ସତ୍ୟବାଦୀରେ ପାଣ୍ଡିଆନଙ୍କ ପ୍ରଚାର, ‘ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ କଲେ ଅପିଲ

Published By : Prameya-News7 Bureau | May 18, 2024 IST

ଭୁବନେଶ୍ବର ୧୮।୫: ସତ୍ୟବାଦୀରେ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧୁବାବୁ ଭତ୍ତାକୁ ୫୦୦ରୁ ୧୦୦୦ ଟଙ୍କା, ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ 5T ସ୍କୁଲ ରୂପାନ୍ତରଣ ଇତ୍ୟାଦି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ କରିଛନ୍ତି । ବିଜେପି କହୁଛି ଜୁନ ୧୦ରେ ସରକାର ଗଢ଼ିବ । ଆପଣମାନଙ୍କ ଆଶୀର୍ବାଦରେ ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସରକାର ଗଢ଼ିବେ । ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ପ୍ରାୟ ଶତ ପ୍ରତିଶତ ପରିବାର ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନଶକ୍ତି କର୍ମୀ ଓ ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ୍‍ ବ୍ୟବସ୍ଥା, ଏହା ସେମାନଙ୍କର ବହୁ ଦିନର ଦାବୀ ଥିଲା । 

ବିଜେପି ଆସିଲେ କହୁଛି, ମିଶନ ଶକ୍ତିକୁ ବନ୍ଦ କରିବ, ବନ୍ଦ କରିବା କି ? ଆପଣମାନେ ଭୋଟରେ ଏହାର ଉତ୍ତର ଦେବେ । କହୁଛି ବି.ଏସ୍‍.କେ.ୱାଇକୁ ବନ୍ଦ କରିଦେବ, ଆପଣମାନେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବେ, ତାଙ୍କୁ କଡ଼ା ଜବାବ ମିଳିବ । ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ଲୋକଙ୍କୁ ବିଜେପି ଦଳ । ଆପଣମାନେ ଏମିତି ଲୋକଙ୍କୁ ଚିହ୍ନିକି ରଖନ୍ତୁ । 

ବିଧାୟକ ପ୍ରାର୍ଥୀ ସଞ୍ଜୟବାବୁ ଜାଣିଛନ୍ତି ସରକାରଙ୍କ ଠାରୁ କିପରି କାମ ଆଦାୟ କରିବାର ଅଛି, ସେ ଆଶୀର୍ବାଦ ପାଇଲେ ଅଞ୍ଚଳର ବିକାଶ ଡବଲ ସ୍ପିଡରେ ଆଗେଇବ । ସାଂସଦ ପ୍ରାର୍ଥୀ ଅରୂପ ବାବୁ ବମ୍ୱେରେ ଓଡ଼ିଶାର କ୍ୟାନସର ରୋଗୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେବା ଓ ସାହାଯ୍ୟ ଯୋଗାଇ ଦେଇଥାନ୍ତି ।

You Can Read :

ବ୍ରହ୍ମଗିରିରେ ପାଣ୍ଡିଆନ୍‌ଙ୍କ ପ୍ରଚାର, କହିଲେ- ବିରୋଧୀ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି...

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.