ଭାରତର ଜନସଂଖ୍ୟାରେ ୬% କମିଲେନି ହିନ୍ଦୁ, ମୁସଲିମଙ୍କ ସଂଖ୍ୟା ବଢିଛି; ସରକାରୀ ପ୍ୟାନେଲ୍ ରିପୋର୍ଟ

Published By : Prameya-News7 Bureau | May 08, 2024 IST

ନୂଆଦିଲ୍ଲୀ: ୧୯୫୦ରୁ ୨୦୧୫ ଯାଏ ୬୫ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟାରେ ବହୁସଂଖ୍ୟକ ହିନ୍ଦୁଙ୍କ ପ୍ରତିଶତରେ ବଡ଼ ହ୍ରାସ ରେକର୍ଡ କରାଯାଇଛି । ଏହି ଅବଧିରେ ଦେଶରେ ଜନସଂଖ୍ୟାରେ ହିନ୍ଦୁଙ୍କ ଭାଗ ୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । କେବଳ ଏହା ନୁହେଁ ପାକିସ୍ତାନ, ବାଂଲାଦେଶ ପରି ଅନ୍ୟ ଦେଶ ସହ ଯଦି ତୁଳନା କରାଯାଏ ତେବେ ସେଠାରେ ବହୁସଂଖ୍ୟକ ମୁସଲିମଙ୍କ ସେମାନଙ୍କ ଜନସଂଖ୍ୟାରେ ଭାଗ ବଢିଛି । ଅଧ୍ୟୟନ ଅନୁସାରେ ଗୋଟିଏ ପଟେ ଭାରତରେ ହିନ୍ଦୁଙ୍କ ସଂଖ୍ୟା କମ ହୋଇଥିବା ବେଳେ, ସଂଖ୍ୟାଲଘୁ ମୁସଲିମ୍, ଇସାଇ, ବୌଦ୍ଧ ଏବଂ ଶିଖଙ୍କ ଜନସଂଖ୍ୟାରେ ଭାଗ ବଢିଛି । ଅନ୍ୟପେଟ ହିନ୍ଦୁଙ୍କ ବ୍ୟତିତ ଜୈନ ଏବଂ ପରାସୀଙ୍କ ଜନସଂଖ୍ୟାରେ ପ୍ରତିଶତ କମିଛି ।

ଷ୍ଟଡି ଅନୁସାରେ ଏହି ଅବଧିରେ ଜନସଂଖ୍ୟାରେ ମୁସଲିମଙ୍କ ଭାଗ ୫ ପ୍ରତିଶତ ବଢିଛି । ଏହା ବ୍ୟତୀତ ଇସାଇଙ୍କ ୫.୩୮ ପ୍ରତିଶତ, ଶିଖଙ୍କ ସଂଖ୍ୟା ୬.୫୮ ପ୍ରତିଶତ ବଢିଛି । ରିପୋର୍ଟ ଅନୁସାରେ ୧୯୫୦ରେ ଭାରତର ଜନସଂଖ୍ୟାରେ ହିନ୍ଦୁ ୮୪ ପ୍ରତିଶତ ଥିଲେ । ଏବେ ଦେଶର ମୋଟ ଜନସଂଖ୍ୟାରେ ହିନ୍ଦୁ ୭୮ ପ୍ରତିଶତ ଅଛନ୍ତି । ମୁସଲମାନ ୬୫ ବର୍ଷ ପୂର୍ବେ ଭାରତର ଜନସଂଖ୍ୟାର ୯.୮୪ ପ୍ରତିଶତ ଥିଲେ, ଯାହା ଏବେ ବଢି ୧୪.୧୯ ପ୍ରତିଶତ ହୋଇଛି । ମିଆଁମାର ପରେ ଭାରତ ନିଜ ଆଖପାଖ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠି ବହୁସଂଖ୍ୟକ ସମାଜର ସଂଖ୍ୟା ହ୍ରାସ ପାଇଛି ।

ମିଆଁମାରରେ ଏହି ଅବଧିରେ ବହୁସଂଖ୍ୟକ ବୌଦ୍ଧ ସମୁଦାୟର ଜନସଂଖ୍ୟାରେ ଭାଗ ୧୦ ପ୍ରତିଶତ କମ ହୋଇଛି । ଅନ୍ୟପଟେ ଭାରତରେ ଜନସଂଖ୍ୟାରେ ହିନ୍ଦୁଙ୍କ ଭାଗ ୭.୮ ପ୍ରତିଶତ କମ ହୋଇଛି । ଭାରତ ଏବଂ ମିଆଁମାର ବ୍ୟତୀତ ନେପାଳରେ ମଧ୍ୟରେ ସମାନ ସ୍ଥିତି ରହିଛି । ନେପାଳ ଜନସଂଖ୍ୟାରେ ବହୁସଂଖ୍ୟକ ହିନ୍ଦୁ ୩.୬ ପ୍ରତିଶତ କମିଛନ୍ତି । ପିଏମଙ୍କ ଆର୍ଥିକ ପରାମର୍ଶଦାତା କମିଟି ନିଜ ରିପୋର୍ଟରେ ମୋଟ ୧୬୭ ଦେଶର ଅଧ୍ୟୟନ କରିଛି । ଏଥିରେ କୁହାଯାଇଛି ଯେ ଦୁନିଆର ଟ୍ରେଣ୍ଡକୁ ଦେଖିଲେ ଭାରତର ଏକ ସ୍ଥିରତା ରହିଛି । ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ସଂଖ୍ୟାଲଘୁଙ୍କୁ ନା କେବଳ ସଂରକ୍ଷଣ ଦିଆଯାଇଛି ବରଂ ସେମାନଙ୍କ ଜନସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ପଟେ ଭାରତର ଜନସଂଖ୍ୟାରେ ବହୁସଂଖ୍ୟକ ହିନ୍ଦୁଙ୍କ ସେୟାର କମିଛି । ଅନ୍ୟପଟେ ପଡୋଶୀ ବାଂଲାଦେଶ ଏବଂ ପାକିସ୍ତାନରେ ବହୁସଂଖକ ମୁସଲିମଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ବାଂଲାଦେଶ ଜନସଂଖ୍ୟାରେ ମୁସଲମାନଙ୍କ ସଂଖ୍ୟା ୧୮.୫ ପ୍ରତିଶତ ବଢିଛି । ଅନ୍ୟପଟେ ପାକିସ୍ତାନରେ ଏହି ବୃଦ୍ଧି ୩.୭୫ ପ୍ରତିଶତ ରହିଛି । ଆଫଗାନିସ୍ତାନରେ ୦.୨୯ ପ୍ରତିଶତ ବୃଦ୍ଧି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.