ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭କୁ ନେଇ ବିସିସିଆଇ ଏକ ବଡ଼ ରଣନୀତି କରିଛି । ଆଇପିଏଲ ୨୦ତମ ସଂସ୍କରଣ ଆଗୁଆ ଆରମ୍ଭ ହୋଇପାରେ । ରିପୋର୍ଟ ଅନୁସାରେ ଆଗାମୀ ବର୍ଷା ଆଇପିଏଲ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇପାରେ । ଅନ୍ୟପେଟ ଫାଇନାଲ୍ ମ୍ୟାଚ୍ ମେ ୧୫ରେ ଖେଳାଯିବ । ବିସିସିଆଇ ଏହି ପଦକ୍ଷେପ ପଛରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସବୁଠୁ ବଡ଼ କାରଣ ବୋଲି ଜଣାପଡ଼ିଛି । ଏହା ସହ ବର୍ତ୍ତମାନର ଢାଞ୍ଚା ଏବଂ ପ୍ରତିଯୋଗିତା ସ୍ଥିରତାକୁ ବଜାୟ ରଖିବା ବି ଏହା ପଛର ଅନ୍ୟ ଏକ କାରଣ ।

ମେ' ମାସରେ ଦେଶର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ଗରମ ରହିଥାଏ । ଏହାକୁ ଏଡାଇବା ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଆସନ୍ତା ବର୍ଷ ମାର୍ଚ୍ଚ ୧୦ରୁ ମେ ୧୫ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆୟୋଜନ କରିବାକୁ ବିଚାର କରୁଛି । ବୋର୍ଡ ସଚିବ ଦେବଜିତ ସାଇକିଆ ଏକ ସମ୍ୱାଦ ସରବରାହ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି । ତେବେ, ସେ ସ୍ପଷ୍ଟ କରିଛନ୍ତି ଯେ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ମ୍ୟାଚ୍ ସଂଖ୍ୟା ୭୪ ହିଁ ରହିବ ଏବଂ ୯୪କୁ ବୃଦ୍ଧି କରାଯିବ ନାହିଁ ।

ସାଧାରଣତଃ ଆଇପିଏଲ ମାର୍ଚ୍ଚ ମାସର ଶେଷ ସପ୍ତାହରେ ଆରମ୍ଭ ହୁଏ ଏବଂ ମେ ମାସ ଶେଷ ପର୍ଯ୍ୟନ୍ତ ଚାଲିଥାଏ । ସାଇକିଆ କହିଛନ୍ତି ଯେ ଆଇପିଏଲ ଶୀଘ୍ର ଆରମ୍ଭ ହେବା ଦ୍ୱାରା କେବଳ ଖେଳାଳିମାନେ ନୁହେଁ ବରଂ ଦର୍ଶକମାନେ ମଧ୍ୟ ଲାଭବାନ ହେବେ । ବୋର୍ଡ ସଚିବ କହିଛନ୍ତି ଯେ ମେ ମାସର ଶେଷରେ ବଢ଼ୁଥିବା ତାପମାତ୍ରାର ମୁକାବିଲା କରିବା ପାଇଁ ଦୁଇ ସପ୍ତାହ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଚିନ୍ତା କରାଯାଉଛି ।

ସେ କହିଛନ୍ତି ଯେ "ମାର୍ଚ୍ଚ ଶେଷ ଅପେକ୍ଷା ଟିକିଏ ଆଗରୁ ଆମେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିପାରିବା କି ନାହିଁ ସେ ବିଷୟରେ ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମଧ୍ୟରେ ଆଲୋଚନା ଚାଲିଛି ।"

ଦେବଜିତ ସାଇକିଆ ଆହୁରି କହିଛନ୍ତି ଯେ ଆଇପିଏଲ୍ ୨୦୨୭ରେ ମ୍ୟାଚ୍ ସଂଖ୍ୟା ବୃଦ୍ଧି କରାଯିବ ନାହିଁ । ସେ କହିଛନ୍ତି, "ମୁଁ ଜାଣିନାହିଁ ଆଗାମୀ ବର୍ଷଗୁଡ଼ିକରେ ପରିସ୍ଥିତି କ'ଣ ହେବ, କିନ୍ତୁ ବର୍ତ୍ତମାନ ମୁଁ ମ୍ୟାଚ୍ ସଂଖ୍ୟା ୭୪ରୁ ୯୪କୁ ବୃଦ୍ଧି କରିବାର କୌଣସି ସମ୍ଭାବନା ଦେଖୁନାହିଁ । ଏଥିପାଇଁ କେବଳ ଭାରତ ନୁହେଁ ବରଂ ଅନ୍ୟ ଆଇସିସି କ୍ରିକେଟ୍ ଖେଳୁଥିବା ଦେଶ, ବିଶେଷକରି ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜର ଖେଳାଳିଙ୍କ ସ୍ୱାର୍ଥକୁ ବିଚାରକୁ ନେବାକୁ ପଡିବ ।"