ନୂଆଦିଲ୍ଲୀ – ସୋମବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ସ୍ତୁଙ୍ଗ ଜିଲ୍ଲାର ଦସ୍ତ ଅଞ୍ଚଳରେ ,ଜାଫର ଏକ୍ସପ୍ରେସରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଟ୍ରେନଟି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା ଏବଂ ଯାତ୍ରୀମାନେ ଭୟଭୀତ ହୋଇ ଏପଟସେପଟ ଦୌଡ଼ି ପଳାଇ ଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନୀ ସେନାର ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା।

ଟ୍ରେନଟି ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ଏହି ଭୟଙ୍କର ବିସ୍ପୋରଣ ଘଟି ଥିଲା। ଦୁର୍ଘଟଣାର ଫଟୋ ଓ ଭିଡ଼ିଓରୁ ସ୍ପଷ୍ଟ ଭାବେ ନଜର ଆସୁଛି ଯେ, ଜାଫର ଏକ୍ସପ୍ରେସର ଗୋଟିଏ ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ଲାଇନ‌ଚ୍ୟୁତ ହୋଇଛି। ମହିଳା ଏବଂ ପିଲାମାନେ ବଗି ଭିତରେ ଫସି ରହିଥିଲେ, ଏବଂ ସ୍ଥାନୀୟ ଲୋକ  ଓ ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ।

ଲକ୍ଷ୍ୟ କରିବା କଥା ଏହା ଯେ, ଆଜି କିଛି ଘଣ୍ଟା ପୂର୍ବରୁ, ସେହି ଅଞ୍ଚଳ ଅଞ୍ଚଳରେ ରେଲୱେ ଟ୍ରାକ୍‌କୁ କ୍ଲିୟରାନ୍ସ କରୁଥିବା ପାକିସ୍ତାନୀ ଫୋର୍ସକୁ ମଧ୍ୟ ଏକ ବିସ୍ଫୋରଣର ଶିକାର କରାଯାଇ ଥିଲା। ଅର୍ଥାତ୍‌ ଏହା ସେହି ଅଞ୍ଚଳରେ ଗୋଟିଏ ଦିନରେ ଦ୍ୱିତୀୟ ଘଟଣା ଘଟିଛି। ପ୍ରଥମେ ସୁରକ୍ଷା ବାହିନୀକୁ ଟାର୍ଗେଟ କରାଯାଇଥିଲା, ଏବଂ ଏବେ ଏକ ଯାତ୍ରୀବାହୀ ଟ୍ରେନକୁ ଟାର୍ଗେଟ କରା ଯାଇଛି।

କୁହାଯାଉଛି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ , ଏହା ଏକ ଟ୍ରେନ ବଗିକୁ ଓଲଟାଇ ଦେଇଥିଲା ଏବଂ ଅନେକ ବଗି ଲାଇନଚ୍ୟୁତ ହୋଇ ଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ  ଦେଖି ପାରିବେ ଯେ, ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। ଘଟଣା ସ୍ଥଳରେ ସୁରକ୍ଷା ବାହିନୀ ଟିମ୍‌ ମଧ୍ୟ ଉପସ୍ଥିତ ଅଛି।