ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କଟକଣା ପରେ ଭାରତୀୟ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିବା ଆରମ୍ଭ କରିଛନ୍ତି। ଲକ୍ଷ୍ମୀ ମିତ୍ତଲ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL)ର ମିଳିତ ଉଦ୍ୟୋଗ HMEL (ହିନ୍ଦୁସ୍ତାନ ମିତ୍ତଲ ଏନର୍ଜି ଲିମିଟେଡ୍) ରୁଷରୁ ଅଶୋଧିତ ତୈଳ ଆମଦାନୀ ବନ୍ଦ କରିଥିବା ବୁଧବାର ସୂଚନା ଦେଇଛି।

ରୁଷର ଶକ୍ତି ବାଣିଜ୍ୟ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ (ଆମେରିକା, ଇୟୁ, ୟୁକେ) ଦ୍ୱାରା ଲାଗୁ କରାଯାଇଥିବା ନୂଆ କଟକଣା ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି ବୋଲି HMEL ଦି ଇକୋନୋମିକ୍ ଟାଇମ୍ସକୁ କହିଛି।

ଅକ୍ଟୋବର ୨୨ ତାରିଖରେ ଟ୍ରମ୍ପ ରୁଷିଆର ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ, ରୋସନେଫ୍ଟ ଏବଂ ଲୁକୋଇଲ୍ ଉପରେ ନୂଆ କଟକଣା ଲଗାଇଥିଲେ। ୟୁରୋପୀୟ ସଂଘ ରୁଷିଆର LNG ଆମଦାନୀ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ନେଇଥିଲେ। ସେହିପରି ବ୍ରିଟେନ ମଧ୍ୟ ଉଭୟ କମ୍ପାନୀ ଉପରେ କଟକଣା ଲଗାଇଛି।

କେବଳ ବେସରକାରୀ କମ୍ପାନୀ ନୁହେଁ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଭଳି ସରକାରୀ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ବାଣିଜ୍ୟ ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ କରୁଛନ୍ତି। ଯେମିତି ରୋସନେଫ୍ଟ କିମ୍ବା ଲୁକୋଇଲ୍ ରୁ କୌଣସି ସିଧାସଳଖ ଆମଦାନୀ ନ ହେଉ ଏଥିପାଇଁ ସରକାରୀ କମ୍ପାନୀମାନେ ନଭେମ୍ବର ୨୧ ପରେ ଆସୁଥିବା ଶିପମେଣ୍ଟ ପାଇଁ ବିଲ୍ ଯାଞ୍ଚ କରୁଛନ୍ତି।

ଭାରତ ସରକାର ଘରୋଇ ଭାବରେ କମ୍ପାନୀଗୁଡ଼ିକୁ ରୁଷୀୟ ତୈଳ ଆମଦାନୀ ହ୍ରାସ କରିବା ଆରମ୍ଭ କରିବାକୁ କହିଥିବା ଜଣାପଡ଼ିଛି। ସରକାର ଏବଂ ସ୍ଥାନୀୟ ରିଫାଇନର୍ସଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି ଇକୋନୋମିକ୍ସଙ୍କୁ ଏହି ସୂଚନା ଦେଇଛନ୍ତି।

ସେପଟେ ଋଷ କମ୍ପାନୀଗୁଡ଼ିକ ଉପରେ ଲଗାଯାଇଥିବା ନୂଆ କଟକଣା ନଭେମ୍ବର ୨୧ ତାରିଖ ଠାରୁ ଲାଗୁ ହେଉଛି। ଆମେରିକାର ଟ୍ରେଜେରୀ କମ୍ପାନୀଗୁଡ଼ିକୁ ରୋସନେଫ୍ଟ ଏବଂ ଲୁକୋଇଲ୍ ସହିତ ସେମାନଙ୍କର କାରବାର ସମାପ୍ତ କରିବା ପାଇଁ ୨୧ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ସମୟ ଦେଇଛି। ଏହା ପାଳନ ନ କଲେ ଜରିମାନା, କଳା ତାଲିକାଭୁକ୍ତ କିମ୍ବା ବାଣିଜ୍ୟ ପ୍ରତିବନ୍ଧକ ଲାଗିପାରେ ବୋଲି ଟ୍ରମ୍ପ ପ୍ରଶାସନ ଚେତାବନୀ ଜାରି କରିଛି। ଆମେରିକାର ସଂସ୍ଥାଗୁଡ଼ିକୁ ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକ ସହିତ କୌଣସି ବ୍ୟବସାୟ କରିବାରୁ ବାରଣ କରାଯାଇଛି।

ସେପଟେ ଋଷ ଠାରୁ ତେଲ ଆଣିବା ବନ୍ଦ କରିବା ମାନେ ଭାରତରେ ମହଙ୍ଗା ପରିସ୍ଥିତିକୁ ଡାକି ଆଣିବା ସହ ସମାନ ହେବ। କାରଣ ଭାରତ ରୁଷ ଠାରୁ ଶସ୍ତାରେ ତେଲ ଆଣୁଥିଲା। କିନ୍ତୁ ଏବେ ଆମକୁ ମଧ୍ୟପ୍ରାଚ୍ୟ କିମ୍ବା ଆମେରିକା ଭଳି ବିକଳ୍ପ ଉତ୍ସରୁ ତେଲ ସଂଗ୍ରହ କରିବାକୁ ପଡିବ। ଯାହା ଅଧିକ ମହଙ୍ଗା ହେବ। ଏଥିରେ ବିଶୋଧନ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।