ଭୁବନ:  ପୁଅ ଦରକାର । ଯାହା ବି ହେଉ ପୁଅ ଦରକାର। ଆଉ ପୁଅକୁ ଚାହିଁ ଚାହିଁ ଗୋଟିଏ ପରେ ଗୋଟିଏ ଏପରି ଜନ୍ମହେଲେ ୫ଟି ଝିଅ। ଯାହାକୁ ସହ୍ୟ କରି କାରିଲାନି ସ୍ୱାମୀ। କାହିଁକି ପୁଅ ଜନ୍ମ ଦେଲେନି ମୁଣ୍ଡରେ ଚଢ଼ିଗଲା ରାଗ। ଆଉ ପତ୍ନୀ ଉପରେ ସ୍ୱାମୀ ନିର୍ମମ ଅତ୍ୟାଚାର କରିବାକୁ ବି ପଛେଇଲାନି। ମାର୍ ପିଟ୍ ସାଙ୍ଗକୁ ଛୁଆ ସହିତ ମା'କୁ ଘର ଛାଡ଼ି ପଳେଇବାକୁ କହିଥିଲା। ନଚେତ୍ ମାରିଦେବାକୁ ଧମକ ଦେବାକୁ ବି ପଛେଇଲାନି ନୃଶଂସ ସ୍ୱାମୀ। ଶେଷରେ ନିର୍ଦ୍ଦୟ ସ୍ୱାମୀର ଏପରି ଅମାନୁଷିକ ଅତ୍ୟାଚାର ସହିନପାରି ନିଜର ୫ଶିଶୁ କନ୍ୟା ସହିତ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି ଏହି ଅସହାୟ ମହିଳା ଜଣକ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମୁରୁଗା ଗାଁରେ ଘଟିଥିବା ଏପରି ଅମାନବୀୟ କାଣ୍ଡକୁ ନେଇ ସବୁଠି ଆଲୋଡନ।

ଭୁବନ ଥାନା ଚମ୍ପାନାଳିଆ ଗାଁର ସୁଲୋଚନା ନାଏକ। ପ୍ରାୟ ୧୦ବର୍ଷ ପୂର୍ବେ ଢେଙ୍କାନାଳ ମୋଟଙ୍ଗା ଥାନା ଗୁଡ଼ିଆକାଟେଣିର ଚୈତନ୍ୟ ନାଏକଙ୍କୁ କରିଥିଲେ ବିବାହ । ବିବାହ ପରେ ଚୈତନ୍ୟ ନିଜ ପତ୍ନୀର ମାମୁଁ ଘର ଗାଁ ମୁରୁଗାରେ ରହି ମୂଲ ମଜଦୁରୀ କରୁଥିଲେ। ପ୍ରଥମ ଝିଅ ଜନ୍ମ ପରେ ସୁଲୋଚନାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ଚୈତନ୍ୟ । ତେବେ ପୁଅ ପାଇଁ ସେ ଜିଦ୍ କରିଥିଲେ । ପତ୍ନୀକୁ ବାରମ୍ବାର ନିର୍ଯ୍ୟାତନା ଦେଇ ଚାଲିଥିଲେ । କଥା ସେତେବେଳେ ବି ଥାନାକୁ ଯାଇଥିଲା । ଚୈତନ୍ୟ ଭୁଲ ମାଗିଥିଲେ। । ଏହାପରେ ପୁଣି ପୁଅ ପାଇଁ ସୁଲୋଚନାଙ୍କ ପାଖରେ ଅଳି କରିଥିଲେ। ହେଲେ ପଞ୍ଚମଥର ବି ଜନ୍ମହେଲା ଝିଅ। ଚୈତନ୍ୟଙ୍କ ରାଗ ଏଥର ସବୁ ସୀମା ଟମିଗଲା। ପତ୍ନୀଙ୍କୁ ନିର୍ଧୁମ ମାଡ଼ ମାରି, ୫ ଝିଅ ସହିତ ଘରୁ ତଡ଼ି ଦେଇଥିଲେ। ପୀଡିତା ମହିଳା ତାଙ୍କ ନବଜାତ ଶିଶୁ ସହ ଅନ୍ୟ ଝିଅ ମାନଙ୍କୁ ନେଇ ପ୍ରଥମେ ଭୁବନ ଡାକ୍ତରଖାନାରେ ଆଶ୍ରୟ ନେଇଥିଲେ । ଏନେଇ ସୁଲୋଚନାଙ୍କ ମା' ଭୁବନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଚୈତନ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଭୁବନ ପୁଲିସର ନିଷ୍କ୍ରିୟତା ଏହି ପିଡିତା ମହିଳାଙ୍କୁ ସମ୍ପୂର୍ଣ ଅସହାୟ କରିଦେଇଛି। ଫଳରେ ପୁଷ୍ପାଞ୍ଜଳି ରଣା ନାମକ ଜଣେ ମାନବାଧିକାର କର୍ମୀ ଏହି ପିଡିତା ମହିଳାଙ୍କୁ ଉଦ୍ଧାର କରି ଭୁବନ ଥାନାର ଦ୍ୱାରସ୍ଥ ହୋଇଥିଲେ। ଫଳରେ ଏବେ ଜଣେ ପିଡିତାକୁ ନ୍ୟାୟ ଦେବାରେ କରିଥିବା ଅବହେଳା ନେଇ ଭୁବନ ପୁଲିସର ଚେତା ପଶିଛି। ଆଉ ମହିଳା ଓ ତାର ୫ଟି କନ୍ୟା ସନ୍ତାନଙ୍କୁ ଗଁନ୍ଦିଆ ସନ୍ତସରା ସ୍ଥିତ ଏକ ସ୍ୱଧାର ଗୃହକୁ ନିଆଯାଇଥିବା ଜଣାପଡିଛି। ଘଟଣା ପଦାକୁ ଆସିବା ପରେ ଭୁବନ ଥାନାରେ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଅବହେଳା ସମ୍ପର୍କରେ ଯାଞ୍ଚ ନିର୍ଦେଶ ଦେଇଥିବା ଢେଙ୍କାନାଳ ଏସପି ପ୍ରକାଶ କରିଛନ୍ତି ।

ଯେଉଁଠି ଭାରତୀୟ ଝିଅମାନେ ବିଶ୍ୱକପ ଜିତିବା ପରେ ଦେଶବ୍ୟାପି ଉତ୍ସବ ପାଳନ କରାଯାଉଛି। ଏପରି ସ୍ଥଳେ ଢେଙ୍କାନାଳରେ ଝିଅ ଜନ୍ମ କରିଥିବାରୁ ପତ୍ନୀକୁ ତଡ଼ିଦେଉଛି ସ୍ବାମୀ। ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଘଟଣାକୁ ଖୁବ୍ ନିନ୍ଦା କରାଯାଇଛି। ।