ବାଇଡେନ୍‌ଙ୍କ ଜେନୋଫୋବିକ ମନ୍ତବ୍ୟରେ ଜୟଶଙ୍କର ପାଲଟା ଜବାବ: ବିଭିଧତା ପାଇଁ ଭାରତ ସବୁବେଳେ ଖୋଲା

Published By : Prameya-News7 Bureau | May 04, 2024 IST

indiatoday

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଜେନୋଫୋବିକ(ଶରଣାର୍ଥୀଙ୍କ ପ୍ରତି ଘୃଣା ଭୟ ଓ ବିଦ୍ୱେଶ ଭାବ ରଖିବା) ମନ୍ତବ୍ୟକୁ ଶନିବାର ଖଣ୍ଡନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଇକୋନୋମିକ୍ସ ଟାଇମ୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୟଶଙ୍କର କହିଛନ୍ତି ଯେ ବିବିଧ ସମାଜରୁ ଆସୁଥିବା ଲୋକଙ୍କ ପାଇଁ ଭାରତ ସବୁବେଳେ ଖୋଲା ଓ ସ୍ୱାଗତକାରୀ ହୋଇ ରହିଛି। 

ନିଜ ତର୍କରେ ସିଏଏର ଉଦାହରଣ ଦେଇ ଜୟଶଙ୍କର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏହି ଆଇନ୍‌ ସମସ୍ୟାରେ ଫସିଥିବା ଲୋକଙ୍କୁ ସୁଯୋଗ ଦେବାକୁ ହୋଇଛି। ସିଏଏର ତାରିଫ କରି ଜୟଶଙ୍କର କହିଛନ୍ତି- “ଏଥିପାଇଁ ଆମ ପାଖରେ ସିଏଏ ଅଛି। ସମସ୍ୟାରେ ଥିବା ଲୋକମାନଙ୍କ ପାଇଁ ଏହାର ଦ୍ୱାର ଖୋଲା ରଖିଛି। ମୁଁ ଭାବୁଛି ଯେଉଁମାନଙ୍କର ଭାରତ ଆସିବା ଆବଶ୍ୟକ ଓ ଭାରତ ଆସିବା ପାଇଁ ଦାବି କରୁଛନ୍ତି ସେମାନଙ୍କ ପାଇଁ ଦ୍ୱାର ଖୋଲିବା ଦରକାର।” 

ଅର୍ଥନୀତି ବାଧାପ୍ରାପ୍ତ ହେବା ଟିପ୍ପଣୀ ଉପରେ ଜୟଶଙ୍କର କହିଛନ୍ତି ଭାରତୀୟ ଅର୍ଥନୀତି ଟଳମଳ ହେଉ ନାହିଁ। ଭାରତ ସବୁବେଳେ ଏକ ସ୍ୱତନ୍ତ୍ର ଦେଶ ହୋଇ ରହିଛି। ବରଂ ମୁଁ କହିବି ଯେ ବିଶ୍ୱ ଇତିହାସରେ ଏହା ଏମିତି ଏକ ସମାଜ ଯାହା ସମସ୍ତଙ୍କ ପାଇଁ ଖୋଲା। ଭିନ୍ନ ଭିନ୍ନ ସମାଜର ଲୋକ ଭାରତକୁ ଆସିଛନ୍ତି। 
ଏଥିସହିତ ଯେଉଁମାନେ ସିଏଏକୁ ସମାଲୋଚନା କରିଛନ୍ତି ତାଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଜୟଶଙ୍କର। ସେ କହିଛନ୍ତି ଯେ ଯେଉଁମାନେ ସର୍ବସାଧାରଣରେ କହୁଛନ୍ତି ଯେ ସିଏଏ ପାଇଁ ୧୦ ଲକ୍ଷ ମୁସ୍‌ଲିମଙ୍କର ନାଗରିକତା ଚାଲିଯିବ, ସେମାନେ ଥରେ ଏହାର ହିସାବ ଦେବା ଦରକାର। ସିଏଏ ପାଇଁ କାହାର ବି ନାଗରିକତା ଯିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି। 

ନିକଟରେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ଼ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବାଇଡେନ୍ ଭାରତ, ଜାପାନ, ଚୀନ ଓ ଋଷକୁ ଜେନୋଫୋବିକ୍ ବୋଲି କହିଥିଲେ। ଶରଣାର୍ଥୀଙ୍କ ପ୍ରତି ଥିବା ଘୃଣା ଭୟ ଓ ବିଦ୍ୱେଶ ଥିବାରୁ ଏମାନେ ସେମାନଙ୍କୁ ଦେଶରେ ସ୍ଥାନ ଦେଉ ନାହାନ୍ତି। ଏଥିପାଇଁ ସେମାନଙ୍କ ଅର୍ଥନୀତିରେ ବୃଦ୍ଧି ହେଉ ନାହିଁ। ହେଲେ ଆମେରିକା ଶରଣାର୍ଥୀଙ୍କୁ ସ୍ଥାନ ଦେବାରୁ ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହୋଇଛି ବୋଲି ବାଇଡେନ୍ କହିଥିଲେ। 

ବ୍ୟବସାୟୀକ ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେଇ ବାଇଡେନ୍ ଚର୍ଚ୍ଚାର ପରିସରକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ପକ୍ଷରୁ ପେଚ୍ ପକାଇବାକୁ ଚେଷ୍ଟା କରାଯାଇଥିଲା। ଶୁକ୍ରବାର ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରି ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଥିଲା। ଯେଉଁଥିରେ ହ୍ୱାଟ୍ ହାଉସ୍ ପ୍ରେସ୍ ପ୍ରବକ୍ତା ପିଏରେ କହିଥିଲେ ଯେ ବାଇଡେନ୍ ଏକ ବ୍ୟପାକ ଦିଗକୁ ବିଚାର କରି ଏପରି କହିଥିଲେ। ନହେଲେ ଆମ ସହଯୋଗୀରାଷ୍ଟ୍ରମାନ ବି ଜାଣନ୍ତି ଯେ ବାଇଡେନ୍ ସେମାନଙ୍କୁ କେତେ ସମ୍ମାନ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.