Ishan Kishan RBI Job Salary: ଭାରତୀୟ କ୍ରିକେଟ ଦଳର ୱିକେଟକିପର-ବ୍ୟାଟର ଇଶାନ କିଶନଙ୍କର ଗୋଟେ ସ୍ପେଶାଲ୍ ଫଟୋ ଏବେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଇ-କାର୍ଡ ପକାଇ ବ୍ୟଙ୍କ ଷ୍ଟାଫ୍ମାନଙ୍କ ସହ ଫଟୋ ଉଠାଇଛନ୍ତି। ଯାହାକୁ ନେଇ ତାଙ୍କର ଆର୍ବିଆଇ ଚାକିରି କଥା ଖୁବ୍ ଚର୍ଚ୍ଚା ହେଉଛି । ଲୋକେ କହୁଛନ୍ତି ଇଶାନ କିଶନ କ୍ରିକେଟ ଖେଳିବା ସହ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରୁଛନ୍ତି। ଏହି ଭାଇରାଲ ଫଟୋ ପଛର ସତ କଥାଟା କଣ ପଢ଼ନ୍ତୁ।

RBIରେ ଚାକିରି କରିଛନ୍ତି ଇଶାନ କିଶନ?

ଫାଇନାନ୍ସିଆଲ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇଶାନ କିଶନ ୨୦୧୭ ମସିହାରୁ ଆର୍ବିଆଇରେ ସ୍ପୋର୍ଟ୍ସ କୋଟାରେ ଚାକିରି କରିଛନ୍ତି। ତାଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ନିଯୁକ୍ତି ମିଳିଛି। ଏହି ବ୍ୟବସ୍ଥା ଅଧୀନରେ ଉଲ୍ଲେଖନୀୟ କ୍ରୀଡ଼ାବିତ୍ମାନଙ୍କୁ ସଂସ୍ଥା ପକ୍ଷରୁ ଚାକିରି ଦିଆଯାଇଥାଏ, ଯାହାଦ୍ୱାରା ସେମାନେ ନିଜର କ୍ରୀଡ଼ାଜୀବନ ଜାରି ରଖିବା ସହ ସଂସ୍ଥାକୁ ମଧ୍ୟ ପ୍ରତିନିଧିତ୍ୱ କରିପାରନ୍ତି।

ଭାଇରାଲ ହୋଇଥିବା ଫଟୋଗୁଡ଼ିକ RBIର ପାଟନା କାର୍ଯ୍ୟାଳୟରେ ଉଠାଯାଇଥିବା କୁହାଯାଉଛି। ଏହାପରେ ଆର୍ବିଆଇ କିପରି କ୍ରୀଡ଼ାବିତ୍ମାନଙ୍କୁ ନିଯୁକ୍ତି ଦିଏ ଏବଂ ଏପରି ପଦବୀର ଦାୟିତ୍ୱ କ'ଣ ରହିଥାଏ? ଆଦି ଏସବୁ ଘଟଣା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ତେବେ ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା।

୨୦୧୭ରେ ସ୍ପୋର୍ଟ୍ସ କୋଟାରେ RBIରେ ଯୋଗ ଦେଇଥିଲେ ଇଶାନ କିଶନ

ରିପୋର୍ଟ ଅନୁଯାୟୀ, ଯେତେବେଳେ ଇଶାନ କିଶନ ଭାରତର ଜଣେ ପ୍ରତିଭାଶାଳୀ ଯୁବ କ୍ରିକେଟର ଭାବେ ଉଭା ହେଉଥିଲେ, ସେତେବେଳେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। ବିହାରରରୁ ଆସୁଥିବା ଏହି ବାମହାତୀ ବ୍ୟାଟର ସେତେବେଳେ ଘରୋଇ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ ଏବଂ ଟେଷ୍ଟ ଟିମ୍ରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ତାଙ୍କୁ ଆର୍ବିଆଇ ନିଯୁକ୍ତି ଦେଇଥିଲା। ହେଲେ ଏଥିପାଇଁ ତାଙ୍କୁ RBIର ସାଧାରଣ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା ଦେବାକୁ ପଡ଼ି ନଥିଲା। ବରଂ ସ୍ପୋର୍ଟସ କୋଟା ଅଧୀନରେ ସେ ନିଯୁକ୍ତି ପାଇଥିଲେ।

ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଦେଶର ଅନେକ ସରକାରୀ ସଂସ୍ଥା ଓ ପବ୍ଲିକ ସେକ୍ଟର ସଂସ୍ଥା (PSU) ପରି ବିଭିନ୍ନ କ୍ରୀଡ଼ା କ୍ଷେତ୍ରର ଶ୍ରେଷ୍ଠ କ୍ରୀଡ଼ାବିତ୍‌ମାନଙ୍କୁ ନିଯୁକ୍ତି ଦେଇ ସଂସ୍ଥାର କ୍ରୀଡ଼ା ଦଳକୁ ସୁଦୃଢ଼ କରିବା ସହ ସେମାନଙ୍କ କ୍ରୀଡ଼ାଜୀବନକୁ ସପୋର୍ଟ କରିଥାଏ। ସେହି ଦୃଷ୍ଟିରୁ ଇଶାନ କିଶନ ମଧ୍ୟ ଚାକିରି ପାଇଥିଲେ। ସେହି ନିଯୁକ୍ତି ପରଠାରୁ ଇଶାନ କିଶନ ରିଜର୍ଭବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ରହିଛନ୍ତି ଏବଂ କ୍ରିକେଟ ସହ ଚାକିରି ଜାରି ରଖିଛନ୍ତି।

RBI ସ୍ପୋର୍ଟସ କୋଟା କ'ଣ?

RBI ସମୟ ସମୟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ନିଯୁକ୍ତି ଦେଇଥାଏ। ସାଧାରଣ ନିଯୁକ୍ତିରେ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଓ ସାକ୍ଷାତକାର ଦେବାକୁ ପଡ଼ୁଥିବା ବେଳେ, ସ୍ପୋର୍ଟସ କୋଟା ନିଯୁକ୍ତିରେ ପ୍ରାର୍ଥୀଙ୍କ କ୍ରୀଡ଼ା ସଫଳତା, ଯୋଗ୍ୟତା ଏବଂ ସ୍ୱୀକୃତ ପ୍ରତିଯୋଗିତାରେ ପ୍ରଦର୍ଶନକୁ ପ୍ରାଥମିକତା ଦିଆଯାଏ।

ଦେଶର ଅନେକ ସରକାରୀ ବିଭାଗ, ପବ୍ଲିକ ସେକ୍ଟର ଉଦ୍ୟୋଗ (PSU) ଏବଂ ଆର୍ଥିକ ସଂସ୍ଥାମାନେ ମଧ୍ୟ ଏଭଳି ନିଯୁକ୍ତି ବ୍ୟବସ୍ଥା ଅନୁସରଣ କରନ୍ତି। ଏହାଦ୍ୱାରା କ୍ରୀଡ଼ାବିତ୍ମାନେ ନିଜ କ୍ରୀଡ଼ାଜୀବନ ଜାରି ରଖିବା ସହ ଏକ ସ୍ଥାୟୀ ଚାକିରିର ସୁରକ୍ଷା ମଧ୍ୟ ପାଇଥାନ୍ତି। ଇଶାନ କିଶନଙ୍କ ନିଯୁକ୍ତି ମଧ୍ୟ ଏହି ବ୍ୟବସ୍ଥା ଅନ୍ତର୍ଗତ।

ଇଶାନ କିଶନ RBI ପକ୍ଷରୁ କ୍ରିକେଟ ଖେଳିଛନ୍ତି କି?

ତେବେ ଆର୍ବିଆଇର ୱାର୍କିଂ କର୍ମଚାରୀଙ୍କର ଏକ କ୍ରିକେଟ ଟିମ ରହିଛି। ଇଶାନ କିଶନ ମଧ୍ୟ ଏହି ଟିମ୍ରେ ଖେଳିଛନ୍ତି। ଇଶାନ କେବଳ ସେଠାରେ ଚାକିରି କରନ୍ତି ନାହିଁ, ବରଂ ସୁଯୋଗ ମିଳିଲେ RBI କ୍ରିକେଟ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ବିଶେଷକରି ୨୦୨୪ରେ ସେ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ RBI ଦଳ ପକ୍ଷରୁ ଖେଳିଥିଲେ। ଭାରତର ଅନ୍ୟ କ୍ରିକେଟରଙ୍କ ପରି ସେ ମଧ୍ୟ ଆନ୍ତର୍ଜାତୀୟ କିମ୍ବା ଘରୋଇ କ୍ରିକେଟରୁ ଅବସର ମିଳିଲେ ନିଜର ସଂସ୍ଥାଗତ ଦାୟିତ୍ୱ ନିର୍ବାହ କରନ୍ତି।

ଇଶାନ କିଶନଙ୍କ RBI ଦରମା କେତେ?

ସରକାରୀ କ୍ଷେତ୍ରର ସବୁଠାରୁ ଆକର୍ଷଣୀୟ ବେତନ ପ୍ୟାକେଜ ମଧ୍ୟରୁ RBIର ଆସିଷ୍ଟାଣ୍ଟ ମ୍ୟାନେଜର (ଗ୍ରେଡ୍-A) ପଦବୀ ଚାକିରି ବି ରହିଛି। ଏଥିରେ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ମିଳେ। ରିପୋର୍ଟ ଅନୁସାରେ ଏହାର ବେସିକ ପେ ବା ମୂଳ ବେତନ ପ୍ରାୟ ୮୦,୯୫୦ ଟଙ୍କା। ଆରବିଆଇର କର୍ମଚାରୀଙ୍କ ମାସିକ ଦରମା ଡକ୍ୟୁମେଣ୍ଟରେ ଇଶାନ କିଶନଙ୍କ ନାଁ ଏ୬୬୫୧ ଭାବେ ଉଲ୍ଲେଖ ରହିଛି। ଏହା ବ୍ୟତୀତ ମହଙ୍ଗା ଭତ୍ତା (DA), ଘରଭଡ଼ା ଭତ୍ତା (HRA), ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ଚାକିରିଜନିତ ସୁବିଧା ମଧ୍ୟ ପାଇଥାନ୍ତି। ତେବେ RBIରେ ଚାକିରି କରି ଇଶାନ କିଶନ ଇନ ହ୍ୟାଣ୍ଡେ କେତେ ଦରମା ପାଉଛନ୍ତି ବ୍ୟାଙ୍କ ତାହା ସାର୍ବଜନୀନ କରି ନାହିଁ।

ବ୍ୟାଙ୍କିଂ କେବଳ ଦାୟିତ୍ୱ କ୍ରିକେଟରୁ ମୂଳ ରୋଜଗାର

RBIରେ ପଦବୀ ଥିଲେ ମଧ୍ୟ ଇଶାନ କିଶନ ନିଜର ପେସାଦାର କ୍ରିକେଟ ଜୀବନ ଜାରି ରଖିଛନ୍ତି।୨୮ ବର୍ଷୀୟ ଏହି ୱିକେଟକିପର-ବ୍ୟାଟର ବର୍ତ୍ତମାନ ଘରୋଇ ଓ ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରାଥମିକତା ଦେଉଥିବା ବେଳେ, ସୁଯୋଗ ମିଳିଲେ ଆରବିଆଇ ଦାୟିତ୍ୱ ମଧ୍ୟ ପାଳନ କରୁଛନ୍ତି। ତେବେ ବର୍ତ୍ତମାନ ଆରବିଆଇ ଆଇ କାର୍ଡ ପକାଇ କିଛି କର୍ମଚାରୀଙ୍କ ସହ ଇଶାନଙ୍କର ଫଟୋ ଭାଇରାଲ ହେବା ପରେ ପୁଣିଥରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ଇଶାନ କିଶନ ନୁହେଁ, ଦେଶର ଅନେକ ପ୍ରମୁଖ କ୍ରୀଡ଼ାବିତ୍ ସରକାରୀ କିମ୍ବା ପବ୍ଲିକ ସେକ୍ଟର ସଂସ୍ଥାରେ ଚାକିରି କରିବା ସହ ନିଜର କ୍ରୀଡ଼ାଜୀବନ ମଧ୍ୟ ସଫଳତାର ସହ ଜାରି ରଖିଛନ୍ତି।

କ୍ରିକେଟର ଓ ସରକାରୀ ଚାକିରି

ମହେନ୍ଦ୍ର ସିଂହ ଧୋନି: ଭାରତୀୟ ଟେରିଟୋରିଆଲ ଆର୍ମିରେ ସମ୍ମାନସୂଚକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପାଇଛନ୍ତି। ୨୦୧୧ରେ ଏହି ସମ୍ମାନ ମିଳିଥିଲା। ପରେ ସେ ଜମ୍ମୁ-କାଶ୍ମୀରରେ ସେନା ସହ ଟ୍ରେନିଂ ମଧ୍ୟ ନେଇଥିଲେ।

କପିଲ ଦେବ: ୧୯୮୩ ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କୁ ମଧ୍ୟ ଟେରିଟୋରିଆଲ ଆର୍ମି ପକ୍ଷରୁ ସମ୍ମାନସୂଚକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।

ସଚିନ ତେନ୍ଦୁଲକର: ଭାରତୀୟ ବାୟୁସେନା ତାଙ୍କୁ ଗ୍ରୁପ୍ କ୍ୟାପ୍ଟେନର ସମ୍ମାନସୂଚକ ପଦବୀ ପ୍ରଦାନ କରିଛି। ଏହି ସମ୍ମାନ ପାଇଥିବା ସେ ପ୍ରଥମ କ୍ରିକେଟର।

କେଏଲ୍ ରାହୁଲ: ୨୦୧୮ରେ ସ୍ପୋର୍ଟସ କୋଟା ଅଧୀନରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ।

ଇଶାନ କିଶନ: ୨୦୧୭ରୁ RBIରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ କାର୍ଯ୍ୟରତ। ସମ୍ପ୍ରତି ତାଙ୍କର RBI ପରିଚୟ ପତ୍ର ଭାଇରାଲ ହେବା ପରେ ଏହି ଚାକିରିକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ଉମେଶ ଯାଦବ: ଭାରତୀୟ ଦ୍ରୁତ ବୋଲର ମଧ୍ୟ RBIରେ ସ୍ପୋର୍ଟସ କୋଟା ମାଧ୍ୟମରେ ଆସିଷ୍ଟାଣ୍ଟଟ ମ୍ୟାନେଜର ନିଯୁକ୍ତି ପାଇଛନ୍ତି।

ଯୁଜବେନ୍ଦ୍ର ଚହଲ: ସେ ଆୟକର ବିଭାଗରେ ଇନକମ ଟ୍ୟାକ୍ସ ଇନସ୍ପେକ୍ଟର ଚାକିରି କରୁଛନ୍ତି। କ୍ରିକେଟ ସହ ସରକାରୀ ଦାୟିତ୍ୱ ମଧ୍ୟ ପାଳନ କରୁଛନ୍ତି।

ମହମ୍ମଦ ସିରାଜ: ତେଲଙ୍ଗାନା ସରକାର ତାଙ୍କୁ ସରକାରୀ ଚାକିରି ପ୍ରଦାନ କରି ସମ୍ମାନିତ କରିଛନ୍ତି।

ହରମନପ୍ରୀତ କୌର ଓ ହରଭଜନ ସିଂହ- ଡିଏସ୍‌ପି ପଞ୍ଜାବ ପୁଲିସ

ରିଙ୍କୁ ସିଂହ- ସାର୍ବଜନୀନ କ୍ଷେତ୍ର / ସରକାରୀ ପ୍ରଶାସନରେ ବରିଷ୍ଠ କାର୍ଯ୍ୟନିର୍ବାହୀ / ଅଧିକାରୀ ଭୂମିକା (ରାଜ୍ୟ ସ୍ୱୀକୃତି)