LIVE TV

ନକ୍ସଲଙ୍କ ଯୁଦ୍ଧ ବିରାମ ପ୍ରସ୍ତାବକୁ ଗୃହମନ୍ତ୍ରୀଙ୍କ ଅଗ୍ରାହ୍ୟ, ଜାଣନ୍ତୁ କହିଲେ କ’ଣ?

NEWS7
Amit saha

ନୂଆଦିଲ୍ଲୀ ୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନିକଟରେ ଭ୍ରମ ବ୍ୟାପ୍ତ କରିବା ପାଇଁ ଏକ ପତ୍ର ଲେଖା ଯାଇଥିଲା। ଏଥିରେ କୁହାଯାଇଥିଲା ଯେ ‘ଏ ପର୍ଯ୍ୟନ୍ତ ଯାହା ବି ହୋଇଛି ତାହା ଭୁଲ ଥିଲା, ଯୁଦ୍ଧ ବିରାମ ଘୋଷଣା କରାଯିବା ଦରକାର ଓ ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ’। ତେବେ ଅମିତ ଶାହ କହିଛନ୍ତି ଯେ କୌଣସି ଯୁଦ୍ଧ ବିରାମ ହେବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ତମେ ଆତ୍ମସମର୍ପଣ କରିବାକୁ ଚାହୁଁଛ, ତେବେ ଯୁଦ୍ଧ ବିରାମର କୌଣସି ଆବଶ୍ୟକତା ନାହିଁ। ତୁମେମାନେ ଅସ୍ତ୍ର ତ୍ୟାଗ କର ପୋଲିସ ଗୋଟେ ବି ଗୁଳି ଚଳାଇବନି ଓ ଆମେ ତୁମର ଥଇଥାନ କରିବୁ।

ଉଲ୍ଲେଖଯୋଗ୍ୟ ଯେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ରିସର୍ଚ୍ଚ ଫାଉଣ୍ଡେସନ (ଏସପିଏମଆରଏଫ) ପକ୍ଷରୁ ରବିବାର ଦିଲ୍ଲୀ ଭାରତ ମଣ୍ଡପରେ ‘ଭାରତ ମନ୍ଥନ ୨୦୨୫-ନକ୍ସଲ ମୁକ୍ତ ଭାରତ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତ ନକ୍ସଲ ମୁକ୍ତ ହୋଇଯିବ ବୋଲି କହିଛନ୍ତି। ଶାହ କହିଛନ୍ତି ଯେ ନକ୍ସଲବାଦର ବୈଚାରିକ ପୋଷଣ କିଏ କଲା ତାହା ଆମେ ନବୁଝିବା ପର୍ଯ୍ୟନ୍ତ ଦେଶରୁ ନକ୍ସଲ ସମାପ୍ତ ହେବେ ନାହିଁ।

ସେ କହିଛନ୍ତି ଯେ ଦେଶରେ ନକ୍ସଲବାଦ କାହିଁକି ବିକଶିତ ହେଲା? ଏପରି ବିଚାର କିଏ ପୋଷଣ କଲା? ଯେଉଁ ପର୍ଯ୍ୟନ୍ତ ଭାରତୀୟ ସମାଜ ନକ୍ସଲବାଦ ବିଚାରର ବୈଚାରିକ ପୋଷଣ, ଲିଗାଲ ସମର୍ଥନ ଓ ସମାଜରେ ବସି ଆର୍ଥିକ ସହଯୋଗ କରୁଥିବା ଲୋକଙ୍କୁ ଆମେ ବୁଝି ପାରି ନାହେଁ ସେ ପର୍ଯ୍ୟନ୍ତ ନକ୍ସଲଙ୍କୁ ଫେରାଇ ଆଣି ପାରିବା ନାହିଁ କି ସେ ପର୍ଯ୍ୟନ୍ତ ନକ୍ସଲବାଦ ବିରୋଧରେ ଲଢେଇ ସରିପାରିବନି।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆମେ କାହାରିକୁ ମାରିବାକୁ ଚାହୁଁନା,ହେଲେ କେହି ଯଦି ନିର୍ଦ୍ଦୋଷଙ୍କୁ ମାରିବ ତାକୁ ବଞ୍ଚାଇବା ଆମ କାମ। ସେ କହିଛନ୍ତି ଯେ ଯିଏ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ଆମ ସରକାର ତା ପାଇଁ ନାଲି କାର୍ପେଟ ବିଛାଇଛନ୍ତି। ହେଲେ ଯିଏ ଅସ୍ତ୍ର ଉଠାଇବ ତାକୁ ଜବାବ ମିଳିବ। ଯଦି କିଏ ବନ୍ଧୁକ ଉଠାଇବ ସରକାର ଗୁଳିର ଜବାବ ଗୁଳିରେ ଦେବେ। ସେ ଏକ ଡାଟା ସେୟାର କରି କହିଛନ୍ତି ଯେ ୨୦୨୪ରେ ନକ୍ସଲଙ୍କ ବିରୋଧରେ ଅଭିଯାନରେ ୨୯୦ ନକ୍ସଲ ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ହତିଆର ରଖିଥିଲେ। ଏହା ଛଡା ୧୦୯୦ ନକ୍ସଲଙ୍କୁ ଗିରଫ କରାଯାଇଛି। ସେହିପରି ୮୮୧ ଜଣ ନକ୍ସଲ ଆତ୍ମସମର୍ପଣ କରି ସରକାରୀ ସୁବିଧା ଗ୍ରହଣ କରିଛନ୍ତି।