ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ପରେ ନିଜର ପ୍ରଥମ ସାର୍ବଜନୀନ ସନ୍ଦେଶରେ ମୋଜତାବା ଖାମେନେଇ ବଦଲା ନେବା କଥା ଦୋହରାଇଥିଲେ। ଏହାପରେ ଏହି ଇରାନୀ ଖବରକାଗଜ ସେହି ନେତାମାନଙ୍କର ହିଟ୍ ଲିଷ୍ଟ ଛାପି ଦାବି କରିଛି ଯେ ଏହି ସମସ୍ତଙ୍କ ସହ ସୁଯୋଗ ମିଳିବା ମାତ୍ରେ ବଦଲା ନିଆଯିବ।

ନୂଆଦିଲ୍ଲୀ: ଇରାନୀ ଲୋକଙ୍କ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ୍ ଠାରୁ ପ୍ରତିଶୋଧ ନେବା ଭାବନା ପ୍ରବଳ ହୋଇଛି । ଏହାର ଝଲକ ଖାମେନେଇଙ୍କ ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ନିଜର ସୁପ୍ରିମ ଲିଡରଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିଥିବା ଲୋକେ 'କିଲ୍ ଆମେରିକା', 'କିଲ୍ ଇସ୍ରାଏଲର ବ୍ୟାନର ପୋଷ୍ଟର ଧରି ପ୍ରତିଶୋଧ ନେବାକୁ ଦାବି କରୁଥିଲେ ।

ନିଜର କଟ୍ଟରପନ୍ଥୀ ବିଚାରଧାରା ଏବଂ ବିଦ୍ରୋହୀ ମନୋଭାବ ପାଇଁ ଜଣାଶୁଣା ଏକ ଇରାନୀ ଖବରକାଗଜ ଅନେକ ବିଦେଶୀ ନେତାଙ୍କ ନାମ ଏବଂ ଫଟୋ ଛାପିଛି । ଖବରକାଗଜରେ ଫଟୋ ସହିତ ଏକ ସନ୍ଦେଶ ଲେଖାଯାଇଥିଲା । ଆର୍ଟିକିଲରେ କୁହାଯାଇଥିଲା ଯେ ଯେତେ ଜଣ ଆୟାତୁଲ୍ଲା ଅଲ୍ଲି ଖାମେନେଇଙ୍କ ହତ୍ୟା ପାଇଁ ଦାୟୀ, ବଦଲା ନେବା ପାଇଁ ସେମାନଙ୍କୁ ଟାର୍ଗେଟ୍ କରାଯିବା ଉଚିତ୍ ।

ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା, ବାପାଙ୍କ ଅନ୍ତିମ ସଂସ୍କାର ପରେ ଶନିବାର ନିଜର ପ୍ରଥମ ବୟାନ ଜାରି କରିଥିଲେ । ସାର୍ବଜନୀନ ସନ୍ଦେଶରେ କହିଥିଲେ, 'ପ୍ରତିଶୋଧ ନେବା ଜରୁରି । 'ବଦଲା' ଆମ ଦେଶର ସବୁଠାରୁ ବଡ଼ ଦାବି, ଯାହାକୁ ନିଶ୍ଚିତ ଭାବେ ପୂରଣ କରାଯିବା ଉଚିତ୍ ।' ଏହାପରେ ନିଜର କଟ୍ଟରପନ୍ଥୀ ଆଭିମୁଖ୍ୟ ପାଇଁ ଜଣାଶୁଣା ଇରାନୀ ଖବରକାଗଜ ଏହା ଛାପି ଦେଇଛି ।

ଏଏଫପିର ରିପୋର୍ଟ ଅନୁଯାୟୀ, ଶନିବାର ତେହେରାନରୁ ପ୍ରକାଶିତ ଖବରକାଗଜ, 'ହମସହରୀ' ଅନଲାଇନ୍ ଇନଫୋଗ୍ରାଫିକ୍ ସେୟାର କରିଥିଲା । ଏଥିରେ ମୋଜତାବା ଖାମେନେଇଙ୍କ ବୟାନ ସହିତ ୧୩ ଜଣ ବିଦେଶୀ ନେତାଙ୍କ ଫଟୋ ଥିଲା । ନିଜ ସନ୍ଦେଶରେ ମୋଜତାବା କହିଥିଲେ ଯେ ଇରାନ ଟାର୍ଗେଟ୍ କରାଯିବାକୁ ଥିବା ଲୋକଙ୍କର ଏକ ସୂଚୀ ପ୍ରସ୍ତୁତ କରି ସାରିଛି । କିନ୍ତୁ ସେ କାହାରି ନାଁ ନେଇ ନ ଥିଲେ ।

ଇନଫୋଗ୍ରାଫିକରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ସାମିଲ ଅଛନ୍ତି । ଲିଷ୍ଟରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀ ଏବଂ ଜର୍ମାନୀର ଚାନ୍ସେଲର ଫ୍ରେଡରିକ ମର୍ଜଙ୍କ ନାମ ମଧ୍ୟ ସାମିଲ ଅଛି ।