ୱାକ୍‌ଫ ବୋର୍ଡ ଅଧ୍ୟକ୍ଷଙ୍କ ପିଏମ୍‌ ମୋଦୀଙ୍କୁ ପ୍ରଶଂସା: କହିଲେ- ସମ୍ବିଧାନ କି ମୁସ୍‌ଲିମ କାହାକୁ ବିପଦ ନାହିଁ

Published By : Prameya-News7 Bureau | May 15, 2024 IST

internet

ନୂଆଦିଲ୍ଲୀ: ବର୍ତ୍ତମାନ ନିର୍ବାଚନ ସମୟ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁସ୍‌ଲିମ ବିରୋଧୀ ଛବି ତିଆରି କରିବାକୁ ଚେଷ୍ଟା କରାଯାଉଛି। ସଂରକ୍ଷଣକୁ ନେଇ ମୋଦୀଙ୍କ ବୟାନ ହେଉ କିମ୍ବା ତାଙ୍କର ଅନୁପ୍ରବେଶକାରୀ(ଘୁସ୍‌ପେଠିଆ) ବୟାନ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରାଯାଉଛି। ଏହାରି ଭିତରେ ଉତ୍ତରାଖଣ୍ଡ ୱାକଫ୍‌ ବୋର୍ଡ ଅଧ୍ୟକ୍ଷ କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। 

ସେ କହିଛନ୍ତି ବର୍ତ୍ତମାନ ବିଶ୍ୱରେ ଅସ୍ଥିର ପରିସ୍ଥିତି ରହିଥିବା ବେଳେ ଭାରତକୁ ମୋଦୀଙ୍କୁ ଭଳି ଜଣେ ଟାଣୁଆ ନେତାଙ୍କର ଆବଶ୍ୟକତା ରହିଛି ବୋଲି ବୁଧବାର ୱାକପ୍‌ ବୋର୍ଡ ଅଧ୍ୟକ୍ଷ ଶାଦାବ ଶାମ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଦରକାର। ଦେଶ ଦୁର୍ବଳ ହାତକୁ ଚାଲିଗଲେ ଖରାପ ପରିସ୍ଥିତି ଭୋଗିବ।

ପିଟିଆଇକୁ ପ୍ରତିକ୍ରିୟା ଦେଇ ଶାଦାବ କହିଛନ୍ତି “ ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧର କଳା ବାଦଲ ଦେଖା ଦେଇଛି। ବିଭିନ୍ନ ଦେଶରେ ବିଶୃଙ୍ଖଳା ଓ ଅରାଜକତାର ମାହୋଲ ରହିଛି। ଏଭଳି ସ୍ଥିତିରେ ଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ଟାଣୁଆ ନେତାଙ୍କର ଆବଶ୍ୟକତା ରହିଛି। ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ଏଭଳି ସ୍ଥିତିରେ ଯଦି ଦେଶର ନେତୃତ୍ୱ କୌଣସି ଦୁର୍ବଳ ହାତକୁ ଚାଲିଗଲା ତେବେ ଏହାର ପରିଣତି ଭୋଗିବାକୁ ପଡ଼ିବ।”

ୱାକ୍‌ଫ ବୋର୍ଡର ଅଧ୍ୟକ୍ଷ ଶାଦାବ ଶାମଙ୍କ ସମେତ ବୋର୍ଡ୍‌ର ଅନ୍ୟ ସଦସ୍ୟମାନେ ମୋଦୀଙ୍କ ମଙ୍ଗଳ ମନାସୀ ହରିଦ୍ୱାରର ଥିବା ସାବୀର ସାହେବ ଦରଘାରେ ପ୍ରାର୍ଥନା କରିଛନ୍ତି। ମୋଦୀଙ୍କ ପାଇଁ ଚାଦର ବି ଚଢ଼ାଯାଇଛି। ଏନେଇ ଶାମ କହିଛନ୍ତି “ ପିରାନ କଲିୟାରଙ୍କ ଉପରେ ଆମେ ଚାଦର ଚଢ଼ାଇଛୁ। ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମଜଭୁତ ସରକାର ହେବାର ପ୍ରାର୍ଥନା କରିଛୁ। ଫଳରେ ଦେଶର ବିକାଶ କାମ ଯେମିତି ଅଟକି ନଯାଉ କି।” 

ଶାମ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଯୋଜନା ଦେଶର ସବୁ ବର୍ଗଙ୍କ ପାଖରେ ପହଞ୍ଚିଛି। ତାଙ୍କ ନେତୃତ୍ୱରେ ଦେଶରେ ତିଆରି ହେଉଥିବା ରାସ୍ତା ବିକାଶକୁ ଆଗକୁ ନେଉଛି। ସେହିପରି ବିରୋଧୀଙ୍କୁ ସମାଲୋଚନା କରି ଶାମ କହିଛନ୍ତି ଯେ ମୋଦୀଙ୍କ ଶାସନ ସମୟରେ ନା ମୁସଲମାନ ନା ଦେଶର ସମ୍ବିଧାନ କେହି ବିପଦରେ ନାହାନ୍ତି। ତେବେ କିଛି ରାଜନୈତିକ ନେତାଙ୍କର ଦୋକାନ ଏବେ ବିପଦରେ ଅଛି ବୋଲି ସେ କହିଛନ୍ତି। ବିରୋଧୀମାନେ ମିଛ ପ୍ରଚାର କରି ମୁସ୍‌ଲିମଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶାଦାବ ଶାମ କହିଛନ୍ତି। 

ତେବେ ଗତକାଲି ଏକ ଇଣ୍ଟରଭ୍ୟୁରେ ଘୁସ୍‌ପେଠିଆ ଶବ୍ଦର ପ୍ରୟୋଗ ମୁସଲମାନଙ୍କୁ ଟାର୍ଗେଟ୍ କରି କହି ନଥିଲେ ବୋଲି ମୋଦୀ କହିଥିଲେ। 

ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିଏମ୍ କହିଥିଲେ “ମୁଁ ଆଶ୍ଚର୍ଯ୍ୟ। ଯେତେବେଳେ କେହି ଅଧିକ ପିଲା ଜନ୍ମ କରୁଥିବା ବ୍ୟକ୍ତିଙ୍କ କଥା କହୁଛି ସେ କେବଳ ମୁସ୍‌ଲିମଙ୍କ ବିଷୟରେ କହୁଛି ବୋଲି କେମିତି କହିପାରୁଛନ୍ତି। ମୁସ୍‌ଲିମଙ୍କ ପ୍ରତି ଆପଣମାନେ କାହିଁକି ଏତେ ଅନ୍ୟୟା କରୁଛନ୍ତି ? ଗରିବ ପରିବାରରେ ବି ଏଭଳି ସମସ୍ୟା ରହିଛି। କାହିଁକି ସେଠି ଗରିବୀ ରହିଛି। ତେବେ ମୁଁ ହିନ୍ଦୁ ଓ ମୁସ୍‌ଲମାନ କରି ନାହିଁ।” ଏଥିସହିତ ସାଧାରଣ ଜୀବନରେ ସେ କେବେ ବି ହିନ୍ଦୁ-ମୁସ୍‌ଲିମ କରି ନାହାନ୍ତି ବୋଲି ମୋଦୀ କହିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.