ପାନାମା ଧ୍ୱଜଥିବା ଜାହାଜ ଉପରେ ଆକ୍ରମଣର ଜବାବ ଦେଲା ନୌସେନା, ଚାଳକ ଦଳ ଓ ଜାହାଜ ସୁରକ୍ଷିତ

Published By : Prameya-News7 Bureau | April 28, 2024 IST

ମୁମ୍ବାଇ ୨୮।୪: ଭାରତୀୟ ଯୁଦ୍ଧପୋତ ଆଇଏନଏସ କୋଚ୍ଚି ରବିବାର ପାନାମା ଧ୍ୱଜ ଥିବା ଅଶୋଧିତ ତୈଳ ଟ୍ୟାଙ୍କର ଏଣ୍ଡ୍ରୋମିଡା ଷ୍ଟାର ଉପରେ ଆକ୍ରମଣର ଜବାବ ଦେଇଛି। ସଂକଟଗ୍ରସ୍ତ ତୈଳ ଟ୍ୟାଙ୍କରକୁ ଭାରତୀୟ ନୌସେନା ଜାହାଜ ରୋକିଥିଲା ଓ ସ୍ଥିତିର ଆକଳନ କରିବାକୁ ଭାରତୀୟ ନୌସେନା ହେଲିକପ୍ଟର ଆକାଶରୁ ଅନୁସନ୍ଧାନ କରିଥିଲା। ଏହା ଛଡାସଂକଟଗ୍ରସ୍ତ ଜାହାଜରେ ନୌସେନା ଏକ ଇଓଡି ଟିମ ମୁତୟନ କରିଥିଲା। 

ଏ ନେଇ ନୌସେନା ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ୨୨ ଭାରତୀୟ ନାଗରିକଙ୍କ ସମେତ ମୋଟ ୩୦ ଚାଳକଦଳ ସଦସ୍ୟ ସୁରକ୍ଷିତ ଅଛନ୍ତି ଓ ଜାହାଜ ପରବର୍ତ୍ତି ବନ୍ଦର ଅଭିମୁଖେ ଯାତ୍ରା ଜାରି ରଖିଛି। ଏହା ପୂର୍ବରୁ ଋଷିଆରୁ ତେଲ ନେଇ ଆସୁଥିବା ପାନାମା ଜାହାଜ ଆଣ୍ଡ୍ରୋମିଡା ଷ୍ଟାର ହୁତି ବିଦ୍ରୋହୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା। ଅଏଲ ଟ୍ୟାଙ୍କର ଉପରେ ଏହି ଆକ୍ରମଣ ଲୋହିତ ସାଗରରେ ହୋଇଥିଲା। 

ଗାଜା ଷ୍ଟ୍ରିପ୍ ଉପରେ ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ୟେମେନର ହୂତି ବିଦ୍ରୋହୀମାନେ ଲୋହିତ ସାଗର, ଏଡେନ ଉପସାଗର ଓ ବାବ ଅଲ-ମନ୍ଦାବ ଷ୍ଟ୍ରେଟ୍ ଦେଇ ଯାତ୍ରା କରୁଥିବା ପଣ୍ୟବାହୀ ଜାହାଜଙ୍କୁ ଗତ ନଭେମ୍ବର ୨୦୨୩ରୁ ଟାର୍ଗେଟ କରିଆସୁଛନ୍ତି। ଏଥି ପାଇଁ ଭାରତୀୟ ନୌସେନା ସତର୍କ ଥିବା ବେଳେ ହୂତି ବିଦ୍ରୋହୀଙ୍କ କବଳରୁ ଜାହାଜଙ୍କୁ ଉଦ୍ଧାର ମଧ୍ୟ କରୁଛି।


 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.