LIVE TV

ଟ୍ରମ୍ପଙ୍କ ଟାରିଫ୍‌କୁ ରୋକିବା ପାଇଁ ପୁଟିନଙ୍କ ସହ କଥା ହେଲେ ପିଏମ୍‌ ମୋଦି ? ନାଟୋ ମୁଖ୍ୟଙ୍କ ଦାବିରେ ଭାରତର ଦୃଢ ଖଣ୍ଡନ

NEWS7
NATO Secretary-General Mark Rutte


​​​​​​ନୂଆଦିଲ୍ଲୀ – ଆମେରିକାର ଟାରିଫ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଛି ଆଲୋଚନା। ନାଟୋ ମୁଖ୍ୟଙ୍କ ଏହି ଦାବିକୁ ଭାରତ ଦୃଢ ଭାବେ କରିଛି ଖଣ୍ଡନ। ଭାରତ ସ୍ପଷ୍ଟ କରିଛି ଯେ, ଏହି ସମ୍ୱନ୍ଧରେ ପିଏମ୍‌ ମୋଦି ଓ ପୁଟିନଙ୍କ କୌଣସି କଥାବାର୍ତ୍ତା ହୋଇ ନାହିଁ। ଶୁକ୍ରବାର ଏକ ପ୍ରେସ୍‌ ବ୍ରିଫିଂରେ ସାମ୍ୱାଦିକଙ୍କ ପ୍ରଶ୍ନର ଜବାବ ଦେଇ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତ ରଣଧୀର ଜାୟସୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁଟିନଙ୍କ ସହ କଥାବାର୍ତ୍ତା ବିଷୟରେ ନାଟୋ ମହାସଚିବଙ୍କ ଟିପ୍ପଣୀ ତଥ୍ୟାତ୍ମକ ଭାବେ ଭୁଲ୍‌ ଓ ଭିତ୍ତିହୀନ। ଏହା ପୂର୍ବରୁ ନାଟୋ ମହାସଚିବ ମାର୍କ ରଟ୍‌ ଦାବି କରିଥିଲେ ଯେ, ଆମେରିକାର ଟାରିଫ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କ ସହ ଲଗାତାର ଆଲୋଚନା କରୁଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜାୟସୱାଲ ଏକ ପ୍ରଶ୍ନର ଜବାବରେ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା ବାର୍ତ୍ତାଳାପ ବିଷୟରେ ନାଟୋ ମହାସଚିବ ମାର୍କ ରଟ୍‌ଙ୍କ ବିବୃତ୍ତି ଦେଖିଛି। ଏହି ବିବୃତ୍ତି ତଥ୍ୟାତ୍ମକ ଭାବେ ଭୁଲ ଓ ସଂପୂର୍ଣ୍ଣ ରୂପେ ଭିତ୍ତିହୀନ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ କୌଣସି ସମୟରେ ଏହି ସମ୍ୱନ୍ଧରେ କଥା ହୋଇ ନାହାନ୍ତି , ଯେମିତି କୁହାଯାଉଛି। ଏମିତି କୌଣସି ଆଲୋଚନା ହୋଇ ନାହିଁ।

ରଣଧୀର ଜାୟସୱାଲ ନାଟୋ ମୁଖ୍ୟଙ୍କୁ ଏମିତି ଦାୟିତ୍ୱହୀନ ବିବୃତ୍ତିରୁ ଦୂରେଇ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି , ଆମେ ନାଟୋ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ଓ ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀଙ୍କ ଠାରୁ ଆଶା କରୁ ଯେ, ସେ ସାର୍ବଜନିକ ମନ୍ତବ୍ୟରେ ଅଧିକ ଦାୟିତ୍ୱପୂର୍ଣ୍ଣ ଓ ସଠିକତା ଆପଣାଇବେ। ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ଭୁଲ ଢଙ୍ଗରେ ଉପସ୍ଥାପିତ କରୁଥିବା  କିମ୍ୱା ଏମିତି କଥାବାର୍ତ୍ତାର ସଙ୍କେତ ଦେଉଥିବା ଆକଳନ କିମ୍ୱା  ଅବହେଳା ପୂର୍ଣ୍ଣ ଟିପ୍ପଣୀ ଅସ୍ୱୀକାର୍ଯ୍ୟ।

ଏହି ସମୟରେ ଜାୟସୱାଲ ରୁଷିଆ ତୈଳର କ୍ରୟ ଉପରେ ପାଶ୍ଚାତ ଦେଶକୁ ବାର୍ତ୍ତା ଦେଇ ପୁଣି ଥରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତ ନିଜର ଆର୍ଥିକ ହିତକୁ ସୁରକ୍ଷିତ କରିବା ପାଇଁ ଯଥା ସମ୍ଭବ ପଦକ୍ଷେପ ଉଠାଇବ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ଆମେ ପୂର୍ବରୁ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ, ଭାରତର ଶକ୍ତି ଆମଦାନୀର ଉଦ୍ଦେଶ୍ୟ ଭାରତୀୟ ଉପଭୋକ୍ତାଙ୍କ ପାଇଁ ସ୍ଥିର ଓ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା। ଭାରତ ନିଜର ରାଷ୍ଟ୍ରୀୟ ହିତ ଓ ଆର୍ଥିକ ସୁରକ୍ଷାର ପ୍ରତିରକ୍ଷା ପାଇଁ ସବୁ ଆବଶ୍ୟକୀୟ ପଦକ୍ଷେପ ଉଠାଇବ।

କହି ରଖୁଛୁ ଯେ, ରୁଷୀୟ ତୈଳର କ୍ରୟକୁ ଉଲ୍ଲେଖ କରି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇଛି। ଆମେରିକା ଏହି ପଦକ୍ଷେପକୁ ଯଥାର୍ଥ କରିବା ପାଇଁ କହିଛି ଯେ, ରୁଷ୍‌ ଉପରେ ୟୁକ୍ରେନ ଯୁଦ୍ଧକୁ ରୋକିବାର ଚାପ ପକାଇବା ପାଇଁ ଭାରତ ଉପରେ ପ୍ରତିବନ୍ଧକ ଲଗାଯାଉଛି।