ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବଳରେ ଧର୍ମ ଆଧାରରେ ପ୍ରତାଡ଼ିତ ଲୋକଙ୍କ ଭାରତୀୟ ନାଗରିକତା ପ୍ରଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୧୪ ଜଣଙ୍କୁ ଭାରତୀୟ ନାଗରିକତା ପ୍ରମାଣ ପତ୍ର ଦିଆଯାଇଛି। କେନ୍ଦ୍ର ସରକାର ଆଇନକୁ ଅଧିସୂଚିତ କରିବାର ଦୁଇ ମାସ ପରେ ପ୍ରମାଣପତ୍ର ଜାରି କରିବା ଆରମ୍ଭ ହୋଇଯାଇଛି।
ସିଏଏ ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଧର୍ମ ଆଧାରରେ ନିର୍ଯାତିତ ସଂଖ୍ୟାଲଘୁମାନେ ଭାରତରେ ନାଗରିକତ୍ୱ ହାସଲ କରିପାରିବେ।
କେନ୍ଦ୍ର ସରକାର ଆଣିଥିବା ସିଏଏ ଆଇନ୍ ୨୦୧୯ରେ ସଂସଦରେ ପାରିତ ହୋଇଥିଲା। ଏହାର ୪ ବର୍ଷ ପରେ ମାର୍ଚ୍ଚ ୧୧ ତାରିଖରେ ଏହି ଆଇନ୍ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ବୁଧବାର ୧୪ ଜଣଙ୍କୁ ହାତାହାତି ସେମାନଙ୍କର ପ୍ରମାଣପତ୍ର ଦିଆଯାଇଛି। ଆବେଦନଗୁଡ଼ିକ ଅନ୍ଲାଇନ୍ ମଧ୍ୟରେ ଯାଞ୍ଚ ପରଖ କରିବା ପରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟାଯାଇଛି।
ସିଏଏ ନାଗରିକ ଆଇନ ୧୯୫୫କୁ ସଂଶୋଧନ କରିଥାଏ। ଯେଉଁ ସଂଖ୍ୟା ଲଘୁମାନେ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଧର୍ମ ଆଧାରରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ପ୍ରତାଡ଼ିତ ହୋଇ ଆସିଛନ୍ତି, ସେମାନଙ୍କୁ ଭାରତୀୟ ନାଗରିକତା ଦେବାର ପଥ ପରିଷ୍କାର କରିଥାଏ।। ସଂଖ୍ୟାଲଘୁଙ୍କ ମଧ୍ୟରେ ହିନ୍ଦୁ, ଶିଖ, ଜୈନ, ପାର୍ସି, ବୌଧ ଧର୍ମାବଲମ୍ବି ଏବଂ ଖ୍ରଷ୍ଟିଆନ୍ ଭାରତରେ ନାଗରିକାତ ଗ୍ରହଣ କରିପାରିବେ।
ମୋଦୀ ସରକାରଙ୍କ ସିଏଏ ଆଇନ୍କୁ ନେଇ ଅନେକ ବିବାଦ ଉପୁଜିଥିଲା। ବିରୋଧୀମାନେ ଏହାକୁ ସମାଲୋଚନା କରିଥିଲେ। ଗତମାସରେ କଂଗ୍ରେସ ନେତା ପି.ଚିଦାମ୍ବରମ କହିଥିଲେ ଯେ ଇଣ୍ଡି ମେଣ୍ଟ ସରକାର ଗଠନ କଲେ ସିଏଏ ଆଇନ୍ ପ୍ରତ୍ୟାହାର କରି ନିଆଯିବ।