News7 Logo

ଫସାଇଦେଲା ବିଦେଶ ଯିବାର ସ୍ୱପ୍ନ, ମୃତ୍ୟୁର ଜାଲରେ ଭାରତୀୟ: ଲୋଡିଲେ ମୋଦିଙ୍କ ହସ୍ତକ୍ଷେପ

NEWS7

ନୂଆଦିଲ୍ଲୀ: ଡଙ୍କି ରୁଟରୁ ଯମଦ୍ୱାର। ମୃତ୍ୟୁର ଜାଲରେ ଭାରତୀୟ। ଆଲର୍ଟ କରାଇଲା ଭାରତ। ଫସାଇଦେଲା ବିଦେଶ ଯିବାର ସ୍ୱପ୍ନ। ଚାକିରି କରିବାକୁ ଯାଇ ବାଜିରେ ଜୀବନ। ଜୋର୍ ଜବରଦସ୍ତି ସେନାରେ ଭର୍ତ୍ତି। ବିନା ତାଲିମରେ ଧରୁଛନ୍ତି ଅସ୍ତ୍ର। ଯିଏ ଥରେ ଗଲା ଆଉ ଫେରିବାର ବାଟ ନାହିଁ। ମୃତ୍ୟୁ ଅପେକ୍ଷାରେ ଏମିତି ଅନେକ ଭାରତୀୟ। ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଯୁଦ୍ଧକୁ ବିତିଛି ତିନି ବର୍ଷ। ହେଲେ ସୀମାରେ ଯେପରି ଗର୍ଜୁଛି ମୃତ୍ୟୁ। ଏପରି ସ୍ଥଳେ ଚାକିରି ଆଶାରେ ଯାଇଥିବା ଭାରତୀୟଙ୍କ ପାଇଁ ବଢ଼ିଛି ବିପଦ। ବିଦେଶରେ ବଡ଼ ଚାକିରି ମିଳିବ… ମୋଟା ଅଙ୍କର ଦରମା ମିଳିବ। ଲୋଭର ବଶବର୍ତ୍ତୀ ହୋଇ ଏଜେଣ୍ଟଙ୍କ ଜାଲରେ ପଡିଗଲେ। ସେଠାରେ ପହଞ୍ଚିବା ପରେ ମଉଳିଗଲା ଚାକିରି କରିବାର ଆଶା, ସେନାରେ ଜୋର ଜବରଦସ୍ତି କରାଗଲା ସାମିଲ। ଆଉ ବଞ୍ଚିବୁନି, ଆମକୁ ରକ୍ଷାକର… ଏହେଉଛି ଭାରତରୁ ଯାଇ ଋଷରେ ଫସିଥିବା ଯୁବକଙ୍କ ଆକୁଳ ନିବେଦନ।

ଋଷ ଏଜେଣ୍ଟଙ୍କ ଜାଲରେ ଫସି ରୁଷରେ ପହଞ୍ଚିଥିଲେ ପଞ୍ଜାବର ଯୁବକ। କମ୍ପାନି ଚାକିରି ବଦଳରେ ଜୋରଜବରଦସ୍ତି ସେନାରେ ଦିଆଯାଉଛି ନିଯୁକ୍ତି। ବିନା ତାଲିମ ଏବଂ ବିନା ପ୍ରସ୍ତୁତିରେ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଇ ସାମ୍ନାକୁ ପଠାଯାଉଛି। ଫସିରହିଥିବା ଜଣେ ଯୁବକ ଗୁରସେବକ ସିଂହ କହିଛନ୍ତି, ଭିଜିଟର୍ ଭିସାରେ ରୁଷକୁ ଆସି ଫସି ରହିଛୁ। ଆମକୁ ବନ୍ଧୁକ ଦିଆଯାଇଛି ଏବଂ କୌଣସି ତାଲିମ ଦିଆଯାଇ ନାହିଁ। ଆମ ପାଖରେ ଖାଇବାକୁ ଖାଦ୍ୟ ମଧ୍ୟ ନାହିଁ। ସମୟ ସରି ଆସୁଛି। ଅନ୍ୟ ଜଣେ ପୀଡ଼ିତ କହିଛନ୍ତି, "ଆମେ ଆଖି ଆଗରେ ଅନେକଙ୍କ ମୃତ୍ୟୁ ଦେଖିଲୁଣି। ଆଠ ଜଣଙ୍କୁ ପୂର୍ବରୁ ସାମ୍ନାକୁ ପଠାଯାଇଛି। ଆଉ ଛଅ ଜଣଙ୍କୁ ନିୟୋଜିତ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ଆମେ ଷ୍ଟୁଡେଣ୍ଟ ଭିସାରେ ଏଠାକୁ ଆସିଥିଲୁ, କିନ୍ତୁ କୌଣସି ତାଲିମ ବିନା ସେନାରେ ନିଯୁକ୍ତି ପାଇଛୁ।

ଯୁବକମାନେ ଦାବି କରନ୍ତି ଯେ ସେମାନଙ୍କୁ ବିଦେଶରେ ଚାକିରି ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ବଦଳରେ ସେମାନଙ୍କୁ ସାମରିକ ଶିବିରରେ ଯୁଦ୍ଧ ପାଇଁ ପଠାଯାଉଛି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ ପାଇଁ ଏକ ଭିଡିଓ ଜାରି କରିଛନ୍ତି। ପରିବାରବର୍ଗ କହିଛନ୍ତି ଯେ ଭାରତୀୟ ଦୂତାବାସକୁ ଏ ବିଷୟରେ ଅବଗତ କରାଯାଇଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏହି ସମସ୍ତ ଯୁବକ ଗତ ଛଅ ମାସ ମଧ୍ୟରେ ମସ୍କୋରେ ପହଞ୍ଚିଥିଲେ ଏବଂ ରୁଷିଆ ଦଖଲ ଅଧୀନରେ ଥିବା ଡୋନେଟସ୍କ ଅଞ୍ଚଳର ସେଲିଡୋଭ ସହରରେ ଫସି ରହିଛନ୍ତି। ଏହି ସମୟରେ, ଅନେକ ପରିବାର ସେମାନଙ୍କ ପ୍ରିୟଜନଙ୍କ ମୃତଦେହ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଏହାରି ଭିତରେ ଋଷ ଯାଇଥିବା ତେଜପାଲ ସିଂହଙ୍କ ପତ୍ନୀ ପରମିନ୍ଦର କୌର ଦୁଇ ମାସ ଧରି ତାଙ୍କ ସ୍ୱାମୀଙ୍କ ସହ ଯୋଗାଯୋଗରେ ଥିଲେ, କିନ୍ତୁ ମାର୍ଚ୍ଚ ୨୦୨୪ରେ ସେ ଏକ ଅଜଣା ନମ୍ବରରୁ ତାଙ୍କ ମୃତ୍ୟୁ ଖବର ପାଇଥିଲେ। ପରେ ମସ୍କୋରେ ଥିବା ଭାରତୀୟ ଦୂତାବାସ ଏହାକୁ ସ୍ପଷ୍ଟ କରିଛି।

ସବୁଠୁ ବଡ଼ କଥା ହେଲା ରୁଷ ଯାଇଥିବା ଯୁବକମାନଙ୍କୁ ପ୍ରଥମେ ଇଟାଲୀ ନେବାକୁ କୁହାଯାଇଥିଲା କିନ୍ତୁ ସେମାନଙ୍କୁ ଡଙ୍କି ରୁଟ୍ ଦେଇ ରୁଷ ପଠାଯାଉଛି। ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଜଳନ୍ଧର ବିଧାୟକ ।

ସେପଟେ ଏହି ପ୍ରସଙ୍ଗକୁ ନେଇ ଚିନ୍ତାପ୍ରକଟ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏମଇଏ।  ଦିଲ୍ଲୀ କର୍ତ୍ତୃପକ୍ଷ ମସ୍କୋ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ମନ୍ତ୍ରଣାଳୟ ପୁଣି ଥରେ ସମସ୍ତ ଭାରତୀୟ ନାଗରିକଙ୍କୁ ରୁଷ ସେନାରେ ଯୋଗଦେବାର କୌଣସି ପ୍ରସ୍ତାବରୁ ଦୂରେଇ ରହିବାକୁ ଅନୁରୋଧ କରିଛି। କହିଛି ଏହା "ବିପଜ୍ଜନକ"। ପ୍ରଭାବିତ ହୋଇଥିବା ଭାରତୀୟ ନାଗରିକମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି। ଭାରତ ସେମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି। ଅନେକ ଏଜେନ୍ସି କିମ୍ବା ଦଲାଲ ଯୁବକମାନଙ୍କୁ ରୁଷରେ ଚାକିରି ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଛନ୍ତି। କିନ୍ତୁ ବାସ୍ତବରେ ସେମାନଙ୍କୁ ସିଧାସଳଖ ସେନାରେ ଭର୍ତ୍ତି କରାଯାଉଛି। ସରକାର ଲୋକଙ୍କୁ ଏପରି ପ୍ରଲୋଭନର ଶିକାର ନ ହେବାକୁ ଏବଂ ଯେକୌଣସି ସନ୍ଦିଗ୍ଧ ପ୍ରସ୍ତାବ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିବେଦନ କରିଛନ୍ତି।