ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ୍ ପାଇଁ ଆଜି ଭାରତୀୟ କ୍ରିକେଟ୍ ଦଳର ଘୋଷଣା ହୋଇପାରେ। ତେବେ ଏହି ସିରିଜ୍ ପାଇଁ ୧୫ ଜଣିଆ ଦଳ ଚୟନ କରିବା ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ଏବଂ ଅଧିନାୟକ ଶୁଭମନ୍ ଗିଲଙ୍କ ପାଇଁ ବେଶ୍ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି। ଦଳର ପ୍ରାୟ ୯ ଜଣ ପ୍ରମୁଖ ତାରକା ଖେଳାଳି ଏହି ସିରିଜ୍ ପାଇଁ ଉପଲବ୍ଧ ରହିବେ ନାହିଁ।

ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ସେପ୍ଟେମ୍ବର ୨୭ରୁ ତିରୁବନନ୍ତପୁରମ୍ରେ ପ୍ରଥମ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ। ସେପ୍ଟେମ୍ବର ୩୦ରେ ଗୁଆହାଟୀରେ ଦ୍ୱିତୀୟ ଏବଂ ଅକ୍ଟୋବର ୩ରେ ନ୍ୟୁ ଚଣ୍ଡୀଗଡ଼ର ମୁଲ୍ଲାନ୍ପୁର ଷ୍ଟାଡିୟମରେ ତୃତୀୟ ଥର ପାଇଁ ଦୁଇ ଦଳ ମୁହାଁମୁହିଁ ହେବେ।

Also Read: ଟି-୨୦ ଅନ୍ତର୍ଜାତୀୟରେ ଦ୍ରୁତତମ ୧୦୦୦ ରନ୍, ଦେଖନ୍ତୁ ଶୀର୍ଷ-୫ ଭାରତୀୟ ବ୍ୟାଟରଙ୍କ ତାଲିକା

ଖେଳିବେନି ଏହି ୯ ଖେଳାଳି

ଦିନିକିଆ ସିରିଜ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ଅନ୍ୟପଟେ ଭାରତୀୟ ଟି-୨୦ ଦଳ ୨୦୨୬ ଏସିଆନ୍ ଗେମ୍ସରେ ଭାଗ ନେବ। ଏଥିପାଇଁ ବିସିସିଆଇ (BCCI) ପୂର୍ବରୁ ସ୍ୱତନ୍ତ୍ର ଟିମ୍ ଘୋଷଣା କରିସାରିଛି। ଫଳରେ ଏସିଆନ୍ ଗେମ୍ସ ଦଳରେ ସାମିଲ ଥିବା ପ୍ରମୁଖ ଖେଳାଳି ଶ୍ରେୟସ ଆୟର, ଯଶପ୍ରୀତ ବୁମରା, ଇଶାନ କିଷନ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍ଡୀ ଏବଂ ହର୍ଷିତ ରାଣା ଏହି ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିବେ।

ଏହି ୮ ଜଣ ଖେଳାଳିଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଫିଟନେସ୍ କିମ୍ବା ବ୍ୟକ୍ତିଗତ କାରଣରୁ ଉପଲବ୍ଧ ରହିବେ ନାହିଁ। ନିୟମିତ ଉପ-ଅଧିନାୟକ ଶ୍ରେୟସ ଆୟର ଏସିଆନ୍ ଗେମ୍ସ ଦଳରେ ଥିବାରୁ, ଏହି ସିରିଜ୍ ପାଇଁ ଭାରତୀୟ ଦିନିକିଆ ଟିମକୁ ଜଣେ ନୂଆ ଉପ-ଅଧିନାୟକ ମିଳିବେ। ଅନେକ ବରିଷ୍ଠ ଖେଳାଳି ଅନୁପସ୍ଥିତ ରହୁଥିବାରୁ ଏହି ଦିନିକିଆ ସିରିଜରେ ଅନେକ ଯୁବ ଓ ନୂଆ ଚେହେରାଙ୍କୁ ନିଜର ପ୍ରତିଭା ଦେଖାଇବାର ସୁଯୋଗ ମିଳିବା ନିଶ୍ଚିତ ହୋଇଛି।

Also Read: ନିଜ ଦୁଃଖ ବଖାଣିଲେ ସଞ୍ଜୁ ସାମସନ : ଭିଜିଗଲା ଆଖି, କହିଲେ - 'ବେଳେବେଳେ ଓ୍ୱାଇଫାଇ ଅନ୍ ହୋଇଗଲେ...'