା ଅଛି, ଦକ୍ଷତା ଅଛି।

ଦିବ୍ୟଶଙ୍କରଙ୍କ ପରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଉଠାଇଛନ୍ତି ରାଜ୍ୟ ନେତୃତ୍ୱର କଥା। କେବଳ କଥା ଉଠାଇନାହାଁନ୍ତି ତ କଳିକେଶଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ଦେବେଶ । କହିଛନ୍ତି ଦଳକୁ ସଂଗଠିତ କରିବାକୁ ତାଙ୍କ ଭଳିଆ ନେତା ଆଗକୁ ଆସିବା କଥା। କଳିକେଶ ବାବୁଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି । ସଂସଦକୁ ଯାଇଛନ୍ତି, ୨ ଥର ବିଧାୟକ ହେବାର ଅଭିଜ୍ଞତା ରହିଛି । ତେଣୁ କଳିକେଶଙ୍କୁ ନେଇ ଆମର ଅନେକ ଆଶା ଆକାଂକ୍ଷା ରହିଛି ।

ଏଇଠୁ ଆରମ୍ଭ ବିବାଦ। ଦିବ୍ୟଶଙ୍କରଙ୍କ ବୟାନକୁ ନେଇ ଦଳ ଭିତରେ ଜୋରଦାର ବିରୋଧ। କଳିକେଶଙ୍କୁ ବିଜେଡି ଦାୟିତ୍ୱ ଦେବା ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ ଏହା ସେମାନଙ୍କ ନିଜସ୍ୱ ମତ। କିନ୍ତୁ ନବୀନ ବାବୁ ହେଉଛନ୍ତି ବିଜେଡିର ସର୍ବମାନ୍ୟ ନେତା। ନବୀନ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ଓ ଆକ୍ଟିଭ ଅଛନ୍ତି। ଆଉ ଲଗାତାର ବିଧାୟକମାନଙ୍କ ସହ ବୈଠକ ବି କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ନବୀନ ତ ଫିଟ ଅଛନ୍ତି ତ ପୁଣି ଉତ୍ତରାଧିକାରୀ କଥା କାହିଁକି ଉଠୁଛି ବୋଲି ରୋକଠୋକ କହିଛନ୍ତି ଶାରଦା ।ସେ ଆହୁରି କହିଛନ୍ତି ଯେ କଳିକେଶ ସାଙ୍ଗଠନିକ ଦାୟିତ୍ୱରେ ରହିଛନ୍ତି, ପୁଣି ନେତୃତ୍ୱ କଣ ଦିଆଯିବ। ସେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ । ସେ ରାଜ୍ୟ ଦାୟିତ୍ୱରେ ଅଛନ୍ତି। କିଏ କେଉଁ ପରିପ୍ରେକ୍ଷୀରେ କହିଛି ତାର ତର୍ଜମା କରାଯାଉଛି । ତର୍ଜମା ପରେ ଆକ୍ସନ ନିଆଯିବ କି ଶୃଙ୍ଖଳା କମିଟି ଓ ସଭାପତି ନିଷ୍ପତ୍ତି ନେବେ।