News7 Logo

ଭାରତ-ଆମେରିକା ମଧ୍ୟରେ ୭ ଘଣ୍ଟା ଚାଲିଲା ବୈଠକ, ଜାଣନ୍ତୁ କ’ଣ-କ’ଣ କଥା ହେଲେ

NEWS7
modi

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ଉପରେ ମଙ୍ଗଳବାର ୭ ଘଣ୍ଟା ବୈଠକ ହୋଇଥିଲା । ଦୁଇ ଦେଶ ମଧ୍ୟରେ ବୈଠକ ସକାରାତ୍ମକ ରହିଥିଲା ଓ ଆଗାକୁ ମଧ୍ୟ ଟାରିଫ୍ ପରି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ । ଏହି ବୈଠକରେ ଆମେରିକା ପକ୍ଷରୁ ମୁଖ୍ୟ ବାର୍ତ୍ତାକାର ବ୍ରେଣ୍ଡନ ଲିଞ୍ଚ୍ ଓ ଭାରତ ପକ୍ଷରୁ ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲ ସାମିଲ ଥିଲେ ।

ବାଣିଜ୍ୟିକ ରାଜିନାମା ଉପରେ ଆମେରିକୀୟ ପ୍ରତିନିଧିମଣ୍ଡଳ ସହ ଦିଲ୍ଲୀରେ ଦୀର୍ଘ ଆଲୋଚନା ହୋଇଛି । ଏହା ଦିନିକିଆ ବୈଠକ ଥିଲା । ଏବେ ଆମେରିକୀୟ ପ୍ରତିନିଧି ଟିମ୍ ନିଜ ଦେଶକୁ ଫେରିଯିବେ । ତେବେ ଖୁବଶୀଘ୍ର ଆଉ ଏକ ପର୍ଯ୍ୟାୟ ବୈଠକ ହେବାର ସମ୍ଭାବନା ରହିଛି । ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ବୟାନ କୁହାଯାଇଛି, ଆଜି ୭ ଘଣ୍ଟା ଯାଏ ହୋଇଥିବା ବୈଠକରେ ଟ୍ରେଡ୍ ଡିଲ୍‌ର ବିଭିନ୍ନ ଦିଗ ଉପରେ ସକାରାତ୍ମକ ଓ ଦୂରଦର୍ଶୀ ଆଲୋଚନା ହୋଇଛି । ଏହି ବୈଠକରେ ବାଣିଜ୍ୟିକ ରାଜିନାମାକୁ ଶୀଘ୍ର ପୂରା କରିବା ପ୍ରୟାସକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ବିବାଦ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଅନ୍ୟପଟେ ଭାରତ ଲଗାତାର ଟାରିଫ ପ୍ରସଙ୍ଗକୁ ଉଠାଉଛି । ସମ୍ଭବତଃ ଆଜିର ବୈଠକରେ ଟାରିଫ୍ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥାଇପାରେ । ଏହା ବ୍ୟତୀତ ଭାରତ ଆମେରିକାରେ ନିଜର ଲଘୁ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଚର୍ଚ୍ଚା କରିଥାଇପାରେ ।

ଉଲ୍ଲେଖଯୋଗ୍ୟ ଯେ ଅତିରିକ୍ତ ଟାରିଫକୁ ନେଇ ଭାରତ ଓ ଆମେରିକାର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବାର କିଛି ସପ୍ତାହ ପରେ ହୋଇଛି । ଆମେରିକାର ଟାରିଫ କାରଣରୁ ଭାରତର ରପ୍ତାନୀ ୯ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି । ଏହାରି ଭିତରେ ଭାରତ, ଚୀନ ଓ ରୁଷ ମଧ୍ୟରେ ସମ୍ପର୍କ ନିବିଡ଼ ହେଉଥିବା ଦେଖି, ଟ୍ରମ୍ପ ତାଙ୍କ ଅଭିମୁଖ୍ୟ ବଦଳାଇଛନ୍ତି । ଟ୍ରମ୍ପ ନିଜ ସୋସିଆଲ୍ ମିଡିଆରେ ଭାରତ ପ୍ରତି ନରମ ଆଭିମୁଖ୍ୟ ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଘନିଷ୍ଠ ବନ୍ଧୁ କହିବା ଆରମ୍ଭ କରିସାରିଛନ୍ତି ।