• ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଆମେ ଏପରି ଭିତ୍ତିହୀନ ମୋକଦ୍ଦମାକୁ ଖାରଜ କରୁଛୁ
  • ସମନ ବାଧ୍ୟକାରୀ ନୁହେଁ ଓ କୋର୍ଟର ଏହି ପଦକ୍ଷେପକୁ ଏକ ନିୟମିତ ପ୍ରକ୍ରିୟାତ୍ମକ ପଦକ୍ଷେପ ବୋଲି କୁହାଯାଇଛି
  • ଏସଏଫଜେ କୌଣସି ଭାରତୀୟ ନେତା ଅଥବା ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପ୍ରଥମ ଘଟଣା ନୁହେଁ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରାଳୟ (ଏମଇଏ) ଶୁକ୍ରବାର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଓ ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ଜାରି ଆମେରିକୀୟ କୋର୍ଟର ସମନକୁ ଖାରଜ କରଦେଇଛି। ଏହି ସମନ ଖାଲିସ୍ତାନ ସମର୍ଥକ ସଙ୍ଗଠନ ଶିଖସ୍ ଫର ଜଷ୍ଟିସ୍ (ଏସଏଫଜେ) ଦ୍ୱାରା ରୁଜୁ ଏକ ଦିବାନୀ ମୋକଦ୍ଦମାରେ ଜାରି ହୋଇଥିଲା। ଦିଲ୍ଲୀ କୋର୍ଟ ମାଧ୍ୟମରେ ପଠାଯାଇଥିବା ଆମେରିକୀୟ କୋର୍ଟ ଆଦେଶରେ ପଚରା ଯାଇଥିବା ପ୍ରଶ୍ନର ଜବାବ ଦେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଆମେ ଏପରି ଭିତ୍ତିହୀନ ମୋକଦ୍ଦମାକୁ ଖାରଜ କରୁଛୁ।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ସଦର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ ନ୍ୟୁୟର୍କ ଜିଲ୍ଲା କୋର୍ଟ ଜଜ୍ କ୍ୟାଥରିନ ପୋଲ୍କ ଫେଲ୍ଲା ଏହି ଆଦେଶ ଜାରି କରିଛନ୍ତି। ଏହି ମାମଲା ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଦ୍ୱାରା ରୁଜୁ ଏକ ଦିବାନୀ ମୋକଦ୍ଦମା ସମ୍ପର୍କିତ। ଆମେରିକା ଜିଲ୍ଲା କୋର୍ଟ ଡୋଭାଲ ଓ ଗୋୟଲଙ୍କୁ ଜୁଡିସିୟାଲ ଡକ୍ୟୁମେଣ୍ଟ ପଠାଇବା ଲାଗି ବିକଳ୍ପ ଉପାୟ କରିବାକୁ ଆଦେଶ ଦେଇଛନ୍ତି। ଏହା ଅନୁସାରେ ଦିଲ୍ଲୀର ୩ ନ୍ୟାୟାଳୟ ପାଟିୟାଲା ହାଉସ୍, ଦ୍ୱାରକା ଅଥବା ତିଶହଜାରୀ କୋର୍ଟ ମାଧ୍ୟମରେ ଡକ୍ୟୁମେଣ୍ଟ ପଠାଇବା କଥା କୁହାଯାଇଛି। କୋର୍ଟ କ୍ଲର୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ଏହି ଡକ୍ୟୁମେଣ୍ଟଗୁଡିକୁ ଅନ୍ତର୍ଜାତୀୟ ଡାକ ଅଥବା କୋରିଅର ମାଧ୍ୟମରେ ପଠାନ୍ତୁ।

ମାମଲାରେ ଆମେରିକା କୋର୍ଟର କହିବା କଥା ହେଉଛି ସେ ପ୍ରଥମେ ହେଗ୍ କନଭେନସନ ଅନୁସାରେ ଭାରତର କେନ୍ଦ୍ରୀୟ ପ୍ରାଧିକରଣଙ୍କ ମାଧ୍ୟମରେ ସମନ ପଠାଇବାକୁ ଉଦ୍ୟମ କରିଥିଲେ, ଯାହାକୁ ଖାରଜ କରିଦିଆଯାଇଥିଲା। ଏହାପରେ କୋର୍ଟ ହେଗ୍ କନଭେନସନର ଅନୁଚ୍ଛେଦ ୧୯ ଅନୁସାରେ ଭାରତ ସିଭିଲ ପ୍ରକ୍ରିୟା ସଂହିତା ଅନୁସାରେ ସମନ ପଠାଇବାର ବିକଳ୍ପ ମାଧ୍ୟମକୁ ମଞ୍ଜୁର କରିଛନ୍ତି। ଆଦେଶରେ କୁହାଯାଇଛି ଯେ କୋର୍ଟ ଏହି ଦିବାନୀ ମାମଲାରେ ପ୍ରତିବାଦୀଙ୍କ ଉପରେ ପ୍ରକ୍ରିୟା ଲାଗୁ କରିବାରେ ସମ୍ବଦ୍ଧିତ ଭାରତୀୟ କୋର୍ଟଙ୍କୁ ସମ୍ମାନ ପୂର୍ବକ ସହାୟତା ନିମନ୍ତେ ଅନୁରୋଧ କରୁଛୁ।

ତେବେ ସୂତ୍ର ଅନୁସାରେ ସମନ ବାଧ୍ୟକାରୀ ନୁହେଁ ଓ କୋର୍ଟର ଏହି ପଦକ୍ଷେପକୁ ଏକ ନିୟମିତ ପ୍ରକ୍ରିୟାତ୍ମକ ପଦକ୍ଷେପ ବୋଲି କୁହାଯାଇଛି। ଏହା ପୂର୍ବରୁ ଆମେରିକା ବିଦେଶ ବିଭାଗ ଭାରତୀୟ ଦୂତାବାସ ମାଧ୍ୟମରେ ସମନ ପଠାଇଥିଲା ଓ ସ୍ପଷ୍ଟ କରିଥିଲା ଯେ ଏହି ପଦକ୍ଷେପର ମାମଲା ଉପରେ କୌଣସି ପ୍ରକାରର ନେଣଦେଣ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଏସଏଫଜେ କୌଣସି ଭାରତୀୟ ନେତା ଅଥବା ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୧୩ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏହି ସଙ୍ଗଠନ ଏକ ମୋକଦ୍ଦମାରେ ସମନ ପଠାଇଥିଲା, ଯେଉଁଥିରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସମ୍ପର୍କିତ ମାନବାଧିକାର ଉଲ୍ଲଂଘନର ଅଭିଯୋଗ କରାଯାଇଥିଲା।