କେଜରିୱାଲଙ୍କ ଗିରଫକୁ ନେଇ ଆମେରିକାର ବୟାନକୁ ଭାରତର ବିରୋଧ, ଜାଣନ୍ତୁ କହିଲା କ’ଣ?

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ ୨୮।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ  ଇଡି ରିମାଣ୍ଡ ୧ ଏପ୍ରିଲ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏଥି ମଧ୍ୟରେ କେଜରିୱାଲଙ୍କ ଗିରଫକୁ ନେଇ ଭାରତର କଡା ଆପତ୍ତି ସତ୍ୱେ ଆମେରିକା ପୁଣି ଥରେ ଏହା ଉପରେ ବୟାନ  ରଖିଛି। ଆମେରିକା କହିଛି ଯେ କେଜରିୱାଲଙ୍କ ମାମଲାରେ ନିରପେକ୍ଷ, ପାରଦର୍ଶୀ ଓ ସମୟ ମଧ୍ୟରେ ଆଇନଗତ ପ୍ରକ୍ରିୟା ପୁରା ହେବା ଦରକାର। ତେବେ ଭାରତର ବୈଦେଶିକ ମନ୍ତ୍ରାଳୟ ଆମେରିକାର ବୟାନକୁ ଅବାଞ୍ଛିତ ଓ ଅଶ୍ୱୀକାର୍ଯ୍ୟ ବୋଲି କହିଛି। 

କେଜରିୱାଲଙ୍କ ପ୍ରସଙ୍ଗରେ ଆମେରିକା ପକ୍ଷରୁ ଆସିଥିବା ଦ୍ୱିତୀୟ ବୟାନ ଉପରେ ବିଦେଶ ମନ୍ତ୍ରାଳୟ ଗୁରୁବାର କହିଛି ଯେ ‘ଆମେରିକାର ବୟାନ ଉପରେ ଭାରତ ପ୍ରଥମରୁ ହିଁ ଆପତ୍ତି କରୁଛି। ଏଥିରେ ତାଜା ବୟାନ ଅବାଞ୍ଛନୀୟ, ଏହାକୁ ସ୍ୱୀକାର କରାଯାଇ ନପାରେ’। ମନ୍ତ୍ରାଳୟ କହିଛି ଯେ ଭାରତରେ ନ୍ୟାୟ ପ୍ରଣାଳୀ ସ୍ୱାଧୀନ। ଏ ନେଇ ବିଦେଶ ମନ୍ତ୍ରାଳୟ ପ୍ରେସ ବ୍ରିଫିଙ୍ଗରେ ‘ଆମର ସାର୍ବଭୌମତ୍ୱରେ ଦଖଲ ଦେବା ସ୍ୱୀକାର୍ଯ୍ୟ ନୁହେଁ, ଭାରତ ନିଜର ଗଣତାନ୍ତ୍ରିକ ଅନୁଷ୍ଠାନକୁ ନେଇ ଗର୍ବିତ ’ ବୋଲି କହିଛି। 

ଅରବିନ୍ଦ କେଜରିୱାଙ୍କ ଗିରଫକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଥ୍ୟୁ ମିଲର ବୁଧବାର ରାତିରେ ପ୍ରେସ ବ୍ରିଫିଙ୍ଗରେ କହିଥିଲେ ଯେ ‘ଆମେ ଆମର ବୟାନ ଉପରେ କାୟମ ଅଛୁ,ଏହାକୁ ନେଇ କାହାରିକୁ ଅସୁବିଧା ନ ହେଉ ଓ ଆମେ ଆଶା କରୁଛୁ ମାମଲାରେ ନିରପେକ୍ଷ, ପାରଦର୍ଶୀ ଓ ସମୟରେ ଆଇନଗତ ପ୍ରକ୍ରିୟା ପୂରା ହେବା ଦରକାର’। ଏହା ପୂର୍ବରୁ ଆମେରିକା କେଜରିୱାଲଙ୍କ ଗିରଫରେ ମଙ୍ଗଳବାର ବୟାନ ଦେଇଥିଲା, କହିଥିଲା ଘଟଣା ଉପରେ ଆମେ ନଜର ରଖିଛୁ। ଏହାର ନିରପେକ୍ଷ ଯାଞ୍ଚ ହେବା ଦରକାର ଓ ଗଣତାନ୍ତ୍ରି ମୂଲ୍ୟର ପାଳନ ହେବା ଦରକାର। 

ପ୍ରଥମ ବୟାନକୁ ଭାରତ ବୁଧବାର ବିରୋଧ କରିଥିଲା। ଏହି ମାମଲାରେ ବିଦେଶ ମନ୍ତ୍ରାଳୟ ଆମେରିକୀୟ ଡିପ୍ଲୋମାଟ ଗ୍ଲୋରିୟା ବାରବେନାଙ୍କୁ ତଲବ କରିଥିଲା। ମନ୍ତ୍ରାଳୟ କହିଥିଲା ଭାରତର ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ରଙ୍କ ବୟାନ ଭୁଲ। କୁଟନୀତିରେ ଆଶା କରାଯାଉଛି ଦେଶ ପ୍ରତ୍ୟେକଙ୍କ ଅନ୍ତରୀଣ ମାମଲା ଓ ସାର୍ବଭୌମତ୍ୱର ସମ୍ମାନ କରିବେ। ଆମେରିକା ପୂର୍ବରୁ ମାର୍ଚ୍ଚ ୨୩ ତାରିଖ ଦିନ ଜର୍ମାନ ମଧ୍ୟ ବୟାନ ଦେଇଥିଲା। ଜର୍ମାନ କହିଥିଲା ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ, ଆମେ ଦେଶର ନ୍ୟାୟାଳୟ ସ୍ୱାଧୀନ ବୋଲି ଆଶା କରୁଛୁ। ଏଣୁ କେଜରିୱାଲଙ୍କ ମାମଲାରେ ମଧ୍ୟ ଗଣତାନ୍ତ୍ରିକ ଅସୁଲର ପାଳନ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.