ମୁଙ୍ଗେର ୫।୧୧: ବିହାର ବିଧାନସଭା ନିର୍ବାଚନ କାଳରେ ମୁଙ୍ଗେର ସିଟ୍ ରେ ଭୋଟଗ୍ରହଣର ଠିକ୍ ପୂର୍ବରୁ ଏକ ବଡ଼ ରାଜନୈତିକ ଓଲଟପାଲଟ ହୋଇଯାଇଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମର୍ଥିତ ‘ଜନ ସୁରାଜ’ ଅଭିଯାନର ପ୍ରାର୍ଥୀ ସଞ୍ଜୟ ସିଂହ ବୁଧବାର ଅଚାନ ବିଜେପି (ଏନଡିଏ)ରେ ଯୋଗ ଦେଇଛନ୍ତି। ଭୋଟ ଗ୍ରହଣ ପାଇଁ ଦିନକରୁ ବି କମ ସମୟ ବାକି ଥିବା ବେଳେ ସଞ୍ଜୟ ସିଂହଙ୍କ ଏହି ପଦକ୍ଷେପ ମୁଙ୍ଗେର ଆସନରେ ବିଜେପିର ନିର୍ବାଚନ ସମ୍ଭାବନା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପାଲଟିଛି।

ସୂଚନା ଅନୁସାରେ ଜନସୁରାଜ ପ୍ରାର୍ଥୀ ସଞ୍ଜୟ ସିଂହ ବିଜେପି ପ୍ରାର୍ଥୀ କୁମାର ପ୍ରଣୟଙ୍କ ଉପସ୍ଥିତିରେ ବିଜେପିରେ ନିଜର ସମର୍ଥକଙ୍କ ସହ ଯୋଗ ଦେଇଛନ୍ତି। ଏହି ପଦକ୍ଷେପ ପରେ ସେ ସାର୍ବଜନିକ ଭାବେ ବିଜେପି ପ୍ରାର୍ଥୀଙ୍କ ପକ୍ଷରେ ଆସିଥିବାର ମଧ୍ୟ ଘୋଷଣା କରିଛନ୍ତି। ମୁଙ୍ଗେର ବିଧାନସଭା ନିର୍ବାଚନମଣ୍ଡଳିରେ ହୋଇଥିବା ଏହି ରାଜନୈତିକ ଓଲଟପାଲଟ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଜନସୁରାଜ ପ୍ରାର୍ଥୀ ନିର୍ବାଚନରେ ବିଜେପିର ବିଜୟ ପଥକୁ ଉନ୍ମୁକ୍ତ କରୁ ନାହାନ୍ତିତ ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି।

ତେବେ ଜନସୁରାଜ ପ୍ରାର୍ଥୀ ସଞ୍ଜୟ ସିଂହ କହିଛନ୍ତି ଯେ ସେ ବିକାଶ ଓ ରାଜ୍ୟରେ ସ୍ଥିର ସରକାର ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ଏହା ଛଡା ସେ ବିଜେପି ନୀତି ଦ୍ୱାରା ପ୍ରଭାବିତ ଥିବା କଥା ମଧ୍ୟ ସେ କହିଛନ୍ତି। ଏଣୁ ସେ ଅଞ୍ଚଳର ବିକାଶ ନିମନ୍ତେ ଏନଡିଏ ମେଣ୍ଟ ସହିତ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ନିର୍ବାଚନ ବିଶ୍ଲଷେକଙ୍କ ଅନୁସାରେ ସଞ୍ଜୟ ସିଂହଙ୍କ ଏହି ପଦକ୍ଷେପ ଯୋଗୁ ଜନସୁରାଜକୁ ସମର୍ଥନ କରୁଥିବା ଭୋଟ ବ୍ୟାଙ୍କ ଏଠାରେ ବିଜେପି ପ୍ରାର୍ଥୀ କୁମାର ପ୍ରଣୟଙ୍କ ପଟକୁ ଢଳି ଯାଇ ପାରନ୍ତି। ଏଣୁ ଏଠାରେ ନିର୍ବାଚନର ଫଳାଫଳ ବିଜେପି ସପକ୍ଷରେ ଯାଇ ପାରେ। ଅନ୍ୟ ପଟେ ରାଜ୍ୟରେ ନିର୍ବାଚନ ପୂର୍ବରୁ ଜନ ସୁରାଜର ହାର ହୋଇଥିବା ଲୋକେ କହୁଛନ୍ତି।   

ନଭେମ୍ବର ୬ରେ ବିହାରରେ ପ୍ରଥମ ପର୍ଯ୍ୟୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ୧୨୧ଟି ଆସନରେ ହେବାକୁ ଥିବା ଭୋଟ ଗ୍ରହଣରେ ୧୩୧୪ ପ୍ରାର୍ଥୀ ଭାଗ୍ୟ ଗୁରୁବାର ଇଭିଏମରେ ବନ୍ଦ ହେବ। ଏଥି ମଧ୍ୟରେ ବିଜେପିକୁ ବୁଧବାର ଏକ ବଡ଼ ଝଟକା ମଧ୍ୟ ଲାଗିଛି। ଭାଗଲପୁର  ପିରପେନ୍ତୀରୁ ବିଜେପି ବିଧାୟକ ଲଲନ ପାସୱାନ ଆରଜେଡିରେ ଯୋଗ ଦେଇଛନ୍ତି। ରାଜଧାନୀ ପାଟନାରେ ରାବଡୀ ଦେବୀ ଓ ତେଜସ୍ୱୀ ଯାଦବ ତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। କୁହାଯାଉଛି ଲଲନ ପାସୱାନ ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ଥିଲେ ଓ ସେ ପାର୍ଟିରୁ ଇସ୍ତଫା ଦେଇଦେଇଥିଲେ। ସେ ବୁଧବାର ରାବଡୀ ଦେବୀ ଓ ତେଜସ୍ୱୀଙ୍କ ଉପସ୍ଥିତିରେ ଆରଜେଡିରେ ଯୋଗ ଦେଇଛନ୍ତି। ​​​​​​​