ୱାଶିଂଟନ: ଇରାନକୁ ଶକ୍ତି ରପ୍ତାନିରେ ସହଯୋଗ କରିବା ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ୫୦ ରୁ ଅଧିକ ସଂସ୍ଥା, ବ୍ୟକ୍ତି, ଦୁଇଜଣ ଭାରତୀୟ ନାଗରିକ ଏବଂ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଛି। ଏନେଇ ଆମେରିକା ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ତେହେରାନର ଏନର୍ଜି ଏକ୍ସପୋର୍ଟ ମେସିନଙ୍କୁ ଟାର୍ଗେଟ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (OFAC) ଗୁରୁବାର ଏହି କଟକଣା ଘୋଷଣା କରିଛି।

ବିଭାଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି “ଏହି ଅଂଶୀଦାରମାନେ ମିଳିତ ଭାବରେ ଇରାନକୁ କୋଟି କୋଟି ଡଲାର ମୂଲ୍ୟର ପେଟ୍ରୋଲିୟମ୍ ଏବଂ ପେଟ୍ରୋଲିୟମ୍ ଉତ୍ପାଦର ରପ୍ତାନି କରିବାରେ ସହଯୋଗ କରିଛନ୍ତି। ଏଥିରେ ଇରାନ ଶାସନକୁ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ମିଳିଛି। ଏଭଳି କରି ଏମାନେ ଯୁକ୍ତରାଷ୍ଟ୍ରକୁ ବିପଦରେ ପକାଇଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିଛନ୍ତି। ଇରାନର ପେଟ୍ରୋଲିୟମ୍ ଏବଂ ପେଟ୍ରୋକେମିକାଲ୍ ରପ୍ତାନିକୁ ସୀମିତ କରିବା ପାଇଁ ଟ୍ରେଜେରୀ ବିଭାଗର ବ୍ୟାପକ ପ୍ରୟାସର ଏହା ଏକ ଅଂଶ। ଏନେଇ ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି ଇରାନର ଶକ୍ତି ରପ୍ତାନି ମେସିନର ପ୍ରମୁଖ ଉପାଦାନଗୁଡ଼ିକୁ ଭାଙ୍ଗି ଦେଇ ଆମେରିକାର ଟ୍ରେଜେରୀ ବିଭାଗ ଇରାନର କ୍ୟାସ୍ ପ୍ରବାହକୁ ହ୍ରାସ କରୁଛି।

ଦୁଇ ଭାରତୀୟଙ୍କ ଉପରେ ମଧ୍ୟ ଆମେରିକା ପ୍ରତିବନ୍ଧକ ଲଗାଇଛି। ଜଣେ ହେଲେ ବରୁଣ ପୁଲା। ଯିଏ ହେଉଛନ୍ତି ବର୍ଥା ସିପିଂ ଇନକର୍ପୋରେଟେଡ୍‌ର ମାଲିକ ମାର୍ଶାଲ୍ ଦ୍ୱୀପପୁଞ୍ଜର ଏହି କମ୍ପାନୀ କୋମୋରୋସ୍-ଫ୍ଲାଗ୍‌ଡ ଭାସେଲ PAMIR ପରିଚାଳନା କରେ। ଏହି କମ୍ପାନୀ ଜୁଲାଇ ୨୦୨୪ ପରଠାରୁ ଚୀନ୍‌କୁ ପ୍ରାୟ ନିୟୁତ ବ୍ୟାରେଲ ଇରାନୀ ଏଲପିଜି ପରିବହନ କରିଛି। ଅନ୍ୟ ଜଣେ ହେଲେ ସୋନିଆ ଶ୍ରେଷ୍ଠା। ସେ ବି ଜଣେ ଭେଗା ଷ୍ଟାର ସିପ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡର ମାଲିକ। ତାଙ୍କ କମ୍ପାନୀ କୋମୋରୋସ୍-ଫ୍ଲାଗ୍ଡ ଜାହାଜ NEPTA ପରିଚାଳନା କରେ। ସୋନିଆ ଶ୍ରେଷ୍ଠାଙ୍କ କମ୍ପାନୀ ଜାନୁଆରୀ ୨୦୨୫ ଠାରୁ ପାକିସ୍ତାନକୁ ଇରାନୀ-ଉତ୍ପନ୍ନ ଏଲପିଜି ପରିବହନ କରୁଛନ୍ତି।

ପ୍ରତିବନ୍ଧକ ନେଇ ଆମେରିକା ବିବୃତ୍ତିରେ କହିଛି ଯେ ଆମେରିକା ମଧ୍ୟରେ କିମ୍ବା ଆମେରିକୀୟ ବ୍ୟକ୍ତିଙ୍କ ଦ୍ୱାରା ନିୟନ୍ତ୍ରିତ ସମସ୍ତ ନିର୍ଦ୍ଦିଷ୍ଟ କିମ୍ବା ଅବରୋଧିତ ବ୍ୟକ୍ତିଙ୍କ ସମ୍ପତ୍ତିରେ ଥିବା ସମସ୍ତ ସମ୍ପତ୍ତି ଏବଂ ସେମାନଙ୍କ ସ୍ୱାର୍ଥରେ ଆସୁଥିବା ସମ୍ପତ୍ତିକୁ ମଧ୍ୟ ଫ୍ରିଜ୍ କରାଯିବ, ଏବଂ OFAC କୁ ରିପୋର୍ଟ କରାଯିବ ଏହି ପ୍ରତିବନ୍ଧକ ଫଳରେ ପ୍ରତ୍ୟେକ୍ଷ ଆଉ ପରୋକ୍ଷରେ ଏକାଧିକ କମ୍ପାନୀ ଓ ବ୍ୟକ୍ତି କଟକଣାରେ ଶିକାର ହେବେ।