ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବପର, ଏକସଙ୍ଗରେ ଦଶମ ପାସ୍ କଲେ ମା’-ପୁଅ

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ ୧୨।୦୫: କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବପର । କର୍ଣ୍ଣାଟକ ହାସନ୍‌ ଜିଲ୍ଲା ସାକଲେଶପୁର ତାଲୁକାର ଚିନ୍ନାହାଲି ଗାଁର ବାସିନ୍ଦା  ଜ୍ୟୋତି ଟିଆର୍‌ ଏହାର ଉପଯୁକ୍ତ ଉଦାହରଣ । ନିକଟରେ ଜ୍ୟୋତି ପୁଅ ନୀତୀଶ ସିବି ସହିତ ଏକସଙ୍ଗରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ଗୁରୁବାର କର୍ଣ୍ଣାଟକ ସ୍କୁଲ ପରୀକ୍ଷା ଓ ମୂଲ୍ୟାଙ୍କନ ବୋର୍ଡ ପକ୍ଷରୁ ୧୦ମ ଶ୍ରେଣୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିଲା । 

ପ୍ରାୟ ୮ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରେ ଜ୍ୟୋତି ଓ ତାଙ୍କ ପୁଅ ନୀତୀନ ମଧ୍ୟ ସାମିଲ ଥିଲେ । ରିପୋର୍ଟ ଅନୁସାରେ, ଜ୍ୟୋତି ବଲ୍ଲୁପେଟସ୍ଥିତ ବି ସିଦ୍ଦନାୟ ହାଇସ୍କୁଲରେ ଶିକ୍ଷାଗ୍ରହଣ କରୁଥିଲେ । ତାଙ୍କ ପୁଅ  ବଲ୍ଲୁପେଟରେ ଥିବା ବିବେକା କନ୍‌ଭେଣ୍ଟ ସ୍କୁଲରେ ପଢ଼ୁଥିଲେ । ଜ୍ୟୋତି ଦ୍ୱିତୀୟ ଥର ପାଇଁ ଦଶମ ପରୀକ୍ଷା ଦେଇଥିବାବେଳେ ପରୀକ୍ଷାରେ ୨୫୦ ନମ୍ବର ରଖିଛନ୍ତି । ସେହିପରି ନୀତୀନ ୫୮୨ ନମ୍ବର ରଖିବାରେ ସଫଳ ହୋଇଛନ୍ତି ।

 ଜ୍ୟୋତିଙ୍କର ସ୍ୱାମୀ ଭୁବନେଶ ଚିନ୍ନାହାଲି ଗାଁର ଏକ ବେକରି ଦୋକାନ ଚଳାଇଥାନ୍ତି । ସେ ମା’-ପୁଅଙ୍କର ଏହି ସଫଳତାରେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । କହିଛନ୍ତି, ଜ୍ୟୋତିଙ୍କର ପାଠପଢ଼ାରେ ଖୁବ୍‌ ଆଗ୍ରହ ଥିଲା । କିନ୍ତୁ କୌଣସି କାରଣବଶତଃ ସେ ତାଙ୍କର ପାଠପଢ଼ା ଜାରି ରଖିବାରେ ସଫଳ ହୋଇନଥିଲେ । ତେଣୁ ସେ ପୁଣି ଶିକ୍ଷାଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିବାରୁ ଆମେ ତାଙ୍କୁ ଉତ୍ସାହିତ କରିଥିଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.