ନୂଆଦିଲ୍ଲୀ: ରୁଷ ତେଲ ଆମଦାନୀକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବଢିଥିବା ଉତ୍ତେଜନା ଏବେ ଧୀରେ ଧୀରେ ହ୍ରାସ ପାଉଥିବା ନଜର ଆସୁଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ବିଦେଶ ମନ୍ତ୍ରଣାଳୟ କହିଛି ଯେ ଇରାନ ସ୍ଥିତ ଚାବହାର ପୋର୍ଟ ପରିଯୋଜନା ପାଇଁ କଟକଣା ଛାଡ଼ ଅବଧିକୁ ଆମେରିକା ବଢାଇ ଦେଇଛି । ଚାବହାର ପୋର୍ଟ ଉପରେ ଆମେରିକାର କଟକଣାରୁ ଭାରତକୁ ଛଅ ମାସ ଛାଡ଼ ମିଳିଛି ।

ଚାବହାର ପୋର୍ଟ ପାଇଁ ଆମେରିକାର କଟକଣା ଛାଡ଼ ଅବଧି ଅକ୍ଟୋବର ୨୭ରେ ଶେଷ ହୋଇଥିଲା । ଭାରତ ୨୦୨୪ରେ ଇରାନ ସହ ଏକ ଦଶନ୍ଧି ପାଇଁ ଚାବହାର ପୋର୍ଟ ପରିଚାଳନା ବୁଝାମଣା କରିଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ବନ୍ଦରର ବିକାଶ ପାଇଁ ଭାରତ ବହୁ ନିବେଶ କରିସାରିଛି ।

ଭାରତ ୨୦୨୪ ମେରେ ଇରାନ ସହ ୧୦ ବର୍ଷ ପାଇଁ ବୁଝାମଣା ସ୍ୱାକ୍ଷାର କରିଥିଲା । ଏହା ଅଧିନରେ ଭାରତୀୟ ପୋର୍ଟ୍ସ ଗ୍ଲୋବାଲ୍ ଲିମିଟେଡ୍ ସାହିଦ ବେହେସ୍ତି ଟର୍ମିନଲର ପରିଚାଳନା ନିଜ ହାତକୁ ନେଇଥିଲା । କୌଣସି ବିଦେଶୀ ବନ୍ଦରର ପରିଚାଳନା ସମ୍ଭାଳିବାରେ ଏହା ଥିଲା ଭାରତ ପାଇଁ ପ୍ରଥମ । ଏହା ପୂର୍ବରୁ ୨୦୧୬ର ବୁଝାମଣା ଅନୁସାରେ ପ୍ରତିବର୍ଷ ଚୁକ୍ତି ନବୀକରଣ କରାଯାଉଥିଲା ।

ଚାବହାର ପୋର୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ ଅଟେ, କାରଣ ଏହା ପାକିସ୍ତାନକୁ ବାଇପାସ୍ କରି ଆଫଗାନିସ୍ତାନ ଓ ମଧ୍ୟ ଏସିଆକୁ ସିଧା ବାଣିଜ୍ୟ ମାର୍ଗ ଉପଲବ୍ଧ କରାଇଥାଏ । ଭାରତ ୨୦୦୩ରେ ଏହି ପ୍ରୋଜେକ୍ଟର ପ୍ରସ୍ତାବ ଦେଇଥିଲା । ଏହାଦ୍ୱାରା ଇଣ୍ଟରନ୍ୟାସନାଲ୍ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ କରିଡୋର ଜରିଆରେ କ୍ଷେତ୍ରୀୟ ଯୋଗାଯୋଗକୁ ମଜଭୁତ କରାଯାଇପାରିବ ।