ୟୁପି ୦୫/୧୧: ଅଧା ରହିଗଲା ଗଙ୍ଗା ସ୍ନାନ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡାକିନେଲା ଯମ । ଉତ୍ତର ପ୍ରଦେଶର ମିର୍ଜାପୁରରେ ମର୍ମନ୍ତୁଦ ଦୁର୍ଘଟଣାରେ ଯାଇଛି ୪ ଜୀବନ । ଚୁନାର ରେଳ ଷ୍ଟେସନରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଅକାଳ ମୃତ୍ୟୁ ପଛରେ ଅଛି ଲୌହଦାନବ । ମୃକମାନେ ସମସ୍ତେ ଚାରି ନମ୍ବର ପ୍ଲାଟଫର୍ମରେ ଚୋପାନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ଓହ୍ଲାଉଥିଲେ । ଷ୍ଟେସନରେ, ଯାତ୍ରୀମାନେ ଟ୍ରାକ୍ ପାର ହେଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ୍ସପ୍ରେସ (କାଲକା ମେଲ) ସେମାନଙ୍କ ଉପରେ ମାଡ଼ି ଯାଇଥିଲା ।

ସୂଚନା ଥାଉକି, ରେଳ ଧାରଣା ପାର ହେଉଥିବା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ଭକ୍ତ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଉଥିଲେ । ଏହି ଘଟଣା ଚୁନାର ରେଳ ଷ୍ଟେସନରେ ଆତଙ୍କ ସୃଷ୍ଟି କରିଥିଲା । ଘଟଣାସ୍ଥଳରେ ରେଲଓ୍ୱେ ଅଧିକାରୀ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଶାସନ ଯାତ୍ରୀମାନଙ୍କୁ ନିଜ ସୁରକ୍ଷା ପାଇଁ ପ୍ଲାଟଫର୍ମ ଓ ଓଭରବ୍ରିଜ୍ ବ୍ୟବହାର କରିବାକୁ ନିବେଦନ କରିଛି। 

ଘଟଣାସ୍ଥଳରେ ଉପସ୍ଥିତ ଦେଖଣାହାରୀଙ୍କ କହିବା କଥା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣା ପରେ ଚିତ୍କାର ଓ କାନ୍ଦ ଶୁଣିବାକୁ ମିଳିଥିଲା। ଜିଆରପି ଓ ଆରପିଏଫ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲେ ।ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୁନାର ରେଳ ଷ୍ଟେସନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ବି ବଢିପାରେ ମୃତ୍ୟୁ ସଂଖ୍ୟା ।