ନୂଆଦିଲ୍ଲୀ ୨୪।୦୯; ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ…ଏହି ଆକ୍ରମଣରେ ଚାଲିଗଲା ଜଣେ ଭାରତୀୟ ନାବିକଙ୍କ ଜୀବନ। ଭାରତ ଅଭିମୁଖେ ଆସୁଥିବା ଏମ୍ଭି କାପେ ଦାଓ ଜାହାଜକୁ ଟାର୍ଗେଟ କରାଯାଇଛି । ଘଟଣା ସମୟରେ ଜାହାଜରେ ଥିଲେ ଭାରତୀୟଙ୍କ ସମେତ ୨୮ ଜଣ କ୍ରୁ ସଦସ୍ୟ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ, ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଛି।

ଏହି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜ ଉପରେ ଆକ୍ରମଣକୁ ନେଇ ଏବେ ଚାଞ୍ଚଲ୍ୟ। ଜାହାଜରେ ଥିଲେ ଭାରତୀୟଙ୍କ ସମେତ ଅନେକ କ୍ରୁ ସଦସ୍ୟ। ଆକ୍ରମଣ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଘଟଣାରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। ମୃତ ନାବିକଙ୍କୁ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ସୁରଜ ଯାଦବ ବୋଲି ଚିହ୍ନଟ କରିଛି ଫରୱାର୍ଡ ସିମେନ୍ସ ୟୁନିଅନ୍ ଅଫ୍ ଇଣ୍ଡିଆଏଫ୍ଏସ୍ୟୁଆଇ। ସେମାନଙ୍କ ମଧ୍ୟରେ ୨୦ ଜଣ ଭାରତୀୟ ଥିବା ଏଫ୍ଏସ୍ୟୁଆଇ ପକ୍ଷରୁ କୁହାଯାଇଛି।

ଘଟଣା ପରେ ମସ୍କାଟ୍ସ୍ଥିତ ଭାରତୀୟ ଦୂତାବାସ ସକ୍ରିୟ ହୋଇଛି। ମୃତ ଭାରତୀୟ ନାବିକଙ୍କ ପରିବାର ସହ ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଇଛି। ଏଥିସହ ଜାହାଜରେ ଥିବା ଅନ୍ୟ ଭାରତୀୟ ଏବଂ ସମସ୍ତ କ୍ରୁ ସଦସ୍ୟଙ୍କ ସୁରକ୍ଷା ନେଇ ଓମାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରହିଛି।