ବେଙ୍ଗାଲୁରୁ ୧୫।୫: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)ଙ୍କ ଆଦିତ୍ୟ ଏଲ-୧ ଓ ଚନ୍ଦ୍ରଯାନ-୨ ନିକଟରେ ହୋଇଥିବା ସୌର ଝଡ଼ର ଫଟୋ ଉତ୍ତୋଳନ କରିଛନ୍ତି, ଯାହା ଡରାଇ ଦେବା ଭଳି। ଇସ୍ରୋ ବୈଜ୍ଞାନିକମାନେ ପୁଷ୍ଟି କରିଛନ୍ତି ଯେ ନିକଟରେ ସୂର୍ଯ୍ୟରେ ଏକ ବଡ଼ ଧରଣର ବିସ୍ପୋରଣ ହୋଇଥିଲା। ଯେଉଁଥିରୁ ‘ଏମ’ କ୍ଲାସ୍ ଓ ‘ଏକ୍ସ’ କ୍ଲାସ୍ ଲହର ବାହାରିଥିଲା। ଯାହା ଏକ ବଡ଼ ଧରଣର ସୌର ଝଡ ରୂପ ନେଇ ପୃଥିବୀକୁ ପ୍ରଭାବିତ କରିଛି।
ଏହି ଝଡ଼ ୨୦୦୩ ମସିହାରେ ହୋଇଥିବା ଭୂ ଚୁମ୍ବକୀୟ ଝଡଠାରୁ ମଧ୍ୟ ଭୟାନକ ହୋଇଥିବା ବେଳେ ଅଧିକ ଶକ୍ତିଶାଳୀ ଥିଲା। ୨୦୦୩ ଭୂ ଚୁମ୍ବକୀୟ ଝଡ଼ ଯୋଗୁ ପୃଥିବୀର ସଞ୍ଚାର ଓ ଜିପିଏସ୍ ପ୍ରଣାଳୀ ପ୍ରଭାବିତ ହୋଇଥିଲା। ପାଖାପାଖି ୨୧ ବର୍ଷ ପରେ ପୁଣି ଥରେ ହୋଇଥିବା ସୌର ଝଡ଼ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। କେବଳ ଭାରତର ଇସ୍ରୋ ନୁହନ୍ତି ଆମେରିକାର ଏନଓଏଏ ସ୍ପେସ୍ ୱେଦର ପ୍ରେଡିକ୍ସନ ସେଣ୍ଟର ମଧ୍ୟ ଏହାର ପୁଷ୍ଟି କରିଛନ୍ତି।
ISRO Captures the Signatures of the Recent Solar Eruptive Events from Earth, Sun-Earth L1 Point, and the Moonhttps://t.co/bZBCW9flT1 pic.twitter.com/SaqGu5LjOV
— ISRO (@isro) May 14, 2024
ଏଥିରେ କୁହାଯାଇଛି ଯେ ସୂର୍ଯ୍ୟ ପୃଷ୍ଠରେ ଆହୁରି ବିସ୍ଫୋରଣ ହେବାର ସମ୍ଭାବନା ରହିଛି, ଯଦି ଲଗାତାର ଏପରି ହୁଏ ତେବେ ପୃଥିବୀର ସଞ୍ଚାର ପ୍ରଣାଳୀ ଓ ଜିପିଏସ୍ ଲାଗି ବଡ଼ ଧରଣର ବିପଦ ସୃଷ୍ଟି କରିବ। ଇସ୍ରୋଙ୍କ ଅନୁସାରେ ଏହି ସୌର ଝଡ଼ ମେ ୧୧ ତାରିଖ ଦିନ ହୋଇଥିଲା, ଯାହା ଜିଓମ୍ୟାଗ୍ନେଟିକ୍ ଇଣ୍ଡେକ୍ସରେ ୯ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, ଯାହା ସୌର ଝଡର ସର୍ବୋଚ୍ଚ ସ୍ତର ବୋଲି କୁହାଯାଇଛି। ତେବେ ଏଥି ଯୋଗୁ ଭାରତୀୟ କ୍ଷେତ୍ର ଉପରେ କମ ପ୍ରଭାବ ପଡିଛି। କାରଣ ସେତେବେଳେ ଭାରତରେ ଦିନ ହୋଇ ନଥିଲା। ନଚେତ ବଡ଼ ଧରଣର ବିଦ୍ୟୁତ କାଟ ଭଳି ପରିସ୍ଥିତି ଉପୁଜିଥାନ୍ତା।
ଏହି ସୌର ଝଡ଼ର ପ୍ରଭାବ ବିଶେଷ କରି ପ୍ରଶାନ୍ତ ଆମେରିକୀୟ କ୍ଷେତ୍ରରେ ପଡିଛି। ମହାକାଶରେ ହୋଇଥିବା ଏହି ହଲଚଲକୁ ଆଦିତ୍ୟ ଏଲ-୧ର ପେ ଲୋଡ ଏଏସପିଇଏକ୍ସ ରେକର୍ଡ କରିଛି। ଏଥିରେ ସୌର ଝଡ଼ର ତୀବ୍ର ବେଗ, ତାପମାନ ଓ ପ୍ଲାଜମାର ଉଚ୍ଚ ପ୍ରବାହ ସ୍ପଷ୍ଟ ଦେଖି ହେଉଛି। ଏହି ପେଲୋଡରେ ଥିବା ସ୍ପେକ୍ଟ୍ରୋମିଟର ସୌର ବାୟୁର ଚିହ୍ନ କ୍ୟାପଚର କରିଛି। ଏହା ଛଡା ଆଦିତ୍ୟ ଏଲ-୧ର ଏକ୍ସ-ରେ ପେ ଲୋଡ ସୋଲେକ୍ସ କେତେକ ଏକ୍ସ ଓ ଏମ କ୍ଲାସ୍ ଫ୍ଲେୟାରକୁ ଦେଖିଛି ଯାହା ଏଲ-୧ ବିନ୍ଦୁ ଦେଇ ଗତି କରିଥିଲା। ଆଦିତ୍ୟ ଏଲ-୧ ଛଡା ଚନ୍ଦ୍ରଯାନ-୨ର ଅର୍ବିଟର ମଧ୍ୟ ଏହି ବିସ୍ପୋରଣ ଘଟଣାବଳୀକୁ ଉତ୍ତୋଳନ କରିଛି।