LIVE TV

NDA ହେଉ କି INDIA ବିହାରରେ ଏବେ ସବୁ ପାଟିରେ ଅସନ୍ତୋଷ, ଟିକେଟ୍ କଟିବା ପରେ ବିଦ୍ରୋହୀ ହେଲେ ନେତା

NEWS7
Bihar assembly election

ପାଟନା ୧୬।୧୦:  ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ବଣ୍ଟା ସରିଲାଣି। ଏଥିରେ ଅନେକ ପ୍ରାର୍ଥୀଙ୍କ ଟିକେଟ୍ କଟିଛି। ଏଣୁ ସବୁ ଦଳରେ ଏବେ ଅସନ୍ତୋଷ। ନେତାଙ୍କ ଟିକେଟ କଟିବା ପରେ ସେମାନେ ବିଦ୍ରୋହୀ ହୋଇଉଠିଛନ୍ତି। ସ୍ୱାଧୀନ ନିର୍ବାଚନ ଲଢିବା ପାଇଁ ମନ ଟାଣ କରିଥିବା ବେଳେ କେତେକ ନେତା ପ୍ରାର୍ଥୀ ପତ୍ର ମଧ୍ୟ ଦାଖଲ କରିସାରିଲେଣି। ଯାହା ଏବେ ପାର୍ଟି ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତ ଶାଶ୍ୱତ ଚୌବେ ଓ ବରିଷ୍ଠ ନେତା ପ୍ରାଶାନ୍ତ ବିକ୍ରମ ଦଳୀୟ ଟିକେଟ ନ ପାଇ ଏବେ ବିଦ୍ରୋହର ରାସ୍ତା ଆପଣେଇଛନ୍ତି। ଏଥିରେ ଅଲିନଗରରେ ବିଜେପି ପ୍ରାର୍ଥୀ ମୈଥିଲୀ ଠାକୁରଙ୍କୁ ମଧ୍ୟ ଦଳରେ ବିରୋଧ କରାଯାଉଛି। ଭାଗଲପୁରର ଗୋପାଳ ପୁରରୁ ବିଧାୟକ ଗୋପାଲ ମଣ୍ଡଳଙ୍କ ଟିକେଟ କଟିବାରୁ ସେ ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି। ସେପଟେ ଜେଡିୟୁର ଶ୍ୟାମ ବାହାଦୂର ବଡ଼ହରିୟା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ରୂପେ ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି।

ଔରାଇରେ ବିଜେପିର ପୂର୍ବତନ ବିଧାୟକ ଟିକେଟ୍ କଟିବାରୁ ତାଙ୍କ ସମର୍ଥକମାନେ ପାର୍ଟି ଅଫିସରେ ପୋଷାକ ଖୋଲି ଧାରଣା ଦେଇଛନ୍ତି। ମୁଜଫରପୁର ସହରର ପୂର୍ବତନ ମନ୍ତ୍ରୀ ସୁରେଶ ଶର୍ମାଙ୍କ ଟିକେଟ୍ କଟିବାରୁ ସେ ବି ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଛପରାରେ ମଧ୍ୟ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖାଯାଉଛି। ସହରର ପୂର୍ବତନ ମେୟର ରାଖୀ ଗୁପ୍ତା  ବିଜେପିରୁ ଟିକେଟ ନ ମିଳିବାରୁ ସ୍ୱାଧୀନ ନିର୍ବାଚନ ଲଢିବାକୁ ଘୋଷଣା କଲେଣି। ଇତି ମଧ୍ୟରେ ସେ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିଥିବା ସୂଚନା ଆସୁଛି।

ଗୋପାଳଗଞ୍ଜରେ ବିଜେପି ପ୍ରାର୍ଥୀ ବଦଳେଇଛି। ବିଧାୟକ କୁସୁମ ଦେବୀଙ୍କ ଟିକେଟ କାଟି ସୁଭାଷ ସିଂହଙ୍କୁ ପ୍ରାର୍ଥୀ କରିଛି। ଏଣୁ କୁସୁମ ମଧ୍ୟ ସ୍ୱାଧୀନ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେହିପରି ବରୌଲୀରେ ବିଜେପି ନେତା ତଥା ବର୍ତ୍ତମାନର ବିଧାୟକ ରାମପ୍ରବେଶ ରାୟଙ୍କ ଟିକେଟ କଟିବାରୁ ସେ ମଧ୍ୟ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ସେହିପରି ବାଙ୍କା ଲୋକସଭା ଆସନରେ ବାଙ୍କାରୁ ବିଜେପି ଉପାଧ୍ୟକ୍ଷା ପୁତୁଲ କୁମାରୀ ପାର୍ଟିରେ ବିଦ୍ରୋହ କରି ସ୍ୱାଧୀନ ନିର୍ବାଚନ ଲଢିବାକୁ ପ୍ରାର୍ଥୀପତ୍ର ଦାଖଲ କରିଦେଇଛନ୍ତି। ଏଣୁ ତାଙ୍କୁ ପାର୍ଟିରୁ ୬ ବର୍ଷ ନିମନ୍ତେ ନିଲମ୍ବନ କରାଯାଇଛି।  

ପୁତୁଲ କୁମାରୀ ନିର୍ବାଚନରେ ପ୍ରାର୍ଥୀ ହେବା ସେହି ଆସନରେ ଜେଡିୟୁ ପ୍ରାର୍ଥୀଙ୍କ ନିମନ୍ତେ ସମସ୍ୟା ପାଲଟିଛି। ବିହାର ମହାରାଜଗଞ୍ଜରେ ବିଜେପି ଏମଏଲସି ସଚ୍ଚିଦାନନ୍ଦ ରାୟ ଖୋଲାଖୋଲି ବିଜେପି ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି। ସେ ମହାରାଜଗଞ୍ଜରୁ ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି। ଦିନାରାରୁ ଟିକେଟ କଟିବାରୁ ପୂର୍ବତନ ମନ୍ତ୍ରୀ ତଥା ଜେଡିୟୁ ନେତା ଜୟକୁମାର ସିଂହ ପାର୍ଟିରୁ ଇସ୍ତଫା ଦେଇ ସ୍ୱାଧୀନ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି।