ନୂଆଦିଲ୍ଲୀ: ଇରାନ ପକ୍ଷରୁ ପୁଣି ଥରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' (Strait of Hormuz) କୁ ବନ୍ଦ କରିଦିଆଯାଇଛି। ଇରାନର ମିଳିତ ସାମରିକ କମାଣ୍ଡ (Joint Military Command) ଶନିବାର ଦିନ ଏହି ବଡ଼ ଘୋଷଣା କରିଛି। ଲେବାନନରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ଏବଂ ଯୁଦ୍ଧ ରୋକିବାରେ ଆମେରିକାର ବିଫଳତାକୁ ଦାୟୀ କରି ଇରାନ ଏହି ଚରମ ପଦକ୍ଷେପ ଗ୍ରହଣ କରିଛି।

ଇରାନର ସରକାରୀ ଟେଲିଭିଜନରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମେରିକା ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଇରାନ ଅଭିଯୋଗ କରିଛି ଯେ, ଲେବାନନରେ ଇସ୍ରାଏଲ୍ କରୁଥିବା ଆକ୍ରମଣକୁ ରୋକିବା ପାଇଁ ଆମେରିକା କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ, ଯାହା ସେମାନଙ୍କର ଖରାପ ଉଦ୍ଦେଶ୍ୟକୁ ଦର୍ଶାଉଛି।

ଇରାନ ସେନା ସ୍ପଷ୍ଟ କରିଛି ଯେ, ଯଦି ପଶ୍ଚିମ ଏସିଆରେ ଇସ୍ରାଏଲର ଏହି ଆକ୍ରମଣାତ୍ମକ ମନୋଭାବ ଜାରି ରହେ, ତେବେ ଇରାନ ଆଗକୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବ।  ହର୍ମୁଜ ବନ୍ଦ କରିବାର ମାତ୍ର କିଛି ମିନିଟ୍ ପରେ ଇରାନର ସରକାରୀ ଗଣମାଧ୍ୟମ ଏକ ନୂଆ ସୂଚନା ଦେଇଛି। ଶୁକ୍ରବାର ଦିନ ବାତିଲ ହୋଇଥିବା ବୈଠକ ପାଇଁ ଏବେ ଇରାନର ପ୍ରତିନିଧି ଦଳ (Negotiating Team) ସ୍ୱିଜରଲ୍ୟାଣ୍ଡ ଗସ୍ତ କରୁଛନ୍ତି।

ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘେଇ ସଙ୍କେତ ଦେଇଛନ୍ତି ଯେ, ଆମେରିକା ଉପରେ ଚାପ ପକାଇବାକୁ ଏହି ଯାତ୍ରାର ଉଦ୍ଦେଶ୍ୟ । ଯେପର୍ଯ୍ୟନ୍ତ ଆମେରିକା ନିଜର ଦାୟିତ୍ୱ ସଠିକ୍ ଭାବେ ତୁଲାଇ ନାହିଁ, ସେପର୍ଯ୍ୟନ୍ତ ଆଲୋଚନାରୁ କୌଣସି ସକାରାତ୍ମକ ସୁଫଳ ମିଳିବା ମୁସ୍କିଲ। ଇରାନ ସ୍ପଷ୍ଟ କରିଛି ଯେ, ଆମେରିକା ସହିତ ଚୂଡ଼ାନ୍ତ ଶାନ୍ତି ଚୁକ୍ତି ତେବେ ସମ୍ଭବ ହେବ, ଯେତେବେଳେ ପ୍ରାଥମିକ ସର୍ତ୍ତଗୁଡ଼ିକ ପୂରଣ ହେବ।

ଇରାନ ପାଇଁ ସବୁଠାରୁ ବଡ଼ ସର୍ତ୍ତ ହେଉଛି, ଲେବାନନରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ଦରକାର । ମୁଖପାତ୍ର ବାଘେଇ ଚେତାବନୀ ଦେଇ କହିଛନ୍ତି, ‘ଯଦି ଏହି ଚୁକ୍ତିର କୌଣସି ବି ଅଂଶ ବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାନଯାଏ, ତେବେ ଉଭୟ ଦେଶ ମଧ୍ୟରେ ହୋଇଥିବା ସମ୍ପୂର୍ଣ୍ଣ ସହମତି ପତ୍ର (MoU) ବିପଦରେ ପଡ଼ିଯିବ।’

ଷ୍ଟ୍ରେଟ୍ ଅଫ୍ ହର୍ମୁଜ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ। ସାରା ବିଶ୍ୱକୁ ଯୋଗାଣ ହେଉଥିବା ମୋଟ କ୍ରୁଡ୍ ଅଏଲ୍ (ଅଶୋଧିତ ତେଲ) ର ଏକ ବଡ଼ ଭାଗ ଏହି ରାସ୍ତା ଦେଇ ଯାଇଥାଏ। ଇରାନ ଦ୍ୱାରା ଏହାକୁ ବନ୍ଦ କରାଯିବା ଫଳରେ ବିଶ୍ୱ ବଜାରରେ ତେଲ ସଂକଟ ସୃଷ୍ଟି ହୋଇପାରେ ଏବଂ ଆନ୍ତର୍ଜାତୀୟ ସ୍ତରରେ ତେଲ ଦର ବହୁ ପରିମାଣରେ ବୃଦ୍ଧି ପାଇବାର ଆଶଙ୍କା ରହିଛି।