ନୂଆଦିଲ୍ଲୀ : ଚିଫ୍ ଇଲେକ୍ସନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ୧୦ ଅକ୍ଟୋବର ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ଶୁକ୍ରବାର ରାତି ୧୦ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଜନପଥ-କର୍ତ୍ତବ୍ୟପଥ କ୍ରସିଂ ଆଖପାଖର ୪ କିଲୋମିଟର ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଦିଲ୍ଲୀ ପୋଲିସ ସୂତ୍ରରୁ ଏହି ସୂଚନା ମିଳିଛି। ପୋଲିସର ଏହି ନିଷ୍ପତ୍ତିକୁ କେନ୍ଦ୍ର ଗୃହମନ୍ତ୍ରାଳୟର ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ସବୁ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ଲାଗୁ ରହିବ।

ତେବେ ଏହି ସମୟରେ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା ସ୍ୱଭାବିକ ରହିବ। ସୂତ୍ର ଅନୁସାରେ ଦିଲ୍ଲୀ ପୋଲିସ ୧୦ ଅକ୍ଟୋବର ବିରୋଧ ପ୍ରଦର୍ଶନର ମୁକାବିଲା ଲାଗ ନିଜ ପ୍ରସ୍ତୁତିରେ ଲାଗି ପଡିଛି। ଏଥିରେ ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି କ୍ଷେତ୍ରରେ ବିଭାଜିତ କରିଛି। ତେବେ ସୁପ୍ରିମକୋର୍ଟ ରାଜଧାନୀ ଦିଲ୍ଲୀରେ ଆଗାମୀ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ୫୭ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିବାରୁ ତଥା ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ଟ୍ରେନ ବାତିଲ ହେବାରୁ ଶୁକ୍ରବାର ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ ‘କେନ୍ଦ୍ର ସରକାର ମାଛି ମାରିବା ପାଇଁ ହାତୁଡି ନୀତି ଅବଲମ୍ବନ କରିପାରିବେନି ଓ ଏହିପରି ପୂର୍ଣ୍ଣ କଟକଣା ଲଗା ଯାଇ ପାରିବନି’।

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତା, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ଶୁକ୍ରବାର ରାତି ୯ଟାରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହି ସବୁ ମେଟ୍ରୋ ଷ୍ଟେସନଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ ରଖିବା ଓ ପ୍ରମୁଖ ଏକ୍ସପ୍ରେସ୍ ଟ୍ରେନ ରଦ୍ଦ ହୋଇଥିବାରୁ ଆମେ ଚିନ୍ତିତ। ସିଜେଆଇ ସୋଲିସିଟର ଜେନେରାଲଙ୍କୁ କହିଛନ୍ତି ଯେ ‘ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଯାହା ଆମେ ପ୍ରତ୍ୟେକ ନାଗରିକଙ୍କ ପାଇଁ ପାଳନ କରୁ ତାହା ହେଉଛି ‘ଅନୁପାଳନର ସିଦ୍ଧାନ୍ତ’। ଆପଣ କିଛି ଜିନିଷକୁ ଅଟକାଇବାକୁ ଚାହୁଁଛନ୍ତି, ତାକୁ ଅଟକାଇବାକୁ କେବଳ ସେତିକି ଉପାୟ କରନ୍ତୁ ଯେତିକି ଆବଶ୍ୟକ। ସିଜେଆଇ କହିଛନ୍ତି ଯେ ଏହା ମାନେ ନୁହେଁ ଆପଣ ମାଛି ମାରିବାକୁ ହାତୁଡି ବ୍ୟବହାର କରିବେ’।

ଏଥିରେ ଏସଜି ତୁଷାର ମେହେଟ୍ଟା କହିଛନ୍ତି ଯେ ସେ କୋର୍ଟଙ୍କ ଚିନ୍ତାକୁ ବୁଝୁଛନ୍ତି ଓ ସମ୍ବଦ୍ଧିତ ଅଧିକାରୀଙ୍କ ସହ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ମେହେଟ୍ଟା କହିଛନ୍ତି ଯେ ସିଜେଆଇଙ୍କ ‘ହାତୁଡି’ ଟିପ୍ପଣୀ କେବଳ ଏକ ଉଦାହରଣ ଓ ଏହାର ଅର୍ଥ ନୁହେଁ ଯେ ସିଜେଆଇ କେନ୍ଦ୍ର ସରକାରଙ୍କୁ ମାଛି ମାରିବା ପାଇଁ ହାତୁଡି ବ୍ୟବହାର କରୁଥିବା କହିଛନ୍ତି। ଏଣୁ ଏଭଳି ରିପୋର୍ଟିଂ ହେବା ଉଚିତ ନୁହେଁ। ସିଜେଆଇ କହିଛନ୍ତି ଯେ ‘ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ। ଏଥିରେ ସେ କିଛି ଭୁଲ କହି ନାହାନ୍ତି। ସିଜେଆଇ କହିଛନ୍ତି ଯେ ଆଇନଶୃଙ୍ଖଳା ସରକାରଙ୍କ ଦାୟିତ୍ୱ, ତେବେ ଏହି ଦାୟିତ୍ୱ କେବଳ ସରକାରୀ ସମ୍ପତ୍ତି ସୁରକ୍ଷା ମଧ୍ୟରେ ସୀମିତ ନୁହେଁ, ବରଂ ଲୋକଙ୍କ ସୁରକ୍ଷା ମଧ୍ୟ କରିବେ। ଏହା ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ’।