ଭୁବନେଶ୍ଵର: ନୀରବି ଗଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର। ଆଉ ଶୁଭିବନି ତାଙ୍କର ସୁମଧୁର ସ୍ଵର। ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ହ୍ୟୁମାନ। ପ୍ରତିଟି ଓଡ଼ିଆ, ବିଶେଷ କରି ଯୁବ ପିଢିଙ୍କ ହୃଦୟରେ ଘର କରି ରହିଥିବା ହ୍ୟୁମାନଙ୍କ ସୋମବାର ପରଲୋକ ଘଟିଛି। ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୩୪ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସତ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ପ୍ରେମୀ ସହ ସବୁ ବର୍ଗରେ ଶୋକର ଲହରି ଖେଳି ଯାଇଛି। ତାଙ୍କ ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ସୂଚନାଯୋଗ୍ୟ, ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ଶୁକ୍ରବାର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଗତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟି ନ ଥିଲା। ତାଙ୍କର ଅନେକ ଅଙ୍ଗ ଅଚଳ ହୋଇ ପଡ଼ିଥିଲା। ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ଡାକ୍ତର କହିଥିଲେ ।

ସେପଟେ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। ଆଗକୁ ଯଦି ଆବଶ୍ୟକ ପଡେ, ତେବେ ହ୍ୟୁମାନ ସାଗରଙ୍କୁ ଏୟାରଲିଫ୍ଟ କରାଯାଇପାରେ ବୋଲି କୁହାଯାଇଥିଲା। ତେବେ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ଆର ପାରିକୁ ଚାଲିଗଲେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ​​​​​​​

​​​​​​​ସେ ବହୁ ହୀଟ ଗୀତର ଗାୟକ ଥିଲେ। ନିଜ କଣ୍ଠର ଯାଦୁରେ ଓଲିଉଡରେ ସ୍ଵତନ୍ତ୍ର ସ୍ଥାନ ପାଇଥିଲେ। ତାଙ୍କର ଗାଇବା ଶୈଳୀ ଏତେ ନିଆରା ଥିଲା ଯେ, ଶ୍ରୋତାଙ୍କ ହୃଦୟକୁ ଛୁଇଁ ଯାଉଥିଲା। ‘ଇସ୍କ ତୁ ହି ତୁ’ ଫିଲ୍ମରେ ପ୍ରଥମ ଗୀତ ଗାଇଥିଲେ। ଆଉ ଶେଷ ଥର ‘ଚାରିଧାମ’ ଫିଲ୍ମରେ ଶେଷ ଥର ଗାଇଥିଲେ। ୨୦୧୨ରେ ରିୟଲଟି ଶୋ ‘ଭଏସ ଅଫ୍ ଓଡ଼ିଶା’ରେ ଚାମ୍ପିଅନ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ସୁପର ହିଟ୍ ହୋଇ ଚାଲିଥିଲା। ବିଶେଷ କରି ତାଙ୍କର ଦୁଃଖ ଭରା ଗୀତ ଯୁବ ପିଢିଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲା ୧୯୯୦ ମସିହା ନ ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ ସାଗର। ତେବେ କଟକ ଥିଲା ତାଙ୍କର କର୍ମମୟ ନଗର।