ନୂଆଦିଲ୍ଲୀ: ୧୩୦ତମ ସମ୍ୱିଧାନ ସଂଶୋଧନ ବିଧେୟକ ଉପରେ ବିଚାର-ବିମର୍ଶ କରିବା ପାଇଁ ସଂଯୁକ୍ତ ସଂସଦୀୟ ସମିତି (ଜେପିସି) ଗଠନ କରାଯାଇଛି । କଂଗ୍ରେସ ଓ ତ୍ରୁଣମୂଳ କଂଗ୍ରେସ ପରି ଅନେକ ବିରୋଧୀ ଦଳ ସମ୍ୱିଧାନ ସଂଶୋଧନ ବିଧେୟକର ଯାଞ୍ଚ ପାଇଁ ଜେପିସିରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ଅନୁସାରେ ସମିତିରେ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଓ ଡିଏମକେ ଏଥିରେ ସାମିଲ ହୋଇନାହାନ୍ତି । ତେବେ ଶରଦ ପାୱାର ଓ ଅସଦୁଦ୍ଦିନ ଓୱେସୀଙ୍କ ପାର୍ଟି ସାମିଲ ଅଛି । 

୩୧ ସଦସ୍ୟ ସମିତିରେ ୨୧ ବିଜେପି ଓ ୧୦ ଜଣ ଏଜିବି, ଏଆଇଏଡିଏମକେ, ଟିଡିପି, ୟୁପିପିଏଲ୍, ବିଜେଡି, ୱାଇଏସଆରସିପି, ଏସଏଡି, ଏନସିପି ଓ ଏଆଇଏମଆଇଏମ୍ ସଦସ୍ୟ ସାମିଲ ଅଛନ୍ତି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କମିଟିର ଅଧ୍ୟକ୍ଷ ହେବେ । ଲୋକସଭାରୁ ରବି ଶଙ୍କର ପ୍ରସାଦ, ଭର୍ତ୍ତୁହରି ମହତାବ, ଅନୁରାଗ ଠାକୁର, ବିଷ୍ଣୁ ଦିନଲ ରାମ, ଡି.କେ.ଅରୁଣା, ପୁରୁଷୋତ୍ତମ ରୁପାଲା, ସୁପ୍ରିୟା ସୁଲେ, ଅସାଦୁଦ୍ଦିନ ଓୱେସି, ଏବଂ ହର୍ଷସିମରତ କୌର ବାଦଲଙ୍କ ନାଁ ରହିଛି । ରାଜ୍ୟସଭାରୁ ବ୍ରିଜଲାଲ, ଉଜ୍ୱଲ ନିକମ, ନୱାମ ରେବିୟା, ନୀରଜ ଶେଖର, ମନନ କୁମାର ମିଶ୍ର, ଡକ୍ଟର କେ.ଲକ୍ଷ୍ମଣ ଏବଂ ଲେଖିକା ସୁଧା ମୁର୍ତ୍ତୀ ଅଛନ୍ତି । ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ସଙ୍ଗୀନ ମାମଲାରେ ଲଗାତାର ୩୦ ଦିନ ଯାଏ ଗିରଫ ହୋଇ ଜେଲରେ ରହିଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସେମାନଙ୍କ ପଦରୁ ହଟାଯିବ ।

ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର କହିଥିଲେ ଯେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ବିଚାର କରିବା ପାଇଁ ଗଠିତ ହେବାକୁ ଥିବା ଜେପିସିରେ ସମସ୍ତ ଦଳର ପ୍ରତିନିଧିତ୍ୱ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି । ବାଚସ୍ପତି କହିଥିଲେ ଯେ ସଂସଦୀୟ କମିଟିଗୁଡ଼ିକୁ ରାଜନୀତିର ଚଷମାରେ ଦେଖାଯିବା ଉଚିତ୍ ନୁହେଁ, କାରଣ ଏହି କମିଟିଗୁଡ଼ିକ ରାଜନୈତିକ ସୀମା ଉର୍ଦ୍ଧ୍ୱରେ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ସମ୍ବିଧାନ ସଂଶୋଧନ ବିଲ୍ ଏବଂ ଅନ୍ୟ ଦୁଇଟି ପ୍ରସ୍ତାବିତ ବିଲ୍ ଅଗଷ୍ଟ ୨୦ରେ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଆଗତ କରାଯାଇଥିଲା ।

ବିରୋଧୀ ନେତାମାନେ ଯୁକ୍ତି ଦେଉଛନ୍ତି ଯେ ଏହି ବିଲ୍ ଆଇନର ମୌଳିକ ନୀତିକୁ ଉଲ୍ଲଂଘନ କରୁଛି । ଦୋଷୀ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ ବୋଲି ଧରାଯାଏ। ଗୁରୁତର ଅପରାଧିକ ମାମଲାରେ ଗିରଫ ହେବାର ଗୋଟିଏ ମାସ ମଧ୍ୟରେ ଜାମିନ ନ ପାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଏହି ବିଲ୍ ଆପେ ଆପେ ବରଖାସ୍ତ କରିବ ।