ଇଡେନରେ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂରେ ଦିଲ୍ଲୀ ଧରାଶାୟୀ, କୋଲକାତାର ଷଷ୍ଠ ବିଜୟ

Published By : Prameya-News7 Bureau | April 29, 2024 IST

Aajtak

କୋଲକାତା: ବୋଲରଙ୍କ ଶାଣିତ ବୋଲିଂ ପରେ ଫିଲିପ୍ ସଲ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଚମକପ୍ରଦ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ। କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିବା ଆଇପିଏଲ୍‌ର ୪୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି KKR। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୯ ଓ୍ଵିକେଟ୍ ହରାଇ ୧୫୩ ରନ କରିଥିଲା। ନିମ୍ନକ୍ରମରେ କୁଲଦୀପ ଯାଦବ ୩୫ ରନ କରିବାରୁ ଦଳ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ଅଧିନାୟକ ପନ୍ତ ୨୭ ରନ କରିଥିଲେ। ଜବାବରେ କୋଲକାତା ଫିଲିପ ସଲ୍ଟଙ୍କ ୬୮ ରନର ଧୂଆଁଧାର ଇନିଂସ ବଳରେ ୩ ଓ୍ଵିକେଟ୍ ହରାଇ ୨୧ ବଲ ପୂର୍ବରୁ ମ୍ୟାଚ୍ ଜିତି ନେଇଛି। ଅଧିନାୟକ ଶ୍ରେୟସ ଆୟର ୩୩ ଓ ଭେଙ୍କଟେଶ ଆୟର ୨୬ ରନ କରି ଅପରାଜିତ ଥିଲେ। କୋଲକାତା ପକ୍ଷର ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ମାତ୍ର ୧୬ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। କେକେଆର ୬ ବିଜୟ ଏବଂ ୧୨ ପଏଣ୍ଟ ସହ ଅଙ୍କ ତାଲିକାର ଦ୍ଵିତୀୟରେ ରହିଥିବା ବେଳେ ଦିଲ୍ଲୀ ୧୧ମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ଭୋଗି ଷଷ୍ଠ ସ୍ଥାନରେ ରହିଛି।

୧୫୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସ ଧମାକା ଷ୍ଟାଇଲରେ ବ୍ୟାଟିଂ ଆରମ୍ଭ କରିଥିଲା। ଓପନର ଫିଲିପ୍ ସଲ୍ଟ ବିସ୍ଫୋରକ ବ୍ୟାଟିଂ କରି ସୁନିଲ ନାରାୟଣଙ୍କ ସହ ଓପନିଂରେ  ପାଓ୍ଵାର ପ୍ଲେ ଓଭରରେ ୭୯ ରନ ଯୋଡ଼ିଥିଲେ।ସୁନିଲ ନାରାୟନ ୧୫ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ସଲ୍ଟ ମାତ୍ର ୩୩ ବଲ୍‌ରୁ ୭ ଚୌକା ଓ ୫ ଛକା ସହ ୬୮ ରନର ଧୂଆଁଧାର ଇନିଂସ ଖେଳି ଦଳ ବିଜୟ ସହଜ କରିଥିଲେ। ଉପର କ୍ରମରେ ବ୍ୟାଟିଂର ସୁଯୋଗ ପାଇଥିବା ରିଙ୍କୁ ସିଂ(୧୧) ବିଫଳ ରହିଥିଲେ। ଏହା ପରେ ଅଧିନାୟକ ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ଦଳର ଆଉ କୌଣସି କ୍ଷତି  ହେବାକୁ ଦେଇ ନ ଥିଲେ। ଉଭୟ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ି ଦଳକୁ ୧୬.୩ ଓଭରରେ ବିଜୟୀ କରାଇଛନ୍ତି। ଅଧିନାୟକ ଶ୍ରେୟସ ଆୟର ୩୩ ଓ ଭେଙ୍କଟେଶ ଆୟର ୨୬ ରନ କରି ଅପରାଜିତ ରହିଛନ୍ତି। ବୋଲିଂରେ ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ୍ ୪ ଓଭରରେ ୨୫ ରନ ଦେଇ ୨ଟି ଓ୍ଵିକେଟ୍ ଦଖଲ କରିଛନ୍ତି। 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.