ନୂଆଦିଲ୍ଲୀ: ଭାରତ-ଭୁଟାନ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ର ମିଳିତ ଭାବରେ ଏକ ପ୍ରମୁଖ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି। ଏହି ପ୍ରକଳ୍ପ ୪,୦୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭୁଟାନର ଦୁଇ ସହର ଗେଲେଫୁ ଏବଂ ସାମତ୍ସେକୁ ରେଳ ପ୍ରକଳ୍ପ ଦ୍ୱାରା ଭାରତ ସହିତ ଯୋଡ଼ାଯିବ।

ଏନେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ରେଳ ପ୍ରକଳ୍ପ ଭୁଟାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହରକୁ ସଂଯୋଗ କରିବ। ମାଇଣ୍ଡଫୁଲେନ୍ସ ସିଟି ଭାବରେ ବିକଶିତ କରାଯାଉ ଥିବା ଗେଲେଫୁ ସହର ଓ ଶିଳ୍ପ ସହର ସାମତ୍ସେକୁ ଏହି ରେଳ ଚଳାଚଳ କରିବ। ଉଭୟ ସହରକୁ ରେଳ ନେଟୱାର୍କ ମାଧ୍ୟମରେ ଭାରତର କୋକ୍ରାଝାର ଏବଂ ବନରହାଟ ସହିତ ସଂଯୋଗ କରାଯିବ।

କୋକ୍ରାଝାର-ଗେଲେଫୁ ଲାଇନ ଭାରତର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ବୋଙ୍ଗାଇଗାଓଁକୁ ସଂଯୋଗ କରିବ। କୋକ୍ରାଝାର ଏକ ଆଞ୍ଚଳିକ ଷ୍ଟେସନ, ଯାହା ଏହି ପ୍ରକଳ୍ପକୁ ଭାରତର ୧୫୦,୦୦୦ କିଲୋମିଟର ରେଳ ନେଟୱାର୍କ ସହିତ ଯୋଡ଼ିବ। ମାତ୍ର ୭୦ କିଲୋମିଟର ନୂଆ ଟ୍ରାକ୍ ନିର୍ମାଣ କରି, ଭୁଟାନକୁ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୋଗ କରାଯାଇପାରିବ। ମୋଟ ଉପରେ, ଏହି ପ୍ରକଳ୍ପ ୮୯ କିଲୋମିଟର ରେଳ ନେଟୱାର୍କ ସୃଷ୍ଟି ହେବ।

ଏନେଇ ଆହୁରି ସୂଚନା ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଭୁଟାନର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ଭୁଟାନର ଅଧିକାଂଶ ବାଣିଜ୍ୟ ଭାରତୀୟ ବନ୍ଦର ମାଧ୍ୟମରେ ପରିଚାଳିତ ହୁଏ। ତେଣୁ, ଭୁଟାନର ଅର୍ଥନୀତି ଏବଂ ଏହାର ଲୋକମାନଙ୍କୁ ବିଶ୍ୱ ନେଟୱାର୍କ ସହିତ ଯୋଡ଼ିବା ପାଇଁ ଏକ ଭଲ ରେଳ ସଂଯୋଗ ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ରେଳ ନେଟୱର୍କର ସମସ୍ତ ଖର୍ଚ୍ଚ  ଭାରତ ସରକାର ବହନ କରିବେ ରିପୋର୍ଟ ପ୍ରକାଶ ପାଇଛି।

ମାର୍ଚ୍ଚ ୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଟାନ ଗସ୍ତ ସମୟରେ, ଦୁଇ ଦେଶ ଦୁଇଟି ରେଳ ଲାଇନ ଉପରେ ସହମତ ହୋଇଥିଲେ। କୋକରାଝାର-ଗେଲେଫୁ ଏବଂ ବନରହାଟ-ସାମତ୍ସେ। ୧୬ କିଲୋମିଟର ଲମ୍ବ ବନରହାଟ-ସାମତ୍ସେ ସେକ୍ସନ ପଶ୍ଚିମବଙ୍ଗକୁ ଭୁଟାନ ସହିତ ସଂଯୋଗ କରିବ। ଏହି ଲାଇନଗୁଡ଼ିକ ଭୁଟାନକୁ ଏହାର ପ୍ରଥମ ରେଳ ସଂଯୋଗ ପ୍ରଦାନ କରିବ। ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ଦ୍ୱାରା ପାଣ୍ଠି ଯୋଗାଇ ଦିଆଯିବ।