ନୂଆଦିଲ୍ଲୀ ୩୦।୯: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅକ୍ଟୋବର-ଡିସେମ୍ବର ୨୦୨୫ ପାଇଁ ପାଣିପାଗ ରିପୋର୍ଟ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ ଉତ୍ତର-ପଶ୍ଚିମ କ୍ଷେତ୍ରର କିଛି ଅଞ୍ଚଳକୁ ଛାଡି ଦେଲେ ଦେଶର ଅଧିକାଂଶ ଭାଗରେ ଏହି ଅବଧିରେ ସ୍ୱଭାବିକରୁ ଅଧିକ ବର୍ଷା ହୋଇପାରେ। ଆଇଏମଡିଙ୍କ ଏହି ପୂର୍ବାନୁମାନରୁ ଧାନ ଚାଷ କରୁଥିବା ଚାଷୀଙ୍କ ଫସଲ ଅମଳ ବେଳେ ବର୍ଷା ସମସ୍ୟା ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି।

ସେପ୍ଟେମ୍ବର ମାସର ଶେଷ ଦିନରେ କେତେକ ରାଜ୍ୟରେ ପାଣିପାଗ ବିଗିଡି ଯାଇଛି। ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଭୀଷଣ ବର୍ଷା ଯୋଗୁ ମରାଠାବାଡ ଓ ବିଦର୍ଭରେ ଚାଷ ଜମିରେ ପାଣି ଭରି ଯାଇଛି। କେତେକ ସ୍ଥାନରେ ପାଣି ଫସଲ ଭସାଇ ନେଇଥିବା ବେଳେ ଆଉ କେତେକ ସ୍ଥାନରେ ଛିଡା ହୋଇଥିବା ଫସଲ ବର୍ଷା ଯୋଗୁ ନଷ୍ଟ ହୋଇଛି।

ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବିଜୟାଦଶମୀରେ ଦର୍ଷା ହୋଇପାରେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁ ଏପରି ପରିସ୍ଥିତି ଉପୁଜିବ। ଲଘୁଚାପ ପ୍ରଭାବରେ ହାୱଡା, ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ଓ ପଶ୍ଚିମ ମେଦିନିପୁର ଅତ୍ୟଧିକ ବର୍ଷା ଅନୁମାନ କରାଯାଉଛି। ବୀରଭୂମ, ମୁର୍ଶିଦାବାଦ ଓ ପଶ୍ଚିମ ବର୍ଦ୍ଧମାନରେ ମଧ୍ୟ ଭୀଷଣ ବର୍ଷାର ସମ୍ଭାବନା ରହିଛି।

୨୦୨୫ ମୌସୁମୀ ଉତ୍ତର-ପଶ୍ଚିମ ଭାରତରେ ୭୪୭.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୨୦୦୧ ମସିହା ପରେ ଏହା ସର୍ବାଧିକ ହୋଇଥିବା ବେଳେ ୧୯୦୧ ମସିହାରୁ ଏପର୍ଯ୍ୟନ୍ତ ଅଧିକ ବର୍ଷା କରିଥିବା ଷଷ୍ଠ ବର୍ଷା ଋତୁ।  ଅକ୍ଟୋବର-ଡିସେମ୍ବର ମଧ୍ୟରେ ମଧ୍ୟ ବର୍ଷା ଆଶଙ୍କାକୁ ଟଳା ଯାଇ ପାରୁ ନାହିଁ। ଏହି ସମୟରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱଭାବିକ୍ ରୁ ଅଧିକ ବର୍ଷା ହୋଇପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।