ନୂଆଦିଲ୍ଲୀ: ଦେଶର ସବୁଠାରୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି (IIT) ଏବଂ ଆଇଆଇଏମ୍ (IIM) ରୁ ଡିଗ୍ରୀ ହାସଲ କରିବା ପରେ UPSC ପାସ୍ କରିଥିବା IAS ଅଫିସର ଦିବ୍ୟା ମିତ୍ତଲ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ତାଙ୍କର ଏକ ପୋଷ୍ଟକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଓ ବିତର୍କ ଆରମ୍ଭ ହୋଇଯାଇଛି। ସେ ଲେଖିଛନ୍ତି ଯେ, ଭାରତର ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥା ତାଙ୍କୁ କଠିନ ପରୀକ୍ଷା ପାସ୍ କରିବା ଏବଂ ବଡ଼ ଦାୟିତ୍ୱ ସମ୍ଭାଳିବା ତ ଶିଖାଇଲା, କିନ୍ତୁ ମନକୁ ଶାନ୍ତ ରଖିବା କିମ୍ବା ଏକାକୀତ୍ୱର ସାମ୍ନା କରିବା ଶିଖାଇ ପାରିଲା ନାହିଁ।

 "ଆମେ ପର୍ଯ୍ୟାୟ ସାରଣୀ ମନେ ରଖିଲୁ, ହେଲେ କଷ୍ଟ ସହିବା ଶିଖିଲୁନି"

ଆଇଏଏସ ଦିବ୍ୟା ମିତ୍ତଲ ନିଜ ପୋଷ୍ଟରେ ଲେଖିଛନ୍ତି, "ଆମେ ସଫଳତା ପାଇବା ପାଇଁ ବହୁ ବର୍ଷ ଧରି ପାଠ ପଢୁଛୁ, କିନ୍ତୁ ଜୀବନରେ କେମିତି ଖୁସି ରହିବାକୁ ହେବ, ସେଥିପାଇଁ ଗୋଟିଏ ଦିନ ବି ସମୟ ଦେଉନାହୁଁ।" ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ଅଭାବ ରହିଥିବା ଦର୍ଶାଇ କହିଛନ୍ତି:

ମାନସିକ ସ୍ୱାସ୍ଥ୍ୟର ଅବହେଳା: "ଆମେ ବିଜ୍ଞାନର ପର୍ଯ୍ୟାୟ ସାରଣୀ (Periodic Table) ତ ମୁଖସ୍ଥ କରିଦେଲୁ, କିନ୍ତୁ ଭଙ୍ଗା ହୃଦୟର କେମେଷ୍ଟ୍ରି କିମ୍ବା ମନର ଦୁଃଖ ଓ ଚାପକୁ କେମିତି ଦୂର କରାଯିବ, ତାହା କେହି ଶିଖାଇଲେ ନାହିଁ।"

ସୀମା ନିର୍ଦ୍ଧାରଣ ଓ 'ନା' କହିବା: ବିଦ୍ୟାଳୟଗୁଡ଼ିକରେ କେବଳ ରଚନା ଲେଖି ମାର୍କ ଆଣିବା ଶିଖାଯାଏ, କିନ୍ତୁ କଠିନ ପରିସ୍ଥିତିରେ ନିଜର ଅସନ୍ତୋଷ ପ୍ରକାଶ କରିବା କିମ୍ବା କାହାକୁ ସ୍ପଷ୍ଟ ଭାବେ 'ନା' କହିବାର କଳା ଶିଖାଯାଏ ନାହିଁ।

ଆର୍ଥିକ ସାକ୍ଷରତାର ଅଭାବ: ବର୍ଷ ବର୍ଷ ଧରି ଗଣିତ ପଢ଼ିବା ସତ୍ତ୍ୱେ ଜୀବନରେ ଋଣ ବୋଝ, ଅଯଥା ଖର୍ଚ୍ଚ ଏବଂ ଆର୍ଥିକ ଚାପକୁ କେମିତି ପରିଚାଳନା କରାଯିବ, ତାହା ଛାତ୍ରଛାତ୍ରୀ ଜାଣିପାରୁ ନାହାନ୍ତି। ସ୍କୁଲ କେବଳ ପଇସା ରୋଜଗାର କରିବା ଶିଖାଏ, ମ୍ୟାନେଜ୍ କରିବା ନୁହେଁ।

ଏଲିଟ୍ ସିଟକୁ ନେଇ ଉଠିଲା ପ୍ରଶ୍ନ: 'ଜଣେ ବ୍ୟକ୍ତି, ଗୋଟିଏ ସିଟ୍'

ଦିବ୍ୟାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏକ ବିତର୍କ ମଧ୍ୟ ଆରମ୍ଭ ହୋଇଛି। କେତେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ଯେଉଁମାନେ ପ୍ରଥମେ IIT ଏବଂ ପରେ IIM ଭଳି ଦେଶର ପ୍ରତିଷ୍ଠିତ ସିଟ୍ ହାସଲ କରୁଛନ୍ତି ଏବଂ ଶେଷରେ ଆଇଏଏସକୁ ଚାଲିଯାଉଛନ୍ତି, ସେମାନେ ଅନ୍ୟ ଯୋଗ୍ୟ ପିଲାଙ୍କ ସୁଯୋଗ ନଷ୍ଟ କରୁଛନ୍ତି। ବଜାରରେ ଏହାକୁ ନେଇ ‘ୱାନ୍ ପର୍ସନ୍, ୱାନ୍ ସିଟ୍’ ନିୟମ ଲାଗୁ କରିବାକୁ ଦାବି ହୋଇଛି।

ଏହାର ଜବାବ ଦେଇ ଆଇଏଏସ ଦିବ୍ୟା ମିତ୍ତଲ ଲେଖିଛନ୍ତି, "ମୁଁ IIT ଦିଲ୍ଲୀରୁ ଗ୍ରାଜୁଏସନ୍ ଏବଂ IIM ବାଙ୍ଗାଲୋରରୁ ପୋଷ୍ଟ ଗ୍ରାଜୁଏସନ୍ କରିଛି। IAS କୁ ମୋର ଚାକିରି ବୋଲି ଧରନ୍ତୁ। ମୋର ଏହି ଦୁଇଟି ଯାକ ଶିକ୍ଷା ମୋତେ ଦେଶ ଓ ଜନସାଧାରଣଙ୍କ ସେବା କରିବାରେ ବହୁତ ସାହାଯ୍ୟ କରୁଛି।" ଅନ୍ୟ ଜଣେ ୟୁଜରଙ୍କ ଭାଗ୍ୟ ଓ ପ୍ରତିଭା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ପ୍ରତିଭା ବି ଏକ ପ୍ରକାରର ଭାଗ୍ୟ ହୋଇପାରେ, କିନ୍ତୁ ଆମ ହାତରେ ଯାହା ଅଛି ତାହା ହେଉଛି କେବଳ କଠିନ ପରିଶ୍ରମ ଏବଂ ଆମକୁ ସେଥିରେ ହିଁ ଧ୍ୟାନ ଦେବା ଉଚିତ୍।

ଏହି ସାମ୍ପ୍ରତିକ ବିତର୍କ ଏବେ ଭାରତର ପରୀକ୍ଷା ସର୍ବସ୍ୱ ସଂସ୍କୃତି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯେଉଁଠାରେ ଶିକ୍ଷା କେବଳ କ୍ୟାରିୟର ଗଠନ ପାଇଁ ଉଦ୍ଦିଷ୍ଟ ନା ଜୀବନର ଅନିଶ୍ଚିତତା, ବିଫଳତା, ସମ୍ପର୍କ ଏବଂ ପ୍ରକୃତ ଜୀବନର ସାମ୍ନା କରିବା ପାଇଁ, ତାହା ଭାବିବାର ସମୟ ଆସିଛି।