ଦିଲ୍ଲୀରୁ ହାଇପ୍ରୋଫାଇଲ ଲୁଟେରା ଗିରଫ, ୧୯ ବର୍ଷ ଧରି ବିମାନରୁ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ ୧୫/୫: ଲୁଟିବା ପାଇଁ ୧୧୦ ଦିନରେ ୨୦୦ ଥର ଫ୍ଲାଇଟରେ ଯାତ୍ରା। ଧରା ନପଡିବା ପାଇଁ ମୃତ ଭାଇ ନାଁରେ ବୁକ୍‌ ହେଉଥିଲା ଟିକେଟ । ପୋଲିସ ଆଖିରେ ଧୁଳି ଦେଇ ଦୀର୍ଘ ୧୯ ବର୍ଷ ଧରି ଫ୍ଲାଇଟରୁ ସୁନା ଗହଣା ଲୁଟୁଥିବା ଏମିତି ଜଣେ ହାଇପ୍ରୋଫାଇଲ ଚୋରକୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଗିରଫ ଲୁଟେରା ରାଜେଶ କପୁର । ଗତ ମାସରେ ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଜଣେ ମହିଳା ତାଙ୍କ ହ୍ୟାଣ୍ଡବ୍ୟାଗରୁ ୭ ଲକ୍ଷର ଅଳଙ୍କାର ଚୋରି ହୋଇଥିବା ଦାବି କରିବା ପରେ ଦିଲ୍ଲୀ ପୋଲିସ ଏହି ନୂଆ ଷ୍ଟାଇଲ ଚୋରିର ପର୍ଦ୍ଦାଫାଶ କରିଛି । ଆମେରିକାର ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରି ହେବାର ଆଉ ଏକ ଅଭିଯୋଗ ମଧ୍ୟ ଆସିଥିଲା । 

ପୋଲିସ ଦିଲ୍ଲୀ,ହାଇଦ୍ରାବାଦ ଓ ଅମୃତସର ଏୟାରପୋର୍ଟରେ ଫୁଟେଜ ଯାଞ୍ଚ ପରେ ଜଣେ ବ୍ୟକ୍ତି ୨ଟି ବିମାନବନ୍ଦରରେ ନଜର ଆସିବାରୁ ସନ୍ଦିଗ୍ଧ ତାଲିକାଭୁକ୍ତ କରିଥିଲା ପୋଲିସ । ଟିକେଟ ବୁକିଂ ସମୟରେ ଭୁଲ ନମ୍ବର ଦେଇଥିଲେ ମଧ୍ୟ ଟେକ୍ନିକାଲ ସର୍ଭେଲାନ୍ସ ଜରିଆରେ ନମ୍ବର ପାଇବା ପରେ ଦିଲ୍ଲୀର ପାହାଡଗଞ୍ଜରୁ ରାଜେଶକୁ ଉଠାଇ ନେଇଛି ପୋଲିସ । ସେଠାରେ ସେ ଚୋରି ଗହଣାକୁ ଗହଣା ବ୍ୟବସାୟୀ ଶରଦ ଜୈନକୁ ବିକ୍ରି କରିବାକୁ ଯାଉଥିଲା । ପୋଲିସ କରୋଲ ବାଗରୁ ଶରଦକୁ ବି ଗିରଫ କରିଛି । 

ହାଇଦ୍ରାବାଦ ସମେତ ୫ମାମଲାରେ ସାମିଲ ଥିବା ପୋଲିସ ଜେରାରେ ମାନିଛି ରାଜେଶ । ଚୋରି,ଜୁଆ ଓ ଠକେଇର ୧୧ ମାମଲାରୁ ୫ ମାମଲା ବିମାନବନ୍ଦରର ଥିଲା । ଏକାକୀ ବିମାନ ଯାତ୍ରା କରୁଥିବା ,ଖାସ କରି ଅନ୍ତର୍ଜାତୀୟ  ଯାତ୍ରା କରୁଥିବା ବୟସ୍କ ମହିଳାଙ୍କୁ ଟାର୍ଗେଟ କରୁଥିଲା ରାଜେଶ । ୨୦୦୫ରୁ ଦୀର୍ଘ ୧୯ ବର୍ଷ ଧରି ରାଜେଶ ଚୋରିକରି ଆସୁଛି । ଅନେକ ବର୍ଷ ଧରି ସେ ଟ୍ରେନରେ ଏସି କୋଚରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲା । ଥରେ ଧରାପଡିବା ପରେ ଟ୍ରାକ ଚେଞ୍ଜ କରି ବିମାନରେ ଚୋରି କରିବା ଆରମ୍ଭ କଲା । ଏମିତି ଲୋକଙ୍କ ଠାରୁ ଲୁଟି ଲୁଟି ରାଜେଶ ନିଜର ସଂପତ୍ତି ବଢାଇ ଚାଲିଥିଲା । ନୂଆଦିଲ୍ଲୀ ଷ୍ଟେସନ ନିକଟ ପାହାଡଗଞ୍ଜରେ ଗେଷ୍ଟ ହାଉସ ରିକି ଡିଲକ୍ସର ମାଲିକ ରାଜେଶ । ଏଥିସହ ତାର ମନି ଏକ୍ସଚେଞ୍ଜ ବ୍ୟବସାୟ ଓ ତପଲ ମରାମତି ଦୋକାନ ମଧ୍ୟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.