ନୂଆଦିଲ୍ଲୀ: ଆମେରିକାର ଡଲାରକୁ ବାଇପାସ୍ କରିବାକୁ ନିଜ ନିଜ ମୁଦ୍ରାରେ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଭାରତ ଓ ଜାପାନ। ଏଥିପାଇଁ ଦୁଇ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟରେ ଏକ ସ୍ଥାନୀୟ ମୁଦ୍ରା ସେଟଲମେଣ୍ଟ ବ୍ୟବସ୍ଥା (local-currency settlement framework) ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ୟେନ୍ ଓ ରୁପିରେ କାରବାର ହୋଇପାରିବ।

'ନିକ୍କେଇ ଏସିଆ'ର ଏକ ରିପୋର୍ଟ ଅନୁଯାୟୀ, ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଭାବେ ଏହି ବ୍ୟବସ୍ଥାର ଘୋଷଣା କରିବେ। ଚଳିତ ସପ୍ତାହରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଛି ଭାରତ ଗସ୍ତରେ ଆସୁଛନ୍ତି। ନୂଆଦିଲ୍ଲୀରେ ତାଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ବୈଠକ ହେବ। ବୈଠକରେ ଦୁଇ ନେତା ମିଳିତ ବିବୃତ୍ତି ଜାରି କରି ସୂଚନା ଦେବେ ବୋଲି ନିକେଇ ଏସିଆ ରିପୋର୍ଟ କରିଛି।

ତେବେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତ୍ତିରେ ମୁଦ୍ରା ସହଯୋଗକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ଏହା ପ୍ରଥମ ଘଟଣା ହେବ। ପ୍ରଧାନମନ୍ତ୍ରୀ ତାକାଇଚି ୨୦୨୫ ଶେଷରେ କ୍ଷମତାସୀନ ହେବା ପରେ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହେବ। ସେ ଜୁଲାଇ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଆସିବେ।

ଏଥିରେ କ’ଣ ଲାଭ ହେବ ?

ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଜାପାନୀ ଅଣ-ନିବାସୀମାନଙ୍କୁ ଭାରତୀୟ ବ୍ୟାଙ୍କରେ ଖାତା ଖୋଲିବାକୁ ଅନୁମତି ମିଳିବ। ଏହାଦ୍ୱାରା ତୃତୀୟ ଦେଶର କରେସପଣ୍ଡେଣ୍ଟ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ କାରବାର ନ କରି, ଉଭୟ ଦେଶର ଆର୍ଥିକ ଅନୁଷ୍ଠାନଗୁଡ଼ିକ ସିଧାସଳଖ ୟେନ୍ ଏବଂ ରୁପିରେ ସୀମାପାର ପେମେଣ୍ଟ କରିପାରିବେ। ନିକ୍କେଇ ରିପୋର୍ଟ ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ବିଦେଶୀ ମୁଦ୍ରା ପରିବର୍ତ୍ତନ ଖର୍ଚ୍ଚ ହ୍ରାସ ପାଇବ, ରେମିଟାନ୍ସ ଚାର୍ଜ କମିବ ଏବଂ ସେଟଲମେଣ୍ଟ ସମୟ ମଧ୍ୟ କମ୍ ଲାଗିବ।

ବିଶେଷକରି ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଥିବା ଜାପାନୀ କମ୍ପାନୀଗୁଡ଼ିକ ପାଇଁ ସୀମାପାର ପେମେଣ୍ଟକୁ ଅଧିକ ଦକ୍ଷ କରି ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଜାପାନର ଅର୍ଥ ମନ୍ତ୍ରଣାଳୟ ୨୦୨୬ ଆର୍ଥିକ ବର୍ଷ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ଜାପାନ ୨୦୧୯ରେ ଇଣ୍ଡୋନେସିଆ ସହିତ ଏହିପରି ଏକ ସ୍ଥାନୀୟ ମୁଦ୍ରା ସେଟଲମେଣ୍ଟ ବ୍ୟବସ୍ଥା ଆରମ୍ଭ କରିଥିଲା, ଯେଉଁଥିରେ ୨୦୨୫ ସୁଦ୍ଧା ୭.୭ ବିଲିୟନ ଡଲାରର କାରବାର ହୋଇଥିଲା। ଏହାବ୍ୟତୀତ ଟୋକିଓ ମାଲେସିଆ ସହିତ ମଧ୍ୟ ଏପରି ବ୍ୟବସ୍ଥା ପାଇଁ ବିଚାର କରୁଛି।

ଏହି ନୂଆ ପ୍ରସ୍ତାବ ୨୦୨୫ ଭାରତ-ଜାପାନ ଜଏଣ୍ଟ ଭିଜନ (Joint Vision) ଉପରେ ଆଧାରିତ ହେବ। ଯେଉଁଥିରେ କ୍ଲୋଜ କରେନ୍ସି କୋଅପରେସନ ବିଷୟରେ ଉଲ୍ଲେଖ ରହିଛି। ଗତ ସପ୍ତାହରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ଶିଖର ସମ୍ମିଳନୀ ଉଭୟ ଦେଶକୁ ସମସ୍ତ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ସହିତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିବାର ସୁଯୋଗ ଦେବ।

ଆଗାମୀ ବୈଠକରେ ପ୍ରତିରକ୍ଷା ସହଯୋଗ, ସ୍ଥିର ଯୋଗାଣ ଶୃଙ୍ଖଳା (resilient supply chains), ସେମିକଣ୍ଡକ୍ଟର ଉତ୍ପାଦନ, କୃତ୍ରିମ ବୁଦ୍ଧିମତା (AI) ଏବଂ ଅଟୋମୋବାଇଲ କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯିବ। ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ସହ ସୁଜୁକି ମୋଟର, ଇଟୋଚୁ କର୍ପୋରେସନ୍ ଏବଂ ଟୟୋଟା ସୁସୋ ଭଳି ବଡ଼ କମ୍ପାନୀର ପ୍ରତିନିଧିଙ୍କ ସମେତ ପ୍ରାୟ ୫୦ ଜଣ ବ୍ୟବସାୟୀଙ୍କ ଏକ ପ୍ରତିନିଧି ଦଳ ଭାରତ ଆସିବେ। ତେଣୁ ଆର୍ଥିକ ଦୃଷ୍ଟିରୁ ଏହି ଗସ୍ତ ଖୁବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।