ନୂଆଦିଲ୍ଲୀ: ଫୁଟବଲ୍ ଜଗତ ପାଇଁ ଏକ ଦୁଃଖ ଖବର। ଇଟାଲୀର ବିଶ୍ୱକପ୍ ବିଜେତା ତଥା ଏସି ମିଲାନ୍ (AC Milan) କ୍ଲବ୍‌ର ମହାନ ଖେଳାଳି (Defender) ଫ୍ରାଙ୍କୋ ବାରେସିଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ନିଜର କ୍ୟାରିୟର୍ ଏସି ମିଲାନ୍ ପାଇଁ ସମର୍ପିତ କରିଥିବା ଏହି ମହାନ ଅଧିନାୟକଙ୍କ ବିୟୋଗ ନେଇ ଇଟାଲୀୟ କ୍ଲବ୍ ସୋସିଆଲ୍ ମିଡିଆ ଏକ୍ସ (X) ରେ ଆନୁଷ୍ଠାନିକ ଭାବେ ସୂଚନା ଦେଇଛି।

 ଇଟାଲୀର ଅନ୍ୟତମ ପ୍ରସିଦ୍ଧ କ୍ଲବ୍ ଏସି ମିଲାନ୍ ନିଜର ଆଫିସିଆଲ୍ ବାର୍ତ୍ତାରେ ଗଭୀର ଶୋକ ପ୍ରକାଶ କରି ଲେଖିଛି, ‘ଫ୍ରାଙ୍କୋ ବାରେସିଙ୍କ ନିଧନରେ ଏସି ମିଲାନ୍‌ର ସମ୍ପୂର୍ଣ୍ଣ ଇତିହାସ ଆଜି ଅସମ୍ପୂର୍ଣ୍ଣ। ତାଙ୍କର ଆଦର୍ଶ, ନିଷ୍ଠା ଓ ସଦାଚାର କ୍ଲବ୍‌ର ଡିଏନ୍‌ଏ (DNA) ରେ ସଦାସର୍ବଦା ଜୀବନ୍ତ ରହିବ, ଯେପରି ତାଙ୍କର ଐତିହାସିକ ୬ ନମ୍ବର ଜର୍ସି ସଦା ଅମର। ଏହି କଠିନ ସମୟରେ ବାରେସିଙ୍କ ପରିବାର ପ୍ରତି ଏସି ମିଲାନ୍ ସମବେଦନା ଜଣାଉଛି।’ 

ଏସି ମିଲାନ୍‌ର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ କ୍ଲବ୍ ଇଣ୍ଟର ମିଲାନ୍ ମଧ୍ୟ ବାରେସିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଇଣ୍ଟର ମିଲାନ୍ ପକ୍ଷରୁ କୁହାଯାଇଛି ଯେ, ବାରେସି ଦୁଇ କ୍ଲବ୍ ମଧ୍ୟରେ ଥିବା ସୁଦୀର୍ଘ ପ୍ରତିଦ୍ୱନ୍ଦ୍ୱିତାର ଅନ୍ୟତମ ମୁଖ୍ୟ ପ୍ରତୀକ ଥିଲେ। ସେ ସଦାସର୍ବଦା "ପ୍ରତିଯୋଗିତା ଏବଂ ସମ୍ମାନର ସୀମାରେଖାକୁ ବଜାୟ ରଖି ଖେଳୁଥିଲେ"।

୧୯୭୭ ରୁ ୧୯୯୭ ପର୍ଯ୍ୟନ୍ତ ବାରେସି ପ୍ରାୟ ଦୁଇ ଦଶନ୍ଧି ଧରି ଏସି ମିଲାନ୍ ପାଇଁ ୭୧୯ଟି ମ୍ୟାଚ୍ ଖେଳିଥିଲେ। ୧୯୮୨ ମସିହାରେ ଇଟାଲୀ ଜାତୀୟ ଦଳ ସହ ସେ ଫିଫା ବିଶ୍ୱକପ୍ ଟ୍ରଫି ଜିତିଥିଲେ ଏବଂ ୧୯୯୪ ବିଶ୍ୱକପ୍‌ରେ ଅଧିନାୟକ ଭାବରେ ଇଟାଲୀକୁ ଫାଇନାଲକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।