୨୦୨୨ରେ ପ୍ରବାସୀ ଭାରତୀୟଙ୍କଠାରୁ ଦେଶକୁ ମିଳିଛି ୧୧୧ ବିଲିୟନ ଡଲାର, ବିଶ୍ୱରେ ସର୍ବାଧିକ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ ୮।୫: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ୨୦୨୨ରେ ଦେଶକୁ ୧୧୧ ବିଲିୟନ ଡଲାରରୁ ଅଧିକ ପଠାଇଛନ୍ତି। ଜାତିସଂଘ ମାଇଗ୍ରେସନ ଏଜେନ୍ସୀ ଏକ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି। ଏଜେନ୍ସୀଙ୍କ ଏହି ସୂଚନା ଅନୁସାରେ ଭାରତୀୟ ସ୍ୱଦେଶକୁ ପଠାଇଥିବା ଧନ ବିଶ୍ୱରେ ସର୍ବାଧିକ ଥିଲା ଓ ଏହା ସହିତ ଭାରତ ୧୦୦ ବିଲିୟନ ଡଲାରକୁ ପହଞ୍ଚିବା ଓ ଏହାକୁ ପାର କରିବାରେ ବିଶ୍ୱର ପ୍ରଥମ ଦେଶରେ ପରିଣତ ହୋଇଛି। 

ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ (ଆଇଓଏମ) ଜାରି କରିଥିବା ‘ୱାର୍ଲଡ ମାଇଗ୍ରେସନ ରିପୋର୍ଟ-୨୦୨୪’ରେ କୁହାଯାଇଛି ଯେ ୨୦୨୨ରେ ରେମିଟାନ୍ସ ପ୍ରାପ୍ତ କରିଥିବା ଶୀର୍ଷ ୫ ଦେଶଙ୍କ ମଧ୍ୟରେ ମେକ୍ସିକୋ, ଚୀନ୍, ଫିଲପାଇନ୍ସ ଓ ଫ୍ରାନ୍ସ ମଧ୍ୟରେ ଭାରତ ମଧ୍ୟ ସାମିଲ ଅଛି। ପ୍ରେରିତ ରାଶି ବା ରେମିଟାନ୍ସର ଅର୍ଥ ପ୍ରବାସୀଙ୍କ ଦ୍ୱାରା ମୂଳ ଦେଶରେ ରହୁଥିବା ବନ୍ଧୁବାନ୍ଧବ ଓ ସମ୍ପର୍କିୟଙ୍କୁ ପଠାଉଥିବା ଧନ। ଏପରି ଧନ ପ୍ରାପ୍ତ କରିବାରେ ଭାରତ ୫ ଦେଶଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ଥିବା ବେଳେ ୧୧୧ ବିଲିୟନ ଡଲାର ପ୍ରାପ୍ତ କରିଛି। ଫଳରେ ୧୦୦ ବିଲିୟନ ଡଲାର ରେମିଟାନ୍ସ ରାଶି ପାର କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଚ୍ରରେ ପରିଣତ ହୋଇଛି। 

୨୦୨୨ରେ ରେମିଟାନ୍ସ ରାଶି ପାଇବାରେ ମେକ୍ସିକୋ ବିଶ୍ୱର ଦ୍ୱିତୀୟ ଦେଶ ଥିଲା। ଫଳରେ ଦ୍ୱିତୀୟ ସ୍ଥାନରେ ଥିବା ଚୀନ୍‌ ପଛେଇ ଯାଇଛି। ଏହା ପୂର୍ବରୁ ଭାରତ ବାଦେ ଚୀନ୍‌ ରେମିଟାନ୍ସ ରାଶି ପାଇବାରେ ବିଶ୍ୱର ଦ୍ୱିତୀୟ ଦେଶ ଥିଲା। ରିପୋର୍ଟ ଅନୁସାରେ ଭାରତ ୨୦୧୦ରେ ୫୩.୪୮, ୨୦୧୫ରେ ୬୮.୯୧ ଓ ୨୦୨୦ରେ ସର୍ବାଧିକ ୮୩.୧୫ ବିଲିୟନ ଡଲାର ରେମିଟାନ୍ସ ରାଶି ପାଇବାରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଥିଲା। ତେବେ ୨୦୨୨ରେ ଭାରତ ପ୍ରଥମ ଥର ୧୧୧.୨୨ ବିଲିୟନ ଡଲାର ରେମିଟାନ୍ସ ରାଶି ପାଇ ରେକର୍ଡ ସୃଷ୍ଟି କରିଛି। 

ଦକ୍ଷିଣ ଏସିଆର ୩ ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶ ବିଶ୍ୱରେ ଅନ୍ତର୍ଜାତୀୟ ରୂପେ ରେମିଟାନ୍ସ ରାଶି ପାଇବାରେ ୧୦ ଶୀର୍ଷ ଦେଶଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ଏହି ଉପମହାଦେଶରେ ଶ୍ରମିକଙ୍କ ପ୍ରବାସକୁ ମହତ୍ୱ ଦେଉଛନ୍ତି। ପାକିସ୍ତାନ ଓ ବାଂଲାଦେଶ ୨୦୨୨ରେ ଯଥାକ୍ରମେ ୩୦ ବିଲିୟନ ଡଲାର ଓ ୨୧.୫ ବିଲିୟନ ଡଲାର ରେମିଟାନ୍ସ ରାଶି ପାଇଛନ୍ତି। ଏପରି ଧନ ପ୍ରାପ୍ତ କରିବାରେ ପାକିସ୍ତାନ ଓ ବାଂଲାଦେଶ କ୍ରମାନୁଶାରେ ସୂଚୀର ଷଷ୍ଠ ଓ ଅଷ୍ଟମ ସ୍ଥାନରେ ଅଛନ୍ତି। 

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱରେ ସବୁଠୁ ଅଧିକ ପ୍ରବାସୀ ଭାରତୀୟ ଅଟନ୍ତି। ଯେଉଁମାନଙ୍କ ମୋଟ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧.୩ ପ୍ରତିଶତ ବା ୧.୮କୋଟି। ଭାରତର ଅଧିକାଂଶ ପ୍ରବାସୀ ୟୁନାଇଟେଡ ଆରବ ଏମିରେଟସ, ଆମେରିକା ଓ ସାଉଦୀ ଆରବ ଭଳି ଦେଶରେ ରହୁଛନ୍ତି। ପ୍ରବାସୀଙ୍କ ନିମନ୍ତେ କାମ କରିବା କ୍ରମରେ ଭାରତ ବିଶ୍ୱର ୧୩ ନମ୍ବର ଦେଶ ଓ ଦେଶରେ ୪୪.୮ ଲକ୍ଷ ପ୍ରବାସୀ ଶ୍ରମିକ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.