• ଯେଉଁମାନେ ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି ସେମାନଙ୍କ ଲାଗି ଫର୍ମ-୬ ପୂରଣ କରାଯାଏ
  • ଆବେଦନକାରୀଙ୍କୁ ସେ ପୂର୍ବରୁ କୌଣସି ଭୋଟର ତାଲିକାରେ ପଞ୍ଜିକୃତ ନଥିଲେ ବୋଲି ଘୋଷଣା କରିବାକୁ ହୁଏ
  • ଭୁଲ ଘୋଷଣା କଲେ ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୩୧ରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)ରେ ଭୋଟର ଲିଷ୍ଟରୁ ନାମ କଟିଥିଲେ ଏବେ ଦ୍ୱିତୀୟବାର ନାମ ଯୋଡିବା ପାଇଁ ଫର୍ମ-୬ ପୂରଣ କରିବା ନିମନ୍ତେ ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ରହିବ ନାହିଁ। ଗଣମାଧ୍ୟମ ସୂଚନା ଅନୁସାରେ ନିର୍ବାଚନ ଆୟୋଗ ଏ ନେଇ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରି ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଭୋଟର ଥିବା ଲୋକେ ବି ଫର୍ମ-୬ ପୂରଣ କରି ଦ୍ୱିତୀୟବାର ନିଜକୁ ସୂଚୀରେ ସାମିଲ କରିପାରିବେ। କେବଳ ଏହି ଆଧାରରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଯେ ସେମାନେ ପୂର୍ବରୁ ଭୋଟର ଭାବେ ପଞ୍ଜିକୃତ ଥିଲେ।

ଆୟୋଗ କଟିଯାଇଥିବା ଭୋଟରଙ୍କ ଲାଗି ଏନ୍ୟୁମୁରେସନ ଫର୍ମ ଜମା କରିବାର ଅନଲାଇନ ଓ ଅଫଲାଇନ ବିକଳ୍ପ ମଧ୍ୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯେଉଁମାନେ ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି ସେମାନଙ୍କ ଲାଗି ଫର୍ମ-୬ ପୂରଣ କରାଯାଏ। ଏଥିରେ ଆବେଦନକାରୀଙ୍କୁ ସେ ପୂର୍ବରୁ କୌଣସି ଭୋଟର ତାଲିକାରେ ପଞ୍ଜିକୃତ ନଥିଲେ ବୋଲି ଘୋଷଣା କରିବାକୁ ହୁଏ। ଏଥିରେ ଭୁଲ ଘୋଷଣା କଲେ ଜନପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୩୧ରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି। ଏହି କାରଣରୁ ଏସଆଇଆର କାଳରେ ଯେଉଁମାନଙ୍କ ନାମ ଭୋଟର ତାଲିକାରୁ କଟି ଯାଇଥିଲା ସେମାନେ ଫର୍ମ-୬ ପୂରଣ କରିବାକୁ ଥତମତ ହେଉଥିଲେ।

ଆୟୋଗ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ କେବଳ ଫର୍ମ-୬ ପୂରଣ କରିବା ଆଧାରରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ତେବେ ଆବେଦନକାରୀ କୌଣସି ଅନ୍ୟ ସଂସଦୀୟ ଅଥବା ବିଧାନସଭା ନିର୍ବାଚନମଣ୍ଡଳିର ଭୋଟର ଲିଷ୍ଟରେ ପଞ୍ଜିକୃତ ହୋଇ ନଥିବେ ଓ ତାଙ୍କ ଘୋଷଣା ଆଇନତଃ ହୋଇଥିବା ଆବଶ୍ୟକ। ଆୟୋଗ କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ପରାମର୍ଶ ଉପରେ ଧ୍ୟାନ ଦେଇ ଏସଆଇଆର କାଳରେ ବାଦପଡିଥିବା, ଅନୁପସ୍ଥିତ ଥିବା ଅଥବା ମୃତ କିମ୍ବା ଡୁପ୍ଲିକେଟ୍ ମତଦାତଙ୍କ ନିକଟରେ ପହଞ୍ଚିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ସେହି ଅନୁସାରେ ୬ ନଭେମ୍ବର ୨୦୨୬ରେ ଜାରି ନିର୍ଦ୍ଦେଶରେ ଏସଆଇର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ନିର୍ବାଚନ ଅଧିକାରୀଙ୍କୁ ବାଦ ପଡିଥିବା ଭୋଟରଙ୍କ ଏନ୍ୟୁମୁରେସନ ଫର୍ମ ଜମା କରିବାର ବ୍ୟବସ୍ଥା କରିବାକୁ କହିଛନ୍ତି। ଆୟୋଗଙ୍କ ଅନୁସାରେ ଯେଉଁ ଭୋଟରଙ୍କ ଠିକଣା ବଦଳି ନାହିଁ ସେମାନେ ମଧ୍ୟ ସ୍ୱାକ୍ଷରିତ ଏନ୍ୟୁମୁରେସନ ଫର୍ମ (ଅନୁବନ୍ଧ-ଏ) ଜମା କରିପାରିବେ। ଏହା ସହିତ ସେମାନଙ୍କୁ ଅନୁବନ୍ଧ-ବିରେ ପୂର୍ବରୁ ନିର୍ଦ୍ଧାରିତ ସମୟରେ ଫର୍ମ କାହିଁକି ଜମା କରିପାରିନଥିଲେ ତାହା ଜଣାଇବାକୁ ପଡିବ। ଏହି ଫର୍ମକୁ ନିଜେ ଅଥବା ପରିବାରର କୌଣସି ସଦସ୍ୟଙ୍କ ମାଧ୍ୟମରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ(ଇଆରଓ), ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ(ଏଇଆରଓ) ଅଥବା ବୁଥ ଲେବୁଲ ଅଧିକାରୀ (ବିଏଲଓ)ଙ୍କ ନିକଟରେ ଜମା କରିପାରିବେ। ସେହିପରି ଇସିଆଇନେଟ୍ ରେ ଇ-ସାଇନ ମାଧ୍ୟମରେ ଅନଲାଇନ ଫର୍ମ ଜମା କରିବାର ବିକଳ୍ପ ମଧ୍ୟ ମିଳିବ।

ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ସୁପ୍ରିମକୋର୍ଟ ଏସଆଇଆର କାଳରେ ପୂର୍ବରୁ ଭୋଟର ଥିବା ଲୋକଙ୍କନାମ ଡ୍ରାଫ୍ଟ ସୂଚିରେ ଆସି ନଥିବାରୁ ସେମାନଙ୍କ ଦ୍ୱାରା ଫର୍ମ-୬ ପୂରଣ ଉପରେ ପ୍ରଶ୍ନ ଉଠାଇଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ଏମାନଙ୍କୁ ବିଳମ୍ବରେ ହେଉନା କାହିଁକି ଏନ୍ୟୁମୁରେସନ ଫର୍ମ ଜମା କରିବାକୁ ସୁଯୋଗ କାହିଁକି ଦିଆଯାଇ ପାରିବନି ବୋଲି ପ୍ରଶ୍ନ ଉଠାଇଥିଲେ। କୋର୍ଟ ପ୍ରଶ୍ନ କରିଥିଲେ ଯେ ସଠିକ ସମୟରେ ଫର୍ମ ଜମା ନ କରିପାରିବା କାରଣରୁ କେହି ଭୋଟର ସବୁଦିନ ପାଇଁ ଭୋଟର ତାଲିକାରୁ ବାଦପଡିବେ କି?

କୋର୍ଟ ଏପରି ଭୋଟରଙ୍କ ଲାଗି ଅଲଗା ‘ରେଜିଡୁଆଲ କ୍ୟାଟଗରୀ’ ତିଆରି କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ଏଥିରେ ସେମାନଙ୍କୁ ବିଳମ୍ବର କାରଣ ଜଣାଇବା ଓ ଜରୁରି କାଗଜପତ୍ର ଜମା କରିବା ଲାଗି ଅବସର ଦେବା ନିମନ୍ତେ ମଧ୍ୟ କହିଥିଲେ। ଅଧିକାରୀ ଜବାବରେ ସନ୍ତୁଷ୍ଟ ହେଲେ ସୂଚୀରେ ନାମ ସାମିଲ କରିପାରିବେ। ଏପରି ସ୍ଥଳେ ଅସ୍ୱୀକରଣର କାରଣ ମଧ୍ୟ ଜଣାଇବାକୁ ପଡିବ, ଯାହାଦ୍ୱାରା ସମ୍ପୃକ୍ତ ବ୍ୟକ୍ତି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରିବେ।