୧୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି; ଦିଲ୍ଲୀରେ ପାରଦ ୪୭ ଡିଗ୍ରୀ ପାର୍

Published By : Prameya-News7 Bureau | May 18, 2024 IST

ଦିଲ୍ଲୀ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ୧୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି । ଦିଲ୍ଲୀରେ ପାରା ୪୭ ଡିଗ୍ରୀ ପାର୍ । ୫ ଦିନ ପାଇଁ ଲୁ’ ସତର୍କତା । ଗରମ ଚାଦର ତଳେ ଉତ୍ତର-ପଶ୍ଚିମ ଭାରତ । ତତଲା କଢ଼େଇରେ ଭାଜି ହେଉଛି ଦିଲ୍ଲୀ-ନୋଏଡା ସମେତ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ । ଆକାଶରୁ ନିଆଁ ବର୍ଷା ହେଉଥିବା ବେଳେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ । ରାଷ୍ଟ୍ରୀୟ ରାଜଧାନୀରେ ଘରୁ ବାହାରିବା ମୁସ୍କିଲ୍ ହୋଇଗଲାଣି । ମେ’୧୭ ତାରିଖରେ ୧୪ ବର୍ଷର ରେକର୍ଡ ଭଙ୍ଗିଛି ତାପମାତ୍ରା । ନଜଫଗଡ଼ରେ ପାରଦ ୪୭ ଡିଗ୍ରୀ ପାର୍ କରିଛି । ଶୁକ୍ରବାର ସର୍ବାଧିକ ତାପମାତ୍ରା ୪୭.୪ ଡିଗ୍ରୀ ରହିଥିଲା । ହରିୟାଣାରେ ତାତିର ପ୍ରକୋପ ୪୭.୧ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା । ରାଜସ୍ଥାନର ୧୯ଟି ସ୍ଥାନରେ, ହରିୟାଣାର ୧୮ଟି, ଦିଲ୍ଲୀର ୮ ଏବଂ ପଞ୍ଜାବର ଦୁଇଟି ସ୍ଥାନରେ ୪୫ ଡିଗ୍ରୀ ପାର୍ କରିଛି । ଆସନ୍ତା ୫ଦିନ ଯାଏ ଗରମରୁ ନିସ୍ତାର ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପଶ୍ଚିମ ଭାରତର ସମତଳ ଅଞ୍ଚଳ ଏବଂ ପୂର୍ବ ଏବଂ ମଧ୍ୟ-ଭାରତରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ପାଞ୍ଚ ଦିନ ଲୁ’ ସତର୍କତା ଜାରି ହୋଇଛି । ରାଜସ୍ଥାନରେ ଆଂଶୁଘାତ ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ୧୮ ତାରିଖ ପାଇଁ ହରିୟାଣା, ପଞ୍ଜାବ, ପୂର୍ବ- ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଗୁଜରାଟରେ ହିଟ୍‌ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ବିପରୀତ ପାର୍ଶ୍ବ ତଥା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ମେ’ ୨୩ ତାରିଖ ପର୍ଯ୍ୟନ୍ତ କାଳବୈଶଖୀ ଆଶଙ୍କା ରହିଛି । ଭୀଷଣ ଝଡ଼ ତୋଫାନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । 


ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଜରୁରୀ କାମ ନଥିଲେ ଘରୁ ବାହାରିକୁ ବାରଣ କରାଯାଇଛି । ସିଧାସଳଖ ସୂର୍ଯ୍ୟ ଆଲୋକକୁ ନବାହାରିବାକୁ କୁହାଯାଇଛି । ଅଂଶୁଘାତ ନେଇ ସତର୍କ ରହିବା ସହିତ ହସ୍ପିଟାଲ ଗୁଡ଼ିକରେ ସ୍ବତନ୍ତ୍ର ଅଂଶୁଘାତ ଓ୍ବାର୍ଡ ଖୋଲିବାକୁ କୁହାଯାଇଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ।   

  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.